Latest Odisha News

ସ୍ଲୋ ପଏଜନ ମାଇକ୍ରୋପ୍ଲାଷ୍ଟିକ 

ନୂଆଦିଲ୍ଲୀ: ପରିବେଶ ଓ ମାନବ ସ୍ୱାସ୍ଥ୍ୟ ପାଇଁ ବିପଦ ସାଜିଛି ହାନିକାରକ ମାଇକ୍ରୋପ୍ଲାଷ୍ଟିକ । ପ୍ରତିଦିନ ଆମ ଅଜାଣତରେ ମାଇକ୍ରୋପ୍ଲାଷ୍ଟିକ ଆମ ଶରୀରରେ ପ୍ରବେଶ କରି ସ୍ୱାସ୍ଥ୍ୟ ସଂକଟ ସୃଷ୍ଟି କରେ । ଏକ ନୂଆ ଅଧ୍ୟୟନରୁ ଚମକାଇ ଦେବା ଭଳି ତଥ୍ୟ ସାମନାକୁ ଆସିଛି । ଆମର ନିତିଦିନିଆ ଖାଦ୍ୟପେୟରେ ବ୍ୟବହୃତ ଲୁଣ ଓ ଚିନିରେ ମଧ୍ୟ ହାନିକାରକ ମାଇକ୍ରୋପ୍ଲାଷ୍ଟିକ ମହଜୁଦ ଅଛି ।

ଭାରତରେ ଲୁଣ ଓ ଚିନିରେ ମାଇକ୍ରୋପ୍ଲାଷ୍ଟିକ 

ପରିବେଶ ଅନୁସନ୍ଧାନ ସଙ୍ଗଠନ ଟକ୍ସିକସ୍ ଲିଙ୍କ୍ ଦ୍ୱାରା ପ୍ରକାଶିତ ଏକ ଅଧ୍ୟୟନ ଅନୁସାରେ ଭାରତର ମିଳୁଥିବା ପ୍ରାୟ ସବୁ ବ୍ରାଣ୍ଡର ଲୁଣ ଓ ଚିନିରେ ରହିଛି ମାଇକ୍ରୋପ୍ଲାଷ୍ଟିକ ବା ପ୍ଲାଷ୍ଟିକ କଣିବା । ଏହି ମାଇକ୍ରୋପ୍ଲାଷ୍ଟିକ ବଡ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରେ । ‘ମାଇକ୍ରୋପ୍ଲାଷ୍ଟିକ୍ସ ଇନ୍ ସଲ୍ଟ ଆଣ୍ଡ୍ ସୁଗାର’ ନାମକ ଅଧ୍ୟୟନ ପାଇଁ ୧୦ ପ୍ରକାର ଲୁଣ ଓ ୫ ପ୍ରକାର ଚିନିର ମାନ ଯାଂଚ କରାଯାଇଥିଲା । ପରୀକ୍ଷଣ ହୋଇଥିବା ସମସ୍ତ ସାମ୍ପଲରେ ମାଇକ୍ରାପ୍ଲାଷ୍ଟିକ୍ସର ବ୍ୟାପକ ଉପସ୍ଥିତି ଜଣାପଡିଥିଲା ବୋଲି ଅଧ୍ୟୟନରୁ ସୂଚନା ମିଳିଛି ।

ପ୍ୟାକେଜ୍‌ଡ ହେଉ କି ଅନପ୍ୟାକ୍‌, ଭାରତରେ ମିଳୁଥିବା ସବୁ ପ୍ରକାର ଲୁଣ ଓ ଚିନିରେ ଫାଇବର, ପେଲେଟ୍ସ ଓ ଫ୍ରେଗମେଂଟସ ସମେତ ମାଇକ୍ରୋପ୍ଲାଷ୍ଟିକର ବିଭିନ୍ନ ସ୍ୱରୂପ ଚିହ୍ନଟ ହୋଇଛି । ମାଇକ୍ରୋପ୍ଲାଷ୍ଟିକର ଆକାର ୦ ଦଶମିକ ୧ ରୁ ୫ ମିଲିମିଟର ଯାଏଁ ବୋଲି ଅଧ୍ୟୟନରୁ ଜଣାପଡିଛି । ଆଶ୍ଚର୍ଯ୍ୟର କଥା ହେଲା ଯେ, ଆୟୋଡିନ ଯୁକ୍ତ ଲୁଣରେ ରହିଛି ଅଧିକ ପରିମାଣର ମାଇକ୍ଲୋପ୍ଲାଷ୍ଟିକ୍ । ସମସ୍ତ ପ୍ରକାର ଲୁଣ ଓ ଚିନିରେ ବହୁ ପରିମାଣରେ ମାଇକ୍ରୋପ୍ଲାଷ୍ଟିକ ରହିବା ସ୍ୱାସ୍ଥ୍ୟ ଦୃଷ୍ଟିରୁ ବେଶ୍ ଚିନ୍ତାଜନକ ବୋଲି ଅଧ୍ୟୟନରେ କୁହାଯାଇଛି ।

ମାଇକ୍ରୋପ୍ଲାଷ୍ଟିକ ଦ୍ୱାରା ସାଂଘାତିକ ସ୍ୱାସ୍ଥ୍ୟ ସଂକଟ

ଆମର ନିତିଦିନିଆ ଜୀବନରେ ପ୍ଲାଷ୍ଟିକ ବ୍ୟବହାର ବଢିଚାଲିବା ଯୋଗୁଁ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡିଥିବା ବେଳେ ଏବେ ଚିନି ଓ ଲୁଣରେ ମାଇକ୍ରୋପ୍ଲାଷ୍ଟିକ ନିଶ୍ଚିତ ଭାବେ ଏକ ବଡ ଚ୍ୟାଲେଂଜ୍ । ରିସାଇକ୍ଲିଂ ହୋଇପାରୁନଥିବା ପ୍ଲାଷ୍ଟିକ ବର୍ଷ ବର୍ଷ ଧରି ଗୋଟିଏ ସ୍ଥାନରେ ପଡିରହିବା ଯୋଗୁଁ ମାଇକ୍ରୋ ବା ଅତିକ୍ଷୁଦ୍ର ପ୍ଲାଷ୍ଟିକର ରୂପ ନେଉଛି । ଏହି ଅଣୁ ପ୍ଲାଷ୍ଟିକ ସ୍ଥଳଭାଗରୁ ଜଳଭାବ ବା ବାୟୁମଣ୍ଡଳରେ ଘୁରି ବୁଲିବା ଦ୍ୱାରା ଉପଜୁଛି ସ୍ୱାସ୍ଥ୍ୟ ସମସ୍ୟା । ମଣିଷର ଶ୍ୱାସକ୍ରିୟାରେ ଏହା ଶରୀରରେ ଜମା ହେଉଛି । ଆଉ ଏହାର ପରିଣାମ ଅତି ଭୟଙ୍କର । ମାଇକ୍ରୋପ୍ଲାଷ୍ଟିକ ଶରୀରରେ କୋଷିକା ନଷ୍ଟ କରିଥାଏ । ଏଥିସହ ଅଙ୍ଗ ପ୍ରତ୍ୟଙ୍ଗ ଅଚଳ କରିଦିଏ ମାଇକ୍ରୋପ୍ଲାଷ୍ଟିକ । ଶରୀରର ପ୍ରତି ଅଙ୍ଗରେ ମାଇକ୍ରୋପ୍ଲାଷ୍ଟିକ ଜମା ହେବା ଦ୍ୱାରା ସାଂଘାତିକ ସ୍ୱାସ୍ଥ୍ୟ ସଂକଟ ସୃଷ୍ଟି ହୁଏ । ବଜାରରେ ମିଳୁଥିବା ପାଣି ବୋତଲ ମଧ୍ୟ ମାଇକ୍ରୋପ୍ଲାଷ୍ଟିକ ଦୃଷ୍ଟିରୁ ଅତି ବିପଦଜ୍ଜନକ ।

ମଣିଷ ମସ୍ତିଷ୍କରେ ମାଇକ୍ରୋପ୍ଲାଷ୍ଟିକ  

ମାଇକ୍ରୋପ୍ଲାଷ୍ଟିକ ଦ୍ୱାରା ବ୍ରେନ ବା ମସ୍ତିଷ୍କ ମଧ୍ୟ ପ୍ରଭାବିତ ହୁଏ । ଏ ବର୍ଷ କିଛି ଗବେଷକ ମୃତଦେହ ପରୀକ୍ଷଣରେ ମାନବ ମସ୍ତିଷ୍କର କିଛି ସାମ୍ପଲ ନେଇ ଗବେଷଣା କରିଥିଲେ । ଗବେଷଣାରୁ ଜଣାପଡିଥିଲା ଯେ, ୮ ବର୍ଷ ତଳେ ନିଆଯାଇଥିବା ସାମ୍ପଲ ତୁଳନାରେ ମଣିଷ ମସ୍ତିଷ୍କରେ ପ୍ଲାଷ୍ଟିକ ଗୁଣ୍ଡର ଉପସ୍ଥିତି ୫୦ ପ୍ରତିଶତ ଅଧିକ ।

Comments are closed.