Latest Odisha News

ଟି ବ୍ୟାଗ ବ୍ୟବହାର କରୁଥିଲେ ସାବଧାନ, ହୋଇପାରେ କ୍ୟାନ୍ସର ଓ ବନ୍ଧ୍ୟାକରଣ… 

ନୂଆଦିଲ୍ଲୀ: ଟି ବ୍ୟାଗ ବ୍ୟବହାର କରୁଥିଲେ ସାବଧାନ ହୋଇ ଯାଆନ୍ତୁ। ଏଥିରୁ ବାହାରୁଥିବା ମାଇକ୍ରୋପ୍ଲାଷ୍ଟିକ୍ କ୍ୟାନ୍ସର ଏବଂ ବନ୍ଧ୍ୟାକରଣ ଭଳି ରୋଗର କାରଣ ହୋଇପାରେ। ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଏହା ଜଣାପଡିଛି।

ବାର୍ସିଲୋନା ର ୟୁନିଭର୍ସିଟେଟ୍ ଅଟୋନୋମାର ବୈଜ୍ଞାନିକମାନେ ଏକ ଅନୁସନ୍ଧାନରୁ ଜାଣିବାକୁ ପାଇଛନ୍ତି ଯେ ଟି-ବ୍ୟାଗକୁ  ଗରମ ପାଣିରେ ବୁଡ଼ାଇଲାପରେ ସେଥିରୁ ବହୁ ସଂଖ୍ୟାରେ ମାଇକ୍ରୋପ୍ଲାଷ୍ଟିକ୍ ର  ଛୋଟ ଛୋଟ ପ୍ଲାଷ୍ଟିକ୍ କଣିକାମାନ ନିର୍ଗତ ହୋଇଥାଏ ଯାହାକି ମାନବ ଶରୀରରେ ପ୍ରବେଶ କଲେ ବହୁ ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରିପାରେ।

ତେବେ ତିନି ପ୍ରକାରର ଟି ବ୍ୟାଗକୁ ନେଇ ଅଧ୍ୟୟନ କରାଯାଇଥିଲା- ନାଇଲନ୍, ପଲିପ୍ରୋପିଲିନ ଏବଂ ମାର୍କେଟରେ ଉପଲବ୍ଧ ନିୟମିତ ଟି ବ୍ୟାଗ। ଏହି ଟି ବ୍ୟାଗଗୁଡିକୁ ୯୫° C ରେ ଥିବା ପାଣିରେ ବୁଡାଇ ଦେଖାଗଲା ଯେ ପଲିପ୍ରୋପିଲିନ ଟି ବ୍ୟାଗଗୁଡିକ ସବୁଠାରୁ ବିପଜ୍ଜନକ ଅଟେ। ଯାହାକି ମିଲିଲିଟର ପ୍ରତି ୧.୨ ବିଲିୟନ ଏବଂ ନାଇଲନ୍ ଟି ବ୍ୟାଗ ମିଲିଲିଟର ପିଛା ୮.୧୮ ମିଲିୟନ୍ ମାଇକ୍ରୋପ୍ଲାଷ୍ଟିକ୍ ଛାଡିଥାଏ।

ସେହିପରି ମାଇକ୍ରୋପ୍ଲାଷ୍ଟିକର କଣିକା ଗୁଡିକ ଶରୀରର ଆଭ୍ୟନ୍ତରୀଣ ଅଙ୍ଗରେ ଜମା ହୋଇ ଅନ୍ତନଳୀର ପରସ୍ତକୁ ନଷ୍ଟ କରିଥାଏ ଓ କୋଷରେ ପ୍ରବେଶ କରି ଡିଏନଏକୁ ମଧ୍ୟ ପ୍ରଭାବିତ କରିଥାଏ। ଆହୁରି ମଧ୍ଯ ଏହା କ୍ୟାନ୍ସର, ବନ୍ଧ୍ୟାକରଣ ଏବଂ କୋଲନ୍ (ଅନ୍ତନଳୀ)ରେ  ରୋଗ ସୃଷ୍ଟି କରିପାରେ ବୋଲି ବୈଜ୍ଞାନିକ ମାନେ ଚେତାବନୀ ଦେଇଛନ୍ତି।

ପ୍ଲାଷ୍ଟିକ୍ ହେଲ୍ଥ କାଉନସିଲର ସହ-ପ୍ରତିଷ୍ଠାତା ମାରିଆ ୱେଷ୍ଟର୍ବୋସ୍ କହିଛନ୍ତି ଯେ ବୈଜ୍ଞାନିକମାନେ ପ୍ଲାଷ୍ଟିକ ବ୍ୟବହାର ଉପରେ ବାରମ୍ବାର ଚେତାବନୀ ଦେଇଆସୁଛନ୍ତି। ତେବେ ଆନ୍ତର୍ଜାତୀୟ ସମୁଦାୟ ତୁରନ୍ତ ଏହା ଉପରେ ପଦକ୍ଷେପ ନେବା ଉଚିତ୍। ତେବେ ଟି ବ୍ୟାଗ ବଦଳରେ ଖୋଲା ଚା ବ୍ୟବହାର ଓ ଚା ତିଆରି କରିବା ସମୟରେ କାଚ କିମ୍ବା ଷ୍ଟିଲ ବାସନର ବ୍ୟବହାର କରିବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।

 

Comments are closed.