ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ସବୁଠାରୁ ଦୀର୍ଘ ସେବା ପ୍ରଦାନକାରୀ ଲଢ଼ୁଆ ବିମାନ, ମିଗ୍-୨୧, ଏବେ ମାତ୍ର କିଛି ଦିନ ମଧ୍ୟରେ ଆନୁଷ୍ଠାନିକ ଭାବରେ ଅବସର ଗ୍ରହଣ କରିବ । ୬୨ ବର୍ଷର ଗୌରବମୟ ସେବା ପରେ, ଏହି ବିମାନ ୨୬ ସେପ୍ଟେମ୍ବରରେ ଚଣ୍ଡିଗଡ଼ରେ ଶେଷ ଉଡ଼ାଣ କରିବ ।
ମିଳିଥିବା ଖବର ଅନୁସାରେ, ମିଗ୍-୨୧ର ବିଦାୟର ଏହି ଐତିହାସିକ ମୁହୂର୍ତ୍ତକୁ ସ୍ୱତନ୍ତ୍ର କରିବା ପାଇଁ, ବାୟୁସେନା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛି । ଯେଉଁଥିରେ ପ୍ରତିରକ୍ଷା ମନ୍ତ୍ରୀ ଏବଂ ବାୟୁସେନା ମୁଖ୍ୟ ମଧ୍ୟ ଉପସ୍ଥିତ ରହିବେ । ବର୍ତ୍ତମାନ ଏହାକୁ ସେହି ସ୍ଥାନରୁ ଅନ୍ତିମ ବିଦାୟ ଦିଆଯାଉଛି ଯେଉଁଠାରୁ ଏହା ପ୍ରାୟ ୬ ଦଶନ୍ଧି ପୂର୍ବେ ବାୟୁସେନାରେ ଯୋଗ ଦେଇଥିଲା ।
୧୯୬୫ ଏବଂ ୧୯୭୧ ଯୁଦ୍ଧରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ମିଗ୍-୨୧ ହେଉଛି ଭାରତୀୟ ବାୟୁସେନାର ପ୍ରଥମ ସୁପରସୋନିକ୍ ଲଢୁଆ ବିମାନ । ଏହି ବିମାନ ପାକିସ୍ତାନର ଅନେକ ଆକ୍ରମଣକୁ ବିଫଳ କରିଥିଲା ଏବଂ ଭାରତୀୟ ସାମରିକ ଶକ୍ତିର ପ୍ରତୀକ ପାଲଟିଥିଲା । ଖାଲି ସେତିକି ନୁହଁ ଇଏ ହେଉଛି ସେହି ବିମାନ ଯାହା ସାହାର୍ଯ୍ୟରେ ପାକିସ୍ତାନୀ ଏଫ-୧୬ ଯୁଦ୍ଧ ବିମାନକୁ ଖସାଇ ଦେଇଥିଲେ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ ।
ଭାରତୀୟ ବାୟୁସେନା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ଭିଡିଓ ସେୟାର କରିଛି ଯାହା ମିଗ୍-୨୧ର ଗୌରବମୟ ଯାତ୍ରାକୁ ଦର୍ଶାଉଛି । ଏହି ଭିଡିଓରେ ପୁରୁଣା ଫୁଟେଜ୍, ଯୁଦ୍ଧ ଅଭ୍ୟାସ ଏବଂ ମିଶନର ଝଲକ ଏବଂ ପାଇଲଟମାନଙ୍କ ଭାବନା ରେକର୍ଡ କରାଯାଇଛି । ବାୟୁସେନା ଏହି ଐତିହାସିକ ଅବସରରେ ମିଗ୍-୨୧ ସହିତ ଜଡିତ ପାଇଲଟମାନଙ୍କୁ ମଧ୍ୟ ନିମନ୍ତ୍ରଣ କରିଛି ଯାହାଦ୍ୱାରା ସେମାନେ ଏହି ମୁହୂର୍ତ୍ତର ସାକ୍ଷୀ ହୋଇପାରିବେ । ଏହି ବିଦାୟ ସମାରୋହରେ ସେନା ପକ୍ଷରୁ ଏକ ସ୍ୱତନ୍ତ୍ର ଯୁଦ୍ଧ ଅଭ୍ୟାସ ମଧ୍ୟ ଆୟୋଜନ କରାଯିବାର କାର୍ଯ୍ୟକ୍ରମ ରହିଛି । ଯେଉଁଥିରେ ମିଗ୍-୨୧ର ଯୁଦ୍ଧ କ୍ଷମତା ପ୍ରଦର୍ଶିତ ହେବ । ଏହାର ଶେଷ ଉଡାଣ ପରେ ମିଗ୍-୨୧ର ସ୍କ୍ୱାଡ୍ରନର ଚାବି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ହସ୍ତାନ୍ତର କରାଯିବ । ଏହି ଅବସରରେ ବାୟୁସେନା ମୁଖ୍ୟ ମାର୍ଶାଲ ଏପି ସିଂହ ମଧ୍ୟ ଉପସ୍ଥିତ ରହିବେ ।
ମିଗ୍-୨୧ର ଅବସର ପରେ, ଏହା ସ୍ଥାନରେ ଭାରତରେ ବିକଶିତ ସ୍ୱଦେଶୀ ଲଢୁଆ ବିମାନ ତେଜସ୍ ମାର୍କ ୧-ଏ ଯୋଗ ଦେବ । ଏହି ଲଢୁଆ ବିମାନ ୪.୫ ପିଢ଼ିର ଏବଂ ଏଥିରେ ଆଧୁନିକ କ୍ଷେପଣାସ୍ତ୍ର ଏବଂ ରାଡାର ପ୍ରଯୁକ୍ତିବିଦ୍ୟା ସଜ୍ଜିତ । ଏହାକୁ ବିଶ୍ୱର ସବୁଠାରୁ ହାଲୁକା ଲଢୁଆ ବିମାନ ଭାବରେ ବିବେଚନା କରାଯାଏ ଏବଂ ଏହା ଖୁବ୍ ଶୀଘ୍ର ବାୟୁସେନାର ଏକ ଅଂଶ ହେବାକୁ ଯାଉଛି ।
Comments are closed.