Latest Odisha News

BREAKING NEWS

ପାକିସ୍ତାନ ସେନାର ବ୍ୟବସାୟ ସାମ୍ରାଜ୍ୟ

ନୂଆଦିଲ୍ଲୀ: ବର୍ଷ ବର୍ଷ ଧରି ଆର୍ଥିକ ସଂକଟର ସାମନା କରୁଛି ପାକିସ୍ତାନ। ବିଦେଶୀ ଋଣ ଭାରରେ ଭାରାକ୍ରାନ୍ତ ଦେଶ, ଅଟା, ଡାଲି କିଣିବାକୁ ସଂଘର୍ଷ କରୁଛନ୍ତି ଜନତା। ହେଲେ ଆଲିସାନ ବଙ୍ଗଲାରେ ରହୁଛନ୍ତି ପାକିସ୍ତାନ ସେନା ଜେନେରାଲ । ସେନାର କୋଟି କୋଟି ଡଲାରର ବ୍ୟବସାୟିକ ସାମ୍ରାଜ୍ୟର ଦେଖାରଖା କରୁଛନ୍ତି । ଏଥିରୁ ସ୍ପଷ୍ଟ ବୁଝାପଡୁଛି, ପାକିସ୍ତାନ ସେନା ଦେଶର ସୁରକ୍ଷାରେ କମ୍ ସୁନିୟୋଜିତ ମାଫିଆ ସିଣ୍ଡିକେଟ୍ ଭାବରେ ବେଶୀ କାମ କରୁଛି । ସେନାର ଜେନେରାଲ୍ ବିଦେଶରେ ଜାଗା କିଣିବାକୁ ବେଶୀ ଆଗ୍ରହ ଦେଖାଉଛନ୍ତି । ଯାହାଦ୍ବାରା ଅବସର ନେବା ପରେ ପାକିସ୍ତାନୀ ସେନାର ଶୀର୍ଷ ଅଧିକାରୀ ବିଦେଶରେ ଯାଇ ଆରାମରେ ରହିପାରିବେ ।

ପାକିସ୍ତାନୀ ସେନା ପାଖରେ ବଡ଼ ବଜେଟ୍

୨୦୨୪-୨୫ ବର୍ଷରେ ପାକିସ୍ତାନର ପ୍ରତିରକ୍ଷା ବଜେଟ୍ ଥିଲା ୭.୬୪ବିଲିୟନ ଡଲାର । ପାକିସ୍ତାନ ସରକାର ସେତେବେଳେ ସ୍ବାସ୍ଥ୍ୟ, ଶିକ୍ଷା ଓ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଖର୍ଚ୍ଚ କାଟ୍ କରୁଥିବା ବେଳେ ପ୍ରତିରକ୍ଷା ବଜେଟରେ କିନ୍ତୁ ହାତ ମାରିନଥିଲେ । ବଜେଟର ଏକ ବଡ଼ ଅଂଶ କର୍ମଚାରୀ ସଂପର୍କିତ ବ୍ୟୟ ପାଇଁ ରଖାଯାଏ। ଏଥିରେ ସେନା କର୍ମଚାରୀଙ୍କ ଦରମା, ଆଜୀବନ ପେନସନ୍ ଭଳି ଖର୍ଚ୍ଚ ସାମିଲ ରହିଥାଏ । ପାକିସ୍ତାନୀ ଅର୍ଥବ୍ୟବସ୍ଥାରେ ଯେତେ ସମସ୍ୟା ଆସିଲେ ବି ପ୍ରତିରକ୍ଷା ଖର୍ଚ୍ଚ କାଟ୍ କରାଯାଏନି। ଦେଶ ଋଣ ଭାରରେ ଅସ୍ତବ୍ୟସ୍ତ ହେଲେ ବି ପାକିସ୍ତାନୀ ଜେନେରାଲ ନିଜ ଜୀବନଶୈଳୀରେ ପରିବର୍ତ୍ତନ କରନ୍ତିନି ।

ପାକ୍ ସେନାର ରିୟଲ ଇଷ୍ଟେଟ୍ ରାକେଟ୍

ପାକିସ୍ତାନ ସେନା ବର୍ଷ ବର୍ଷ ଧରି ନିଜ ଅବସରପ୍ରାପ୍ତ କର୍ମଚାରୀଙ୍କ ପାଇଁ କଲ୍ୟାଣକାରୀ ଯୋଜନା ଆଳରେ ବିଶାଳ ରିୟଲ ଇଷ୍ଟେଟ୍ ସାମ୍ରାଜ୍ୟ ବନାଇଛି । ସେନା ଅଧିକାରୀଙ୍କୁ ଟୋକନ ମୂଲ୍ୟରେ ଜାଗା ମିଳେ, ଯାହାକୁ ସେମାନେ ମୁନାଫା ସହ ଅନ୍ୟମାନଙ୍କୁ ବିକ୍ରି କରନ୍ତି । କେତେକ ସ୍ଥଳରେ ସେନା କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ ଯୋଜନାରେ ପୂରା ଟାଉନସିପ୍ ବିକଶିତ କରାଯାଇଛି । କେମିତି ସେନାର ଉଚ୍ଚପଦସ୍ଥ ଅଧିକାରୀ ସଂପତ୍ତି ଡିଲିଂକୁ ନିଜର ସାଇଡ୍ ବିଜନେସ ବନାଇଛନ୍ତି ତାର ବଡ଼ ଉଦାହରଣ ହେଉଛି ଡିଏଚଏ ଭ୍ୟାଲି ଇସାଲାମାବାଦ ଘୋଟାଲା । ଏହାସହ ଅବସରପ୍ରାପ୍ତ ଜେନେରାଲଙ୍କୁ ହଜାର ହଜାର ଏକର ଚାଷ ଜମି ଉପହାର ଦିଆଯାଏ । ୨୦୨୨ରେ କ୍ରେଡିଟ୍ ସୁଇସ ବ୍ୟାଙ୍କର ଏକ ଲିକ୍ ରିପୋର୍ଟ ଅନୁସାରେ, ପୂର୍ବ ସେନା ମୁଖ୍ୟ ଜେନରାଲ ରାହିଲ ସରିଫଙ୍କୁ ଅବସର ପରେ ଲାହୋରରେ ଶହେ ଏକର ଚାଷ ଜମି ଦିଆଯାଇଥିଲା ।

ସେନାର ବ୍ୟବସାୟ ସାମ୍ରାଜ୍ୟ

ପାକିସ୍ତାନୀ ସେନା ମିଲବସ୍ ବା ସୈନ୍ୟ ବ୍ୟବସାୟ ଭାବେ ଜଣାଶୁଣା ଏକ ବିଶାଳ ବ୍ୟବସାୟିକ ସାମ୍ରାଜ୍ୟକୁ ଚଲାଏ । ଫୌଜି ଫାଉଣ୍ଡେସନ୍, ଶାହିନ ଫାଉଣ୍ଡେସନ୍ ଓ ଆର୍ମି ଓ୍ବେଲଫେୟାର ଟ୍ରଷ୍ଟ ଭଳି ସଂସ୍ଥା ସିମେଣ୍ଟରୁ ବ୍ୟାଙ୍କିଂ ବିଭିନ୍ନ ଉଦ୍ୟୋଗରେ କାମ କରେ । ବିଲିୟନ ବିଲିୟନ ଡଲାରର ଏସବୁ ଉଦ୍ୟୋଗକୁ ଟ୍ୟାକ୍ସ ଛାଡ ସୁବିଧା ବି ମିଳେ । ସେନା ଏଠାରେ ମାଫିଆଙ୍କ ଭଳି କାମ କରେ । ଆଉ ସେଥିପାଇଁ ଅବସରପ୍ରାପ୍ତ ସେନା ଅଧିକାରୀ ଏସବୁ ଫାର୍ମର ବୋର୍ଡ ସଦସ୍ୟ ରୁହନ୍ତି । ୨୦୨୧ରେ ପାଣ୍ଡୋରା ପେପର୍ସ ଲିକରେ ଅନେକ ଉଚ୍ଚପଦସ୍ତ ସେନା ଅଧିକାରୀଙ୍କର ଲଣ୍ଡନ ଓ ଦୁବାଇରେ ଆଲିସାନ ସଂପତି ସହ ବିଦେଶରେ କୋଟି କୋଟି ଟଙ୍କାର ବ୍ୟବସାୟ ରହିଥିବା ସାମନାକୁ ଆସିଥିଲା ।

ପାକିସ୍ତାନରେ ସେନାର ସମାନ୍ତର ସରକାର ଚାଲିଥିବା ବି କୁହାଯାଏ । ସେନା ରାଷ୍ଟ୍ରୀୟ ସୁରକ୍ଷା, ବିଦେଶ ନୀତି ଓ ଆବଶ୍ୟକସ୍ଥଳେ ସରକାରଙ୍କୁ ନିୟନ୍ତ୍ରଣ କରେ । ସେଥିପାଇଁ କୁହାଯାଏ, ପାକିସ୍ତାନରେ ସେନାର ଆଶୀର୍ବାଦ ବିନା କୌଣସି ପ୍ରଧାନମନ୍ତ୍ରୀ ଅଧିକ ଦିନ ପଦରେ ରହି ପାରନ୍ତିନି । ସେହିପରି ସେନାର ଦୁର୍ନୀତି ସଂପର୍କରେ ସ୍ବର ଉଠାଇଲେ ଅପହରଣ, ଧମକର ସାମନା କରିବାକୁ ପଡେ । ସେନାର ବ୍ୟାବସାୟିକ ଲେଣ ଦେଣ ଉପରେ ପ୍ରଶ୍ନ ଉଠାଇଲେ ଗଣମାଧ୍ୟମକୁ ଏହାର ପରିଣାମ ଭୋଗିବାକୁ ପଡେ । କାରଣ ପାକିସ୍ତାନୀ ସେନା ଏତେ ଶକ୍ତିଶାଳୀ ଯେ, ତାକୁ ପ୍ରଶ୍ନ କରାଯାଇ ପାରିବନି ।

Comments are closed.