ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାରେ ଖୋଲିଲା ପ୍ରଥମ ମିଲେଟ୍ ଶକ୍ତି ଟିଫିନ୍ ସେଣ୍ଟର । ଓଡ଼ିଶା ପୁଷ୍ଟିଶସ୍ୟ ମିଶନ ଏବଂ ମିଶନଶକ୍ତି ବିଭାଗ ଆନୁକୂଲ୍ୟରେ ରାଜଗାଙ୍ଗପୁରରେ ଏହି ଟିଫିନ୍ ସେଣ୍ଟର ଖୋଲିଛି । ସ୍ଥାନୀୟ ଡାକୁୱା ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ଏହାର ପରିଚାଳନା ଦାୟିତ୍ବ ଦିଆଯାଇଛି । ମିଶନଶକ୍ତି ମା’ମାନେ ପୁଷ୍ଟିଶସ୍ୟରୁ ବିଭିନ୍ନ ସୁଆଦିଆ ଖାଦ୍ୟ ପ୍ରସ୍ତୁତ କରିବା ସହ ଏହାକୁ ବିକ୍ରି କରି ଭଲ ଦି’ ପଇସା ରୋଜଗାର କରିପାରିବେ ।
ମିଲେଟ୍ ଶକ୍ତି ଟିଫିନ୍ ସେଣ୍ଟର ଖୋଲିବା ଅବସରରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ପୁଷ୍ଟିଶସ୍ୟରୁ ଇଡଲି, ବରା, ପକଡ଼ି, ପୁରୀ, ଗୁଲାବ ଜାମୁନ୍, ଖିରି ଆଦି ଖାଦ୍ୟ ପ୍ରସ୍ତୁତ କରିଥିଲେ । ଏହି ଖାଦ୍ୟକୁ ସ୍ଥାନୀୟ ଜନସାଧାରଣ ଏବଂ ଉପସ୍ଥିତ ଅତିଥିମାନ ବେଶ୍ ପ୍ରଶଂସା କରିଥିଲେ । ରାଜଗାଙ୍ଗପୁର ଭଳି ଜିଲ୍ଲାର ବିଭିନ୍ନ ସ୍ଥାନରେ ୮୧ଟି ମିଲେଟ୍ ଶକ୍ତି ଟିଫିନ୍ ସେଣ୍ଟର ଏବଂ ମିଲେଟ୍ ଆଉଟଲେଟ୍ ଖୋଲିବାକୁ ପ୍ରଶାସନ ଲକ୍ଷ୍ୟ ରଖିଛି । ଏହାର ପରିଚାଳନା ପାଇଁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ତାଲିମ୍ ଦିଆଯାଉଛି ।
ଅନେକ ଛାତ୍ରଛାତ୍ରୀ, ଯୁବପୀଢ଼ି, ଶ୍ରମଜୀବୀମାନେ ଜଳଖିଆ ପାଇଁ ବିଭିନ୍ନ ଦୋକାନ ଉପରେ ନିର୍ଭର କରୁଥିଲେ । ଏବେ ସେମାନଙ୍କ ପାଇଁ ମିଲେଟ୍ ଶକ୍ତି ଟିଫିନ ସେଣ୍ଟର ବିଶେଷ ସହାୟକ ହେବ । କାରଣ ସେମାନେ, ଏହି କେନ୍ଦ୍ରରୁ ମାଣ୍ଡିଆ ଏବଂ ଅନ୍ୟାନ୍ୟ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ପୁଷ୍ଟିକର ତଥା ରୁଚିକର ଜଳଖିଆ ପାଇପାରିବେ । ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ହେଉଥିବା ଖାଦ୍ୟର ଚାହିଦା ବଢ଼ିବାରେ ଲାଗିଛି । ଏହିସବୁ ଖାଦ୍ୟକୁ ଲୋକପ୍ରିୟ କରିବା ପାଇଁ ଏବଂ ପୁଷ୍ଟିକର ଗୁଣ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ଲାଗି ଟିଫିନ୍ ସେଣ୍ଟ ଖୋଲାଯାଉଛି । ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏଭଳି ସେଣ୍ଟର ଖୋଲାଯିବ । ରାଉରକେଲାରେ ଏକ ମିଲେଟ୍ କାଫେ ଖୋଲିବାକୁ ଯୋଜନା ରହିଛି ।
ଓଡ଼ିଶା ପୁଷ୍ଟିଶସ୍ୟ ମିଶନ ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାର ସର୍ବାଧିକ ୧୧ଟି ବ୍ଲକରେ ବର୍ତ୍ତମାନ ମାଣ୍ଡିଆ ସହିତ ବିଭିନ୍ନ ପୁଷ୍ଟିଶସ୍ୟ ଚାଷ କରାଯାଉଛି । ଚଳିତ ବର୍ଷ ୫,୨୩୦ ହେକ୍ଟର ଜମିରେ ୧୬ ହଜାରରୁ ଅଧିକ ଚାଷୀ ପୁଷ୍ଟିଶସ୍ୟ ଚାଷ କରିଛନ୍ତି । ଏବର୍ଷ ୨୪ ହଜାର ୬୦୦ କୁଇଣ୍ଟାଲ ପୁଷ୍ଟିଶସ୍ୟ ଅମଳ କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ମାଣ୍ଡିଆ ସହିତ ବିଭିନ୍ନ ପୁଷ୍ଟିଶସ୍ୟରେ ପ୍ରଚୁର ପୋଷଣ ଶକ୍ତି ରହିଛି । ତେଣୁ ଏହି ପୁଷ୍ଟିଶସ୍ୟକୁ ଚାଷଜମିରୁ ଲୋକଙ୍କ ଖାଦ୍ୟ ଥାଳି ପର୍ଯ୍ୟନ୍ତ ନେବା ପାଇଁ ଓଡ଼ିଶା ପୁଷ୍ଟିଶସ୍ୟ ମିଶନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ୭ଟି ବ୍ଲକରେ ପୁଷ୍ଟିଶସ୍ୟ ଚାଷ ସହିତ ବିଭିନ୍ନ ସ୍ଥାନରେ ମିଲେଟ୍ ଶକ୍ତି ଟିଫିନ୍ ସେଣ୍ଟର ପାଇଁ ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଆର୍ଥିକ ସହାୟତା ଯୋଗାଇ ଦେଉଛି । ରାଜଗାଙ୍ଗପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ଓ୍ବାସନ ଆଞ୍ଚଳିକ ଅଧିକାରୀ ରମଣୀ ରଞ୍ଜନ ନାୟକ, ଝାଡ଼ଖଣ୍ଡ ରାଜ୍ୟ ଜୀବିକା ପ୍ରକଳ୍ପ ଅଧିକାରୀ ଶୁଭକାନ୍ତ ନାୟକ, ବ୍ଲକ କୃଷି ଅଧିକାରୀ ହେମନ୍ତ କୁମାର ଜେନା, ବ୍ଲକ ଉପ କୃଷି ଅଧିକାରୀ ଆଶିଷ ଦାସ, ଓଡ଼ିଶା ପୁଷ୍ଟିଶସ୍ୟ ମିଶନର ଜିଲ୍ଲା ସଂଯୋଜକ ପ୍ରଣମେଶ କର ପ୍ରମୁଖ ଉପସ୍ଥିତ ଥିଲେ ।
Comments are closed.