Latest Odisha News

‘ଲୋକଙ୍କ ସରକାର’ରେ ବଦଳିନି ପୋଲିସର ମାନସିକତା, ଚାନ୍ଦବାଲି ଘଟଣାରେ କାହିଁକି ଚୁପ୍?

ଭୁବନେଶ୍ୱର: ଭଦ୍ରକ ଚାନ୍ଦବାଲି ଥାନା ପରିସରରେ ମହିଳା ଏବଂ ତାଙ୍କ ନାବାଳିକାକୁ ପୋଲିସ ଯେଉଁଭଳି ଭାବେ ମାଡ଼ ମାରିବା ସହ ନିର୍ଯାତନା ଦେଇଛି ତାହା ଏବେ ପୋଲିସର ଦାଦାଗିରିକୁ ଦର୍ଶାଇଛି। ନିଜେ ବିଧାୟକ ଥିବା ବେଳେ ମୋହନ ମାଝୀ ମଧ୍ୟ ପୋଲିସର ଏଭଳି ବ୍ୟବହାରର ଶିକାର ହୋଇଥିଲେ। ତେଣୁ ନିଜେ ସରକାରର ମୁଖିଆ ହେବା ପରେ ପୋଲିସ ଡିଜିଙ୍କୁ କହିଥିଲେ, ପୋଲିସ ଲୋକଙ୍କୁ ଉଚିତ ବ୍ୟବହାର ଦେଖାଇବା ଆବଶ୍ୟକ। ଏ ସରକାର ଲୋକଙ୍କ ସରକାର ବୋଲି କହିଛନ୍ତି। ଏହାରି ଭିତରେ କିନ୍ତୁ ଚାନ୍ଦବାଲି ଥାନା ଭିତରର ଘଟଣା ପୋଲିସର ମାନସିକତା ଉପରେ ପ୍ରଶ୍ନ ଉଠାଇଛି।

ଭିଡିଓରେ ଦେଖିବାକୁ ମିଳୁଛି ଯେ ମହିଳା ଜଣକ ତାଙ୍କୁ ସୁରକ୍ଷା ଦେବା ପାଇଁ ବହୁ ଚେଷ୍ଟା କରୁଥିବା ବେଳେ ୪ ଜଣ ବ୍ୟକ୍ତି ତାଙ୍କୁ ଉଭୟ ଗୋଡ଼ ଓ ହାତରେ ଧରି ଥାନା ପରିସରରୁ ଟେକି ଟେକି ନେଇଯାଉଛନ୍ତି। ତାଙ୍କ ପୋଷାକ ଖସି ଯାଉଛି କିନ୍ତୁ ଚାରିଜଣ ତାଙ୍କୁ ତାଙ୍କ ଶରୀରକୁ ଧରି ଥାନା ବାହାରେ ଫିଙ୍ଗି ଦେଉଛନ୍ତି।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲୋକଙ୍କୁ ଗୁଣାତ୍ମକ ସେବା ଯୋଗାଇ ଦେବାକୁ ରାଜ୍ୟ ପୁଲିସକୁ ନିର୍ଦ୍ଦେଶ ଦେବାର କିଛି ଦିନ ପରେ ଏହି ଆଶ୍ଚର୍ଯ୍ୟଜନକ ଭିଡିଓ ଭାଇରାଲ୍ ହୋଇଛି।

ଭାଇରାଲ ଭିଡିଓକୁ ଏପର୍ଯ୍ୟନ୍ତ ଯାଞ୍ଚ କରାଯାଇନାହିଁ। ଏ ନେଇ ଚାନ୍ଦବାଲି ଏସଡିପିଓ କାର୍ତ୍ତିକ ଚନ୍ଦ୍ର ମଲ୍ଲିକଙ୍କୁ ପଚାରିବାରୁ ସେ କହିଛନ୍ତି, ଆମ ନଜରକୁ ଏକ ଭିଡିଓ ଆସିଛି। କାହିଁକି ଏଭଳି ଭିଡିଓ ରେକର୍ଡ କରାଯାଇଛି ଏବଂ କେଉଁ ପରିସ୍ଥିତିରେ ଏହି ଘଟଣା ଘଟିଛି ସେ ନେଇ ତଦନ୍ତ ଚାଲିଛି। ତଦନ୍ତ ରିପୋର୍ଟ ଆଧାରରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏପରି କହି ନିଜ ସହଯୋଗୀଙ୍କ ଉପରେ ଆସିଥିବା ଅଭିଯୋଗକୁ ସୁରକ୍ଷା ଦେଉଥିବା ଅଭିଯୋଗ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ ନିର୍ଯାତନାର ଶିକାରର ମହିଳାଙ୍କ ସ୍ବାମୀ ଥାନାରେ ଅଟକ ଅଛନ୍ତି। ତାଙ୍କୁ ନେବା ପାଇଁ ଆସି ଥାନା ଆଗରେ ପ୍ରତିବାଦ କରୁଛନ୍ତି ମହିଳା ଜଣଙ୍କ। ଏହି ସମୟରେ ଛୋଟ ଝିଅଟି ଖେଳୁଥିବା ବେଳେ ଏକ ଜୋତା ଖୋଳକୁ ଥାନା ପରିସରକୁ ଫିଙ୍ଗିଦେଇଥିଲା। ଏହାପରେ ଥାନାରେ ଥିବା ଏସଆଇ ଏବଂ ତାଙ୍କ ସହଯୋଗୀ ଉଭୟ ମା ଏବଂ ଝିଅଙ୍କୁ ମାଡ଼ ମାରିଥିଲେ। ବଡ଼କଥା ହେଲେ ଛୋଟ ଛୁଆଟିର ଏପରି କାମ ପାଇଁ କଣ ଏହିଭଳି ଦଣ୍ଡ? ଯେତେବେଳେ ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲୋକଙ୍କୁ ଉଚିତ ବ୍ୟବହାର ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏପରି ସ୍ଥିତିରେ ପୋଲିସର ଏହି ଆଚରଣ ସାମ୍ନାକୁ ଆସିଛି। ଅନ୍ୟପଟେ ଏହି ଘଟଣାକୁ ନେଇ ଗଣମାଧ୍ଯମ ଏବଂ ସୋଶିଆଲ ମିଡିଆରେ ବିତର୍କ ଚାଲିଥିବା ବେଳେ ପୋଲିସ ବିଭାଗ ନିରବ ରହିଛି।

Leave A Reply

Your email address will not be published.