Latest Odisha News

BREAKING NEWS

ବିକାଶର ଏକମାତ୍ର ମାଧ୍ୟମ ଖଣି ନୁହେଁ; ଓଡ଼ିଶା ପରିବେଶ କଂଗ୍ରେସରେ ଉଦବେଗ

ଭୁବନେଶ୍ୱର: ଓଡିଶାରେ ଭରପୁର ଖଣିଜ ସଂପଦ ରହିଛି । କେବଳ ଖଣି ଉତୋଳନ କରି ଓଡିଶାର ବିକାଶ ହୋଇପାରିବ ବୋଲି ଯଦି ଚିନ୍ତା କରାଯାଉଥାଏ, ତେବେ ତାହା ରାଜ୍ୟ ପାଇଁ ଶୁଭଙ୍କର ନୁହେଁ ବୋଲି ଓଡିଶା ପରିବେଶ କଂଗ୍ରେସରେ ମତ ପ୍ରକାଶ ପାଇଛି ।

ଓଡିଶା ପରିବେଶ କଂଗ୍ରେସର ଦ୍ୱିତୀୟ ଦିବସରେ ଖଣି ଶିଳ୍ପସଂସ୍ଥା ମାନଙ୍କର ଦାୟିତ୍ୱବୋଧ, ନିରନ୍ତର ଖଣି ଏବଂ ଖଣି ଜନିତ ସାମାଜିକ ଓ ଅର୍ଥନୈତିକ କ୍ଷତିର କିଭଳି ଭରଣା କରାଯାଇପାରିବ, ସେସଂପର୍କରେ ଦିବସବ୍ୟାପୀ ଆଲୋଚନାରେ ବିଭିନ୍ନ କ୍ଷେତ୍ରରୁ ଆସିଥିବା ବିଶେଷଜ୍ଞମାନେ ପରିବେଶ ଉପରେ ଖଣିର ପ୍ରଭାବକୁ ନେଇ ଗଭୀର ଉଦବେଗ ପ୍ରକାଶ କରିଥିଲେ ।

ଖଣି ଉତୋଳନ କରୁଥିବା ଶିଳ୍ପସଂସ୍ଥାମାନେ ଖଣିରୁ ଯେଉଁ ଅନୁପାତରେ ଲାଭବାନ ହେଉଛନ୍ତି, ସେହି ହାରରେ ନିଜ ଦାୟିତ୍ୱ ତୁଲାଉ ନାହାନ୍ତି । ଖଣି ଜନିତ ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ କରିବା କ୍ଷେତ୍ରରେ ହେଉ ଅବା ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ, ଶିଳ୍ପସଂସ୍ଥାମାନଙ୍କର ଗୁରୁତ୍ୱପୂର୍ଣ୍ଣ
ଦାୟିତ୍ୱବୋଧ ରହିଛି । ଖଣି ଲାଇସେନ୍ସ ମିଳିଗଲେ କେବଳ ନିଜ ଲାଭ ପାଇଁ କାର୍ଯ୍ୟ ନ କରି ସ୍ଥାନୀୟ ଅଂଚଳର ଉନ୍ନତି, ପ୍ରଭାବିତ ବାସିନ୍ଦାଙ୍କ ଜୀବନ ଧାରଣ ଓ ଉପାର୍ଜନ ବ୍ୟବସ୍ଥା ପ୍ରତି ଧ୍ୟାନ ଦେବା ସଙ୍ଗେ ସଙ୍ଗେ ପରିବେଶ ସୁରକ୍ଷା ପ୍ରତି ଯତ୍ନବାନ ହେବାର ଆବଶ୍ୟକ ରହିଛି ବୋଲି ବକ୍ତାମାନେ
କହିଥିଲେ । ଖଣି ପାଇଁ ଲକ୍ଷ ଲକ୍ଷ ଗଛ କଟାଯାଉଥିବା ବେଳେ କାଂପା ପାଣ୍ଠିର ସଠିକ ବିନିଯୋଗ ହୋଇପାରୁ ନଥିବାରୁ ଅଧିବେସନରେ ଉଦବେଗ ପ୍ରକାଶ ପାଇଥିଲା ।

ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ତଥା ଏସଆରସି ପ୍ରଦୀପ ଜେନା କହିଥିଲେ, ଖଣି ଶିଳ୍ପ ସେମାନଙ୍କ ଦାୟିତ୍ୱବୋଧକୁ ସମ୍ମାନ ଦେଖାଇବା ଉଚିତ । ସରକାରୀ ନୀତି ନିୟମକୁ ନିଷ୍ଠାର ସହ କାର୍ଯ୍ୟକାରୀ କରିବା ଉଚିତ । ସରକାର କହିଛନ୍ତି ବୋଲି ଉପର ଠାଉରିଆ
ଭାବେ ସିଆରଏସ ପାଣ୍ଠି ବିନିଯୋଗର ତଥ୍ୟ ନ ଦେଖାଇ ଆନ୍ତରିକତା ପ୍ରଦର୍ଶନ କରିବା ଆବଶ୍ୟକ । ଯେଉଁସବୁ ସ୍ଥାନରେ ଖଣି ରହିଛି, ସେଇଠି ଜଙ୍ଗଲ ଓ ଆଦିବାସୀମାନେ ବସବାସ କରୁଛନ୍ତି । ତେଣୁ  ଖଣି ଉତୋଳନ ହେଲେ ସେ ଅଂଚଳର ପରିବେଶ ଦୂଷିତ ହେବା ସହ ସାମାଜିକ ଓ ଅର୍ଥନୀତି ଉପରେ ଭୟଙ୍କର ପ୍ରଭାବ ପଡିଥାଏ ।

ପ୍ରକୃତି ଉପରେ ନିର୍ଭର କରୁଥିବା ଲୋକଙ୍କ ଜୀବନଧାରଣ ବ୍ୟବସ୍ଥା କ୍ଷତିଗ୍ରସ୍ତ ହୋଇଥାଏ । ତା ସତ୍ୱେ ଆମ ରାଜ୍ୟରେ ଖଣି ବଢିଛି, ପ୍ରଭାବିତ ଲୋକଙ୍କ ଗରିବୀ ମଧ୍ୟ ବଢିଛି । ଏସବୁ ଦିଗକୁ ଦୃଷ୍ଟିରେ ରଖି ଶିଳ୍ପସଂସ୍ଥାମାନେ ସ୍ୱତଃସ୍ଫୁର୍ତ ଭାବେ ନିଜ ଦାୟିତ୍ୱବୋଧ ପ୍ରତି
ସଚେତନ ରହିବା ଆବଶ୍ୟକ ।

ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ତଥା ହିନ୍ଦୁସ୍ଥାନ ଟାଇମ୍ସର ପୂର୍ବତନ ସଂପାଦକ ରାଜେଶ ମହାପାତ୍ର, ଓଏମସିର ବରିଷ୍ଠ ଅଧିକାରୀ ରାମନାଥ ପ୍ରହରାଜ, ଭେଲର ପୂର୍ବତନ ଜିଏମ ଇଂ. ଋବିନାରାୟଣ ଷଡଙ୍ଗୀ, ବରିଷ୍ଠ ସାମ୍ବାଦିକ ସନ୍ଦୀପ ମିଶ୍ର ପ୍ରମୁଖ ଓଡିଶାରେ ଖଣି ଜନିତ ସମସ୍ୟା ଉପରେ ଆଲୋକପାତ କରିଥିଲେ । ଅଧିକାଁଶ ସ୍ଥାନରେ ଖଣି ଉତୋଳନ ପରେ ତାହା କିପରି ସ୍ଥାନୀୟ ଲୋକଙ୍କ ପାଇଁ ସାଂଘାତିକ ସମସ୍ୟା ସୃଷ୍ଟି କରେ ଏବଂ ଦୁର୍ଘଟଣା ଘଟି ଲୋକେ ମୃତ୍ୟୁ ମୁଖରେ ପଡନ୍ତି, ସେସଂପର୍କରେ ବକ୍ତବ୍ୟ ରଖିଥିଲେ ।

ରାଜ୍ୟର ବିଭିନ୍ନ ଖଣି ପ୍ରଭାବିତ ଅଂଚଳରୁ ଆସିଥିବା ପ୍ରତିନିଧିମାନେ କଂପାନୀମାନଙ୍କୁ ଖଣି ଦେବାବେଳେ ଯେଉଁ ସର୍ତ ରହୁଛି, ତାହା କାହିଁକି ପାଳନ ହେଉନାହିଁ ବୋଲି ପ୍ରଶ୍ନ କରିଥିଲେ । ଖଣି ପ୍ରଭାବିତ ଅଂଚଳରେ ଭୟଙ୍କର ଭାବେ ବାୟୁ ଓ ଜଳ ପ୍ରଦୂଷଣ ହେବା ଯୋଗୁ ଲୋକେ ରୋଗାକ୍ରାନ୍ତ ହେଉଛନ୍ତି ବୋଲି କହିଥିଲେ ।

ଓୟୁଏଟିର ପୂର୍ବତନ କୁଳପତି ଡକ୍ଟର ଡି. ପି. ରୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପଂଚମ ବୈଷୟିକ ଅଧିବେସନରେ ନିରନ୍ତର ଖଣି ପ୍ରସଙ୍ଗକୁ ନେଇ ବିଭିନ୍ନ କ୍ଷେତ୍ରରୁ ଆସିଥିବା ବିଶେଷଜ୍ଞମାନେ ସେମାନଙ୍କ ବକ୍ତବ୍ୟ ରଖିଥିଲେ । ଯେଉଁଭଳି ଭାବେ ବିକାଶ ନାଁରେ ରାଜ୍ୟରେ ଖଣି ଉତୋଳନ ଚାଲିଛି, ତାହା ଭବିଷ୍ୟତ ପୀଢି ପାଇଁ ଭୟଙ୍କର ପରିସ୍ଥିତି ସୃଷ୍ଟି କରିବ ବୋଲି ବକ୍ତାମାନେ କହିଥିଲେ । ଆବଶ୍ୟକ ଠାରୁ ଅଧିକ ଖଣି ଉତୋଳନ ହେବା ଯୋଗୁ ଗୋଟିଏ ପଟେ ଖଣିଜ ସଂପଦ ସରି ସରି ଆସୁଥିବା ବେଳେ ଅନ୍ୟପଟରେ ଖଣିରୁ ବାହାରୁଥିବା ବର୍ଜ୍ୟପଦାର୍ଥ ସମସ୍ତଙ୍କ ପାଇଁ ବିପଦର କାରଣ ହୋଇଛି । ତେଣୁ ଏହାକୁ ନଜରରେ ରଖି ଖଣିଜ ସଂପଦର ବିନିଯୋଗ କରିବା ଉପରେ ବକ୍ତାମାନେ ଗୁରୁତ୍ୱ ଦେଇଥିଲେ ।

ଏହି ଅଧିବେସନରେ ଏନଟିପିସିର ସୀତାରାମ ମାଝୀ, ଦିଗଦର୍ଶକ ଚାରୁଦତ ପାଣିଗ୍ରାହୀ, ଟାଟାଷ୍ଟିଲର ଭି.ଏନ. ଦେଶପାଣ୍ଡେ, ଆଇଏମଏମଟିର ଡକ୍ଟର ଏନ. କେ. ଧଳ, ସେଲ୍ ର ଜି. ଏସ. ଖୁଂଟିଆ, ରାଉରକେଲା ନିଟ୍ ର ସୁଚରିତା ପଟେଲ ଏବଂ ସେଂଚୁରିଅନ ୟୁନିଭରସିଟିର ପ୍ରଫେସର କପିଳେଶ୍ୱର ମିଶ୍ର ନିରାପଦ ଖଣି ଉତୋଳନ ଉପରେ ତଥ୍ୟଭିତିକ ବକ୍ତବ୍ୟ ପ୍ରଦାନ କରିଥିଲେ ।

ଅପରାହ୍ନ ଅଧିବେସନରେ ଖଣିଜନିତ ସାମାଜିକ ଓ ଅର୍ଥନୈତିକ କ୍ଷତିର ଭରଣା କିଭଳି ଖଣି ଶିଳ୍ପରୁ କରାଯାଇପାରିବ, ସେସଂପର୍କରେ ବିଶେଷଜ୍ଞମାନେ ଆଲୋଚନା କରିଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗ ପ୍ରଫେସର ମିତାଲୀ ଚିନ୍ନାରା ଓ ନିଶ୍ୱାସ ସଂଗଠନର ପି. କେ. ସାହୁ
ଖଣି ଜନିତ କ୍ଷତିର ଭରଣା ପାଇଁ ଯେତିକି ପଦକ୍ଷେପ ନିଆଯାଉଛି, ତାହା ଯଥେଷ୍ଟ ନୁହେଁ ବୋଲି ମତ ପ୍ରକାଶ କରିଥିଲେ ।

Leave A Reply

Your email address will not be published.