Latest Odisha News

ରାଜଧାନୀବସୀଙ୍କୁ ଘର ଆଗ ସଜାଇବାକୁ ଅପିଲ୍ କଲେ ମନ୍ତ୍ରୀ

ଭୁବନେଶ୍ବର: ରାତି ପାହିଲେ ରାଜ୍ୟରେ ଆୟୋଜିତ ହେବାକୁ ଯାଉଛି ୧୭ତମ ପ୍ରବାସୀ ଭାରତୀୟ ଦିବସ । ଏଥିପାଇଁ ସଜେଇ ହୋଇଛି ରାଜଧାନୀ ଭୁବନେଶ୍ବର । ଓଡିଶାର କଳା, ସଂସ୍କୃତି, ଐତିହ୍ୟ ଏବଂ ଆଲୋକମାଳା ସହ ଝଲସୁଛି ରାଜଧାନୀ । ଏଥିସହିତ ରାଜ୍ୟ ସରକାରଙ୍କ  ପକ୍ଷରୁ ଅତିଥି ଦେବୋ ଭବ ଆଭିମୁଖ୍ୟରେ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ କରିବା ପାଇଁ ସମସ୍ତ ପ୍ରସ୍ତୁତି ବି ସରିଲାଣି । ଏହାରି ଭିତରେ ଏବେ ରାଜଧାନୀ ବାସୀଙ୍କୁ କିଛି ଅପିଲ୍ କରିଛନ୍ତି ମନ୍ତ୍ରୀ । ପ୍ରବାସୀ ଭାରତୀୟ ଭୁବନେଶ୍ବର ମୁହାଁ ହୋଇଥିବା ବେଳେ ଭୁବନେଶ୍ବର ସ୍ଥିତ ପ୍ରତିଟି ଘରକୁ ନୂଆବୋହୂ ଭଳି ସଜାଇବାକୁ ସମସ୍ତ ରାଜଧାନୀବାସୀଙ୍କୁ ଅପିଲ୍ କରିଛନ୍ତି, ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।

ଏଥିସହିତ ମନ୍ତ୍ରୀ କହିଛନ୍ତି, ଭୁବନେଶ୍ୱରରେ ପ୍ରବାସୀ ଭାରତୀୟଙ୍କୁ ସ୍ୱାଗତ ପାଇଁ ଜୋରଦାର ପ୍ରସ୍ତୁତି ଜାରି ରହିଛି । ଓଡ଼ିଶାର ଅସ୍ମିତାକୁ ଏବେ ସାରା ବିଶ୍ୱ ଦେଖିବ ବୋଲି କହିଛନ୍ତି ମନ୍ତ୍ରୀ ।

ପ୍ରଥମ ଥର ପାଇଁ ଓଡିଶାରେ ପ୍ରବାସୀ ଭାରତୀୟ ଦିବସ ପାଳନ ହେବାକୁ ଯାଉଛି । ଭୁବନେଶ୍ବର ଜନତା ମଇଦାନରେ ମେଳି ହେବେ ଦେଶ ତଥା ବିଦେଶର ପ୍ରବାସୀ । ଯାହାଙ୍କୁ ସ୍ବାଗତ ପାଇଁ ଖାଲି ଭୁବନେଶ୍ବର ନୁହେଁ ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ମଧ୍ୟ ସୁସଜ୍ଜିତ କରାଯାଇଛି । ତିନି ଦିନ ଧରି ଭୁବନେଶ୍ବର ଜନତା ମଇଦାନରେ ଏହି ସମ୍ମିଳନୀ ଚାଲିବାକୁ ଥିବା ବେଳେ ଏଥିପାଇଁ ପ୍ରସ୍ତୁତି ଶେଷ ହୋଇଛି । ଅନ୍ୟପଟେ ଭୁବନେଶ୍ବରରେ ପ୍ରବାସୀ ଭାରତୀୟ ପହଞ୍ଚିବା ଆରମ୍ଭ କଲେଣି । ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ କରିବା ପାଇଁ ଭୁବନେଶ୍ବର ବିମାନ ବନ୍ଦରରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଲୋକକଳା ଓ ନୃତ୍ୟ ମାଧ୍ୟମରେ ଭବ୍ୟ ସ୍ବାଗତ ପାଉଛନ୍ତି ପ୍ରବାସୀ ଭରତୀୟ । ଦୁବାଇ, କତାର, ଓମାନ ଭଳି ଜାଗାରୁ ଆସିଥିବା ପ୍ରବାସୀମାନେ ହାତରେ ପଦ୍ମଫୁଲ ନେଇ ପହଞ୍ଚିଛନ୍ତି । ଏହା ସହ କଳାହାଣ୍ଡିର ଘୁମୁରା ଓ ଅନ୍ୟାନ୍ୟ ଲୋକ ବାଦ୍ୟର ତାଳେ ତାଳେ ଝୁମିଛନ୍ତି ।

ସେପଟେ ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କର ମଧ୍ୟ ଭୁବନେଶ୍ବରରେ ପହଞ୍ଜି ସାରିଥିବା ବେଳେ ବର୍ତ୍ତମାନ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ପୁରୀ ଗସ୍ତରେ ରହିଛନ୍ତି । ୮ ତାରିଖ ଅର୍ଥାତ୍ ଆସନ୍ତାକାଲି ରାତିରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୯ ତାରିଖରେ ସେ ସମ୍ମିଳନୀରେ ସାମିଲ ହେବେ । ସେହିପରି ୧୦ ତାରିଖରେ ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବା ପାଇଁ ଭୁବନେଶ୍ବରରେ ପହଞ୍ଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

Leave A Reply

Your email address will not be published.