ଭୁବନେଶ୍ବର: ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ, ଓଡ଼ିଶା ସରକାରଙ୍କ ଅଧୀନରେ କାର୍ଯ୍ୟରତ ଓଡ଼ିଶା ନଲେଜ କର୍ପୋରେସନ ଲିମିଟେଡ୍ (OKCL)ର ବାର୍ଷିକ ମିଟ୍–୨୦୨୬, ତା-୨୧ ଫେବୃଆରୀ ୨୦୨୬ (ଶନିବାର) ଦିନ ଭୁବନେଶ୍ୱରର ରେଳ ଅଡିଟୋରିଅମ୍ରେ ଆୟୋଜିତ ହୋଇଥିଲା। ଏହି ଅବସରରେ ମନ୍ତ୍ରୀ ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ। ସେ ଓଡ଼ିଶାକୁ ସମ୍ପୂର୍ଣ୍ଣ ଡିଜିଟାଲ୍ ସାକ୍ଷର ରାଜ୍ୟରେ ପରିଣତ କରିବା ପାଇଁ ତାଙ୍କର ଦୃଷ୍ଟିକୋଣ ଓ ରୋଡମ୍ୟାପ ପ୍ରସ୍ତୁତ କରିଥିଲେ। ନିଜର କରକମଳରେ ଓକେସିଏଲ ଦୁଇଟି ପ୍ରୋଗ୍ରାମ( OS-ACIT, Internship Portal ) କୁ ଆନୁଷ୍ଠାନିକ ଭାବରେ ଉଦଘାଟିତ କଲେ , ଯାହାକି ଆଗାମୀ ଓଡ଼ିଶାର ଯୁବପିଢ଼ିଙ୍କୁ ଏକ ନୂତନ ଦିଗ ପାଇଁ ମାର୍ଗଦଶକ ହେବ ।
କାର୍ଯ୍ୟକ୍ରମଟି ଡ଼. ପ୍ରଦୀପ କୁମାର ରାଉତ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେଶନ ସେଣ୍ଟର (OCAC) ଏବଂ ବିଶେଷ ସଚିବ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ, ଓଡ଼ିଶା ସରକାରଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିଲା। ସେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ଏକ ହଜାରରୁ ଅଧିକ ନିର୍ଦ୍ଦେଶକ, କେନ୍ଦ୍ରମୁଖ୍ୟମାନଙ୍କୁ ସମ୍ବୋଧିତ କରି OKCL ୨୦୨୫ ମସିହାର ସାର୍ଥକ କାର୍ଯ୍ୟଦକ୍ଷତା ପାଇଁ ସମସ୍ତ ହିତଧାରୀଙ୍କ ଏକତ୍ର ପ୍ରୟାସକୁ ଉଚ୍ଚ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ, ଡ଼. ମନୋରଞ୍ଜନ ପୁଥାଳଙ୍କ ଦୃଢ଼ ନେତୃତ୍ୱ ଓ ପରାମର୍ଶରେ OKCL ଆଗାମୀ ବର୍ଷରେ ନୂତନ ସଫଳତାର ଶିଖରକୁ ସ୍ପର୍ଶ କରିବ।
ଏହି ଅବସରରେ ଉତ୍କୃଷ୍ଟ କାର୍ଯ୍ୟ କରିଥିବା କେନ୍ଦ୍ରମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା ଏବଂ ତାଙ୍କର କରକମଳରେ ଓକେସିଏଲ ସଫଳ ଯାତ୍ରାର ଭିଡ଼ିଓକୁ ଉଦଘାଟିତ କରିଥିଲେ |
ଏହି କାର୍ଯ୍ୟକ୍ରମରେ ଭୋପାଳ ସ୍ଥିତ ନାସନାଲ୍ ଇନଷ୍ଟିଟ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଟିଚର୍ସ୍ ଟ୍ରେନିଂ ଆଣ୍ଡ ରିସର୍ଚ୍ଚ (NITTTR) ର ଡ଼. ସୁମନ ପଟ୍ଟନାୟକ ମଧ୍ୟ ଉପସ୍ଥିତ ଥିଲେ ଏବଂ ସେ ସମସ୍ତ OKCL ନେଟୱର୍କ ସଦସ୍ୟଙ୍କୁ ପ୍ରେରଣାଦାୟକ ଉଦ୍ବୋଧନ ଦେଇଥିଲେ।
OKCL ର ପ୍ରବନ୍ଧନ ନିର୍ଦ୍ଦେଶକ ଡ଼. ମନୋରଞ୍ଜନ ପୁଥାଳ କହିଥିଲେ ଯେ, ସମଗ୍ର ରାଜ୍ୟରେ ଥିବା ୮୫୦ରୁ ଅଧିକ ଅନୁମୋଦିତ ଶିକ୍ଷା କେନ୍ଦ୍ରମାନଙ୍କ ନିଷ୍ଠାପୂର୍ଣ୍ଣ ପ୍ରୟାସ ହିଁ ନିଗମର ସଫଳତାର ମୂଳ ଆଧାର। ସେ ସୂଚନା ଦେଇଥିଲେ ଯେ, ଓଡ଼ିଶାର ପ୍ରତ୍ୟେକ ଘରକୁ ଡିଜିଟାଲ୍ ସାକ୍ଷରତା ପହଞ୍ଚାଇବା OKCLର ଲକ୍ଷ୍ୟ। ୨୦୩୦ ସୁଦ୍ଧା ଗ୍ରାମ ପଞ୍ଚାୟତ ସ୍ତର ପର୍ଯ୍ୟନ୍ତ ବିସ୍ତାର କରି ୨,୫୦୦ରୁ ଅଧିକ କେନ୍ଦ୍ର ସ୍ଥାପନା କରିବା ଏବଂ ପ୍ରତିବର୍ଷ ୫ ଲକ୍ଷରୁ ଅଧିକ ଶିକ୍ଷାର୍ଥୀଙ୍କୁ କୃତ୍ରିମ ବୁଦ୍ଧିମତା ସହ ଡିଜିଟାଲ୍ ସାକ୍ଷରତା ପ୍ରଦାନ କରିବାର ଲକ୍ଷ୍ୟ ଧାରଣ କରାଯାଇଛି।
ପ୍ରଧାନମନ୍ତ୍ରୀଙ୍କ “AI for All” ଏବଂ “AI for Good” ଆହ୍ୱାନକୁ ମନେ ରଖି OKCL ଏହି ବର୍ଷର ସଙ୍କଳ୍ପ ଘୋଷଣା କରିଛି –
“ଘରେ ଘରେ ଓଏସ-ସିଆଇଟି – ସମସ୍ତଙ୍କ ପାଇଁ କୃତ୍ରିମ ବୁଦ୍ଧିମତା, ପ୍ରତ୍ୟେକ କାର୍ଯ୍ୟରେ କୃତ୍ରିମ ବୁଦ୍ଧିମତା।”
୨୦୨୫ ବର୍ଷ ଉତ୍କୃଷ୍ଟ କାର୍ଯ୍ୟଦକ୍ଷତା ପାଇଁ OKCL ର ଉଚ୍ଚ କାର୍ଯ୍ୟଦକ୍ଷ ଜିଲ୍ଲା ଲିଡ୍ କୋ-ଅର୍ଡିନେଟର ଏବଂ ଅନୁମୋଦିତ ଲର୍ଣିଂ ସେଣ୍ଟରଗୁଡ଼ିକୁ ମଧ୍ୟ ପୁରସ୍କୃତ କରାଯାଇଥିଲା।
କାର୍ଯ୍ୟକ୍ରମରେ ମହାରାଷ୍ଟ୍ର ନଲେଜ୍ କର୍ପୋରେସନ୍ ଲିମିଟେଡ୍ (MKCL) ର ନେଟୱର୍କ ହେଡ୍ ଶ୍ରୀ ଅତୁଲ ପାଟୋଡି ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ OKCL ର ପ୍ରମୁଖ OS-CIT କାର୍ଯ୍ୟକ୍ରମର ଉନ୍ନତ ସଂସ୍କରଣ, e-School ପ୍ରୟାସ ଓ ନୂତନ ପ୍ରଯୁକ୍ତିମୂଳକ ପରିକଳ୍ପନା ସମ୍ବନ୍ଧୀୟ ବିଶେଷ ପ୍ରସ୍ତୁତିକରଣ କରାଯାଇଥିଲା।