Latest Odisha News

BREAKING NEWS

କେଉଁ ଜେଲରେ ରହିବ ଗୋପାଳ ? ଜେଲ କର୍ତ୍ତୃପକ୍ଷଙ୍କୁ ଘାରିଲା ଅଭିଯୁକ୍ତର ସୁରକ୍ଷା ଚିନ୍ତା

ଝାରସୁଗୁଡା: ତୃତୀୟ ପର୍ଯ୍ୟାୟ ରିମାଣ୍ଡ ସରିବା ପରେ ଆଜି ଜେଲ ଯାଇଛି ନବ ଦାସଙ୍କ ହତ୍ୟାକାରୀ ଗୋପାଳ ଦାସ ଆଜି ଝାରସୁଗୁଡା ଜେଏମଏଫସି କୋର୍ଟରେ ହାଜର ହେବା ପରେ ତାକୁ ଝାରସୁଗୁଡା ଜେଲକୁ ପଠାଇ ଦିଆଯାଇଛି । ତେବେ ସେ ଝାରସୁଗୁଡା ଜେଲରେ ରହିବ ନାଁ ଚୌଦ୍ୱାର ଜେଲରେ ତାହା ସ୍ଥିର ହୋଇନାହିଁ ।

ଗୁଜରାଟରୁ କଡା ସୁରକ୍ଷା ଭିତରେ ଗୋପାଳକୁ ଝାରସୁଗୁଡା ଅଣା ଯାଇଥିଲା । ତାଙ୍କୁ ପ୍ରଥମେ ଝାରସୁଗୁଡା ୨ୟ ବାଟାଲିୟନରେ ରଖା ଯାଇଥିଲା ।  ସେଠାରୁ  କଡା ସୁରକ୍ଷା ଭିତରେ ଗୋପାଳଙ୍କୁ ଆଜି କୋର୍ଟରେ ହାଜର କରାଯାଇଛି । କୋର୍ଟରେ ପ୍ରାୟ ଅଧଘଣ୍ଟା ରହିବା ପରେ ତାଙ୍କୁ ଜେଲକୁ ପଠାଇ ଦିଆଯାଇଛି । ତୃତୀୟ ଥର ପାଇଁ ଗୋପାଳକୁ ୫ ଦିନିଆ ରିମାଣ୍ଡରେ ନେଇଥିଲା ପୋଲିସ । ଏହାର ଅବଧି ଆଜି ଶେଷ ହୋଇଯାଇଛି ।

ତେବେ ଝାରସୁଗୁଡା ଜେଲରେ ଗୋପାଳର ସୁରକ୍ଷା ନେଇ ଚିନ୍ତା କରୁଛନ୍ତି ଜେଲ ବିଭାଗ । ଗୋପଳକୁ ଝାରସୁଗୁଡା ଜେଲରେ ନ ରଖି ଅନ୍ୟତ୍ର ସ୍ଥାନାନ୍ତର ପାଇଁ ପ୍ରସ୍ତାବ ଦେଇଛନ୍ତି ଜେଲ ବିଭାଗ । ତାଙ୍କୁ ଚୌଦ୍ଠାର ଜେଲକୁ ପଠାଇବାକୁ ଚିନ୍ତା କରାଯାଉଛି ।

ଅନ୍ୟପକ୍ଷେ ଗୁଜରାଟର ଗାନ୍ଧୀନଗରରେ ଗୋପାଳର ପ୍ରଥମେ ପଲିଗ୍ରାଫ୍ ଓ ପରେ ନାର୍କୋ ଟେଷ୍ଟ ହୋଇଥିଲା। ଏହାର ରିପୋର୍ଟ କ୍ରାଇମବ୍ରାଞ୍ଚ କୋର୍ଟରେ ଦାଖଲ କରିବ ।

ତେବେ ନାର୍କୋଟେଷ୍ଟରେ ଗୋପାଳ କି ସତ୍ୟ ଉଗାଳିଛି, ପଲିଗ୍ରାଫ ଟେଷ୍ଟରେ କ’ଣ କହିଛି ତାହା ଜଣାପଡିନାହିଁ । ଏପରିକି   ଝାରସୁଗୁଡ଼ାରେ ହୋଇଥିବା LVA ଏବଂ ସାଇକୋଲଜିକାଲ ଟେଷ୍ଟ ରିପୋର୍ଟରେ ଗୋପାଳର ଆଚରଣ ଓ ମାନସିକ ସ୍ଥିତି ସମ୍ପର୍କରେ କ’ଣ ଦର୍ଶାଯାଇଛି, ସେହି ତଥ୍ୟକୁ ବି ଗୁପ୍ତ ରଖାଯାଇଛି।

ନବଦାସଙ୍କ ହତ୍ୟା  ଘଟଣା ଇତିମଧ୍ୟରେ ୧୫ ଦିନ ବିତିଗଲାଣି । ହେଲେ ASI ଗୋପାଳ ଦାସ କାହିଁକି ମନ୍ତ୍ରୀଙ୍କୁ ହତ୍ୟା କଲା ତାହାର କାରଣ ଏ ଯାଏ କ୍ରାଇମବ୍ରାଞ୍ଚ ହାତରେ ଲାଗିନି ।

Leave A Reply

Your email address will not be published.