Latest Odisha News

BREAKING NEWS

ମନ୍ତ୍ରୀ ନବ ଦାସ ମୃତ୍ୟୁ ମାମଲା: ବିରୋଧୀ ଘେରିବା ପରେ କୋର୍ଟକୁ ସରକାରଙ୍କ ଚିଠି

ଭୁବନେଶ୍ୱର: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ମୃତ୍ୟୁ ମାମଲାରେ ହାଇକୋର୍ଟକୁ ରାଜ୍ୟ ସରକାର ଏକ ଚିଠି ଲେଖିଛନ୍ତି। ରେଜିଷ୍ଟାରଙ୍କୁ ସରକାର ଚିଠି ଲେଖି ଏହି ମାମଲାର ଚାଲିଥିବା କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ମନିଟରିଂ କରିବାକୁ ନିବେଦନ କରାଯାଇଛି। ତଦନ୍ତର ସ୍ୱଚ୍ଛତା ପାଇଁ ଜଣେ ବିଚାରପତି କିମ୍ବା ଅବସରପ୍ରାପ୍ତ ବିଚାରପତିଙ୍କ ତତ୍ୱବଧାନରେ ତଦନ୍ତର ମନଟରିଂ କରିବାକୁ ସରକାର ଅନୁରୋଧ କରିଛନ୍ତି।

ସରକାର ଏପରି ଚିଠି ସେତେବେଳେ ଲେଖିଛନ୍ତି ଯେତେବେଳେ ବିରୋଧୀ ଦଳର ନେତା ସିବିଆଇ କିମ୍ବା ବିଚାରପତିଙ୍କ ନେତୃତ୍ୱରେ ତଦନ୍ତ କରିବାକୁ ଦାବି କରିଛନ୍ତି। ଆଗକୁ ସାଧାରଣ ନିର୍ବାଚନ ସହିତ ଖାଲି ହୋଇଥିବା ଝାରସୁଗୁଡା ବିଧାନସଭା ଆସନରେ ଉପନିର୍ବାଚନ ହେବ। ଏହାପୂର୍ବରୁ ବିରୋଧୀ ତଦନ୍ତ ପ୍ରକ୍ରିୟାକୁ ନେଇ ପ୍ରସଙ୍ଗ କରିବା ପୂର୍ବରୁ ସରକାର ହାଇକୋର୍ଟ ରେଜିଷ୍ଟାରଙ୍କୁ ଚିଠି ଲେଖି ତଦନ୍ତରେ ସ୍ୱଚ୍ଛତା ଉପରେ ଜୋର ଦେଇଛନ୍ତି।

ବିଜେପିର ବରିଷ୍ଠ ନେତା ତଥା ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର କହିଛନ୍ତି, ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ କିପରି ହତ୍ୟା କରାଗଲା ତାହା ରାଜ୍ୟକୁ ଚକିତ କରିଛି। ଯଦି ASI ମାନସିକ ସ୍ତରରେ ଅସୁସ୍ଥ ଥିଲେ, ତେବେ ଘଟଣାର ଗୋଟିଏ ଦିନ ପୂର୍ବରୁ ତାଙ୍କୁ ଡ୍ୟୁଟି ଦିଆଗଲା ଏବଂ ରିଭଲଭର ଦିଆଗଲା କାହିଁକି? ଏଭଳି ସମସ୍ତ ଘଟଣା ସନ୍ଦେହ ସୃଷ୍ଟି କରୁଛି ତେଣୁ ରାଜ୍ୟ ସରକାର ଏହି ମାମଲାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରିବା ଉଚିତ୍।

କଂଗ୍ରେସ ବିଧାୟକ ସାନ୍ତୋଷ ସିଂ ସାଲୁଜା କହିଛନ୍ତି, ଏପର୍ଯ୍ୟନ୍ତ ଓଡିଶାରେ ଗୃହ ବିଭାଗ କିପରି କାର୍ଯ୍ୟ କରୁଛି ତାହା ବୁଝିପାରୁ ନାହୁଁ। ଯେତେବେଳେ ବି ଜଣେ ମନ୍ତ୍ରୀ ଏକ ସ୍ଥାନକୁ ଯାଉଛନ୍ତି, SOP ଅନୁସରଣ କରାଯିବା ଉଚିତ୍। ହେଲେ ଏହା ପାଳନ ହେଉନାହିଁ ବୋଲି ଜଣାପଡୁଛି। ସେହିପରି ଗୋଇନ୍ଦା ବିଭାଗ ଉପରେ ମଧ୍ୟ ସାଲୁଜା ପ୍ରଶ୍ନ ଉଠାଇଛନ୍ତି। ଏଥିରୁ ସ୍ପଷ୍ଟ ଭାବେ ଦର୍ଶାଉଛି ଯେ ଓଡିଶାରେ କୌଣସି ଆଇନ ଶୃଙ୍ଖଳା ନାହିଁ। ଜେଲ ଭିତରେ ଲୋକଙ୍କୁ ହତ୍ୟା କରାଯାଉଛି ଏବଂ ରାସ୍ତାରେ ମନ୍ତ୍ରୀ ଯାଉଛନ୍ତି ଏବଂ ତାଙ୍କୁ ଗୁଳିମାଡ ହେଉଛି। ତେଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବା ଉଚିତ ବୋଲି ସାଲୁଜା ଦାବି କରିଛନ୍ତି।

କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର ମଧ୍ୟ ନବ ଦାସଙ୍କ ହତ୍ୟାକୁ ନେଇ ବିସ୍ଫୋରକ ବୟାନ ଦେଇଛନ୍ତି। ଏହା ଏକ ଯୋଜନାବଦ୍ଧ ହତ୍ୟା ଏବଂ ଏହା ପଛରେ କିଛି ରହସ୍ୟ ରହିଥିବା ଲାଗୁଛି। ଅଭିଯୁକ୍ତ ASIକୁ ମାନସିକ ସ୍ତରରେ ଅସୁସ୍ଥ ବୋଲି କୁହାଯିବା ସଂପୂର୍ଣ୍ଣ ଗ୍ରହଣୀୟ ନୁହେଁ। ଯଦି ଏଏସଆଇ ମାନସିକ ସ୍ତରରେ ଅସୁସ୍ଥ ଥିଲେ, ତେବେ ଏଥିପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଦାୟୀ। ଏହି ହତ୍ୟା ସ୍ପଷ୍ଟ ଭାବେ ସୂଚାଉଛି ଯେ ଗୋଇନ୍ଦା ବିଭାଗ କାମ କରୁନାହିଁ।

 

 

 

Comments are closed.