Latest Odisha News

BREAKING NEWS

ମନ୍ତ୍ରୀ ନବ ଦାସଙ୍କ ପିଏସଓ ନିଲମ୍ବିତ, ବ୍ରଜରାଜନଗର ଥାନା ଆଇଆଇସିଙ୍କ ବଦଳି

ଝାରସୁଗୁଡା (କେ ରୋଷନ ପୃଷ୍ଟି): ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରେ ଆଉ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ମନ୍ତ୍ରୀ ନବ ଦାସଙ୍କ ପିଏସଓ ମିତ୍ରଭାନୁ ଦେଓଙ୍କୁ ନିଲମ୍ବନ କରିବା ସହିତ ବ୍ରଜରାଜନଗର ଆଇଆଇସି ପ୍ରଦ୍ୟୁମ୍ନ କୁମାର ସ୍ବାଇଁଙ୍କର ବଦଳି ହୋଇଛି। ସମ୍ବଲପୁର ଜିଲ୍ଲା ମୁଖ୍ୟାଳୟରେ ପ୍ରଦ୍ୟୁମ୍ନ ଏବେ ଡ୍ୟୁଟି କରିବେ ବୋଲି ଜଣାପଡିଛି।

ଗତକାଲି କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ଏବଂ ଆଉ କିଛି ଅଧିକାରୀ ଏକ ଥାନାରେ ମିତ୍ରଭାନୁ ଦେଓଙ୍କୁ ପଚରାଉଚରା କରିଥିଲେ। ଏହି ସମୟରେ ପାଖାପାଖି 50 ପ୍ରଶ୍ନର ଜବାବ ମାଗିଥିଲେ। ଯେତେବେଳେ ଅଭିଯୁକ୍ତ ଗୋପାଳ ଦାସ ମନ୍ତ୍ରୀଙ୍କ କାର ପାଖକୁ ମାଡି ଆସିଥିଲା ସେତେବେଳେ ପିଏସଓ କଣ କରୁଥିଲେ ସେ ନେଇ ପ୍ରଶ୍ନ ଉଠିଥିଲା। ସେହିପରି ଗୁଳିକାଣ୍ଡ ପରେ ଗୋପାଳ ଦାସଙ୍କ ବନ୍ଧୁକକୁ ଅନେକ ହାତରେ ଧରିଥିବା ଦେଖିବାକୁ ମିଳିଛି। ତେଣୁ ବ୍ରଜରାଜନଗର ଥାନା ଆଇଆଇସି ଏହି ସମୟରେ କଣ କରୁଥିଲେ ବୋଲି ପ୍ରଶ୍ନ ଉଠିଛି। ପୋଲିସ ଉପସ୍ଥିତିରେ ଜଣେ ସାଧାରଣ ବ୍ୟକ୍ତି ପୋଲିସଠାରୁ ବନ୍ଧୁକ ଛଡାଇ ନେବା ଝାରସୁଗୁଡା ପୋଲିସ ବ୍ୟବସ୍ଥା ଉପରେ ପ୍ରଶ୍ନ ଛିଡା କରିଛି।

ଗତାକାଲି ଏହି ଘଟଣାରେ ମଙ୍ଗଳବାର ଝାରସୁଗୁଡ଼ା ଏସପି ରାହୁଲ ଜୈନ ଓ ବ୍ରଜରାଜନଗର ଏସଡିପିଓ ଗୁପ୍ତେଶ୍ୱର ଭୋଇଙ୍କୁ ବଦଳି କରିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡର ତିନି ଦିନ ପରେ ଏହି ବଦଳି ନିର୍ଦ୍ଦେଶ ଦିଆଯାଇଛି।

ଗୃହ ବିଭାଗର ନିର୍ଦ୍ଦେଶ ଅନୁଯାୟୀ ରାହୁଲ ଜୈନଙ୍କୁ କଟକସ୍ଥିତ ରାଜ୍ୟ ପୁଲିସ ମୁଖ୍ୟାଳୟରେ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ବରଗଡ଼ ଏସପି ପରମାର ସ୍ମିତ ପୁରୁଷୋତ୍ତମଦାସଙ୍କୁ ଝାରସୁଗୁଡ଼ା ଏସପି ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ବ୍ରଜରାଜନଗର ଏସଡିପିଓ ଗୁପ୍ତେଶ୍ୱର ଭୋଇଙ୍କୁ ଡିଜିପି ରାଜ୍ୟ ପୋଲିସ ମୁଖ୍ୟାଳୟକୁ ବଦଳି କରିଛନ୍ତି। ଆଠମଲ୍ଲିକ ଏସଡିପିଓ ଚିନ୍ତାମଣି ପ୍ରଧାନଙ୍କୁ ବ୍ରଜରାଜନଗରରେ ଗୁପ୍ତେଶ୍ୱର ଭୋଇଙ୍କ ସ୍ଥାନରେ ନିଯୁକ୍ତ କରାଯାଇଛି।

 

 

Leave A Reply

Your email address will not be published.