Latest Odisha News

BREAKING NEWS

ସ୍ଥାନୀୟ ବିଧାୟକଙ୍କୁ ଅଣଦେଖା;ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ହେଲେ ଗଞ୍ଜାମ ଜିଲା ଯୋଜନା କମିଟି ଅଧ୍ୟକ୍ଷ

ବ୍ରହ୍ମପୁର: ରାଜ୍ୟର ସମସ୍ତ ଜିଲାର ଯୋଜନା କମିଟି ଅଧ୍ୟକ୍ଷଙ୍କ ନାମ ରାଜ୍ୟ ସରକାରଙ୍କ ତରଫରୁ ଶୁକ୍ରବାର ଘୋଷଣା କରାଯାଇଛି। ଗଞ୍ଜାମ ଜିଲା ଯୋଜନା କମିଟି ଅଧ୍ୟକ୍ଷ ହୋଇଛନ୍ତି ପୂର୍ତ ବିଭାଗର ମନ୍ତ୍ରୀ ପ୍ରଫୁଲ ମଲ୍ଲୀକ। ବର୍ତ୍ତମାନ ମନ୍ତ୍ରୀ ମଲ୍ଲିକ ବିଜୁ ଜନତା ଦଳ ତରଫରୁ ଗଞ୍ଜାମ ଜିଲା ପାଇଁ ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ତୁଲାଉଛନ୍ତି। ଏଣୁ ଦଳୀୟ ବ୍ୟାପାର ସହିତ ଯୋଜନା କମିଟି କଥା ବୁଝିବେ ମନ୍ତ୍ରୀ ମଲ୍ଲିକ। ଦୁଇଟି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତାଙ୍କୁ ପ୍ରଦାନ କରାଯିବା ପରେ ଏହାକୁ ନେଇ ଗଞ୍ଜାମ ଜିଲା ରାଜନୀତିରେ ଅନେକ କଥା ଚର୍ଚ୍ଚା ହେଉଛି। ସ୍ଥାନୀୟ ବିଧାୟକଙ୍କୁ ଅଣଦେଖା କରି ଜଣେ ମନ୍ତ୍ରୀଙ୍କୁ ଜିଲା ଯୋଜନା କମିଟି ଦାୟିତ୍ୱ ପ୍ରଦାନ ନିଷ୍ପତ୍ତିକୁ ସହଜରରେ ଅନେକ ସ୍ଥାନୀୟ ନେତା ଗ୍ରହଣ କରିପାରୁ ନାହାନ୍ତି। ତଥାପି ଖୋଲାଖୋଲି ଭାବେ କେହି ମୁହଁ ଖୋଲୁ ନାହାନ୍ତି।

୨୦୧୬ ମସିହା ଜାନୁୟାରୀ ୨୫ ତାରିଖରେ ଗଞ୍ଜାମ ଜିଲା ଯୋଜନା କମିଟି ଅଧ୍ୟକ୍ଷ ଥିଲେ ତତ୍କାଳୀନ ବ୍ରହ୍ମପୁର ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କୁ ନିଯୁକ୍ତି ଦେଇଥିଲେ ରାଜ୍ୟ ସରକାର। ଏହା ପରେ ଗତ ୨୦୧୯ ମସିହା ଅଗଷ୍ଟ ୯ ତାରିଖରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କୁ ଏହି ଦାୟିତ୍ୱ ମିଳିଥିଲା। ତେବେ ଗତ ଜୁନ୍‍ ୫ ତାରିଖରେ ରାଜ୍ୟ ଶ୍ରମ ଏବଂ କର୍ମଚାରୀ ରାଜ୍ୟ ବୀମା ବିଭାଗର ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ) ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ଶ୍ରୀକାନ୍ତ। ମନ୍ତ୍ରୀ ହେବା ପରେ ଜିଲା ଯୋଜନା କମିଟି ଅଧ୍ୟକ୍ଷ ପଦରୁ ସେ ଇସ୍ତଫା ଦେଇଥିଲେ। ଓଡ଼ିଶା ଜିଲା ଯୋଜନା କମିଟି ଆଇନ୍‍-୧୯୯୮ର ଧାରା ୭ ଅନୁଯାୟୀ ଶ୍ରୀକାନ୍ତ ମନ୍ତ୍ରୀ ହୋଇଥିବା ଯୋଗୁ ଇସ୍ତଫା ଦେଇଥିଲେ। ଏଣୁ ଆଶା କରାଯାଉଥିଲା ଜିଲାରୁ ଜଣେ ବିଧାୟକଙ୍କୁ ଏହି ପଦବୀ ମିଳିବ। କାରଣ ଗଞ୍ଜାମ ଜିଲାରେ ରହିଛି ୧୩ଟି ବିଧାନସଭା ଆଶନ। ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା କଂଗ୍ରେସରୁ ହୋଇଥିବା ବେଳେ ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ ବିଜେଡ଼ିରୁ ବହିଷ୍କୃତ ହୋଇଛନ୍ତି। ଭଞ୍ଜନଗର ବିଧାୟକ ବିକ୍ରମ କେଶରୀ ଆରୁଖ ବାଚସ୍ପତି ଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଂଜିଳି, ମନ୍ତ୍ରୀ ଉଷା ଦେବୀ ଚିକିଟି ଏବଂ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ପୋଲସରାରୁ ବିଧାୟକ ହୋଇଛନ୍ତି। ଦିଗପହଣ୍ଡି ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ର ଅସୁସ୍ଥତା ଯୋଗୁ ବାଚସ୍ପତି ପଦରୁ ଇସ୍ତଫା ଦେଇଛନ୍ତି। ଆଉ ରହିଲେ ୬ଜଣ ବିଧାୟକ। ସେମାନେ ହେଲେ ବ୍ରହ୍ମପୁର ବିକ୍ରମ କୁମାର ପଣ୍ଡା, ଛତ୍ରପୁର ସୁବାସ ବେହେରା, ଖଲିକୋଟ ସୂର୍ଯ୍ୟମଣୀ ବୈଦ୍ୟ, କବିସୂର୍ଯ୍ୟନଗର ଲତିକା ପ୍ରଧାନ, ଆସିକା ମଞ୍ଜୁଳା ସ୍ୱାଇଁ ଏବଂ ସୋରଡ଼ା ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ। ଏମାନଙ୍କ ମଧ୍ୟରୁ ବିକ୍ରମ ଏବଂ ଲତିକା ପରବର୍ତ୍ତି ଜିଲା ଯୋଜନା କମିଟି ଅଧ୍ୟକ୍ଷ ହୋଇପାରନ୍ତି ବୋଲି ଚର୍ଚ୍ଚା ଲାଗି ରହିଥିଲା। ହେଲେ ଶୁକ୍ରବାର ମନ୍ତ୍ରୀ ପ୍ରଫୁଲ ମଲ୍ଲିକଙ୍କ ନାଁ ଘୋଷଣା ସହିତ ଏହି ଚର୍ଚ୍ଚା ଉପରେ ବିରାମ ଲାଗିଛି। ସୂଚନା ଯୋଗ୍ୟ ଯେ, ୨୦ଜଣଙ୍କୁ ନେଇ ଗଠନ ହୁଏ ଗଞ୍ଜାମ ଜିଲା ଯୋଜନା କମିଟି। ସେଥିରେ ରୁହନ୍ତି ୧୩ଜଣ ଜିଲା ପରିଷଦ ସଭ୍ୟ, ସହରାଞ୍ଚଳଗୁଡ଼ିକରୁ ୩ଜଣ ସଦସ୍ୟ, ଦୁଇଜଣ ବିଶେଷଜ୍ଞଙ୍କ ସମେତ ଆବାହକ ଭାବେ ଜିଲାପାଳ ଏବଂ କମିଟିର ଅଧ୍ୟକ୍ଷ ଭାବେ ଜଣଙ୍କୁ ରାଜ୍ୟ ସରକାର ନିଯକ୍ତି ଦେଇଥାନ୍ତି। ତେବେ ପୂର୍ବରୁ ନିର୍ବାଚିତ ହୋଇଥିବା ୧୩ଜଣ ଜିଲା ପରିଷଦ ସଭ୍ୟଙ୍କ ନାମକୁ ଗତ ୫ ତାରିଖରେ ଯୋଜନା ଏବଂ ସଂଯୋଜନା ବିଭାଗ ତରଫରୁ ଘୋଷଣା କରାଯାଇଛି।

ଏନେଇ ଗଞ୍ଜାମ ଜିଲା ବିଜେଡ଼ି ସଭାପତି ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ କହିଛନ୍ତି ଯେ, ପୂର୍ବରୁ ମନ୍ତ୍ରୀମାନେ ହିଁ ଅଧ୍ୟକ୍ଷ ପଦବୀରେ ରହୁଥିଲେ। ହେଲେ ଗତ କିଛି ବର୍ଷ ହେଲା ବିଧାୟକଙ୍କୁ ଏହି ଦାୟିତ୍ୱ ମିଳିଥିଲା। ଜଣେ ମନ୍ତ୍ରୀ ଯଦି ଅଧ୍ୟକ୍ଷ ରୁହନ୍ତି, ତେବେ ବିକାଶ କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିବ। ସେହି ଦୃଷ୍ଟିରୁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଥିବା ସେ ପ୍ରକାଶ କରିଛନ୍ତି।

ତେବେ ଗଞ୍ଜାମ ଏକମାତ୍ର ଜିଲା ନୁହଁ, ଯେଉଁଠି ମନ୍ତ୍ରୀମାନଙ୍କୁ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ଏଭଳି ୧୯ଟି ଜିଲା ରହିଛି। ଅନୁଗୋଳ ପାଇଁ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ନିଯୁକ୍ତି ମିଳିଥିବା ବେଳେ ବଲାଙ୍ଗୀର ପାଇଁ ରୋହିତ ପୂଜାରୀ, ଦେବଗଡ଼଼ ପାଇଁ ରାଜେନ୍ଦ୍ର ଢ଼ୋଲକିଆ, ଢ଼େଙ୍କାନାଳ ବାସନ୍ତୀ ହେମ୍ବ୍ରମ୍‍, ଗଜପତି ଜଗନ୍ନାଥ ସାରକା, ଜଗତସିଂହପର ପ୍ରମିଳା ମଲ୍ଲିକ, ଯାଜପୁର ସମୀର ରଞ୍ଜନ ଦାସ, ଝାରସୁଗୁଡ଼ା ପ୍ରତିରଞ୍ଜନ ଘଡ଼େଇ, କଳାହାଣ୍ଡି ନବ କିଶୋର ଦାସ, କନ୍ଧମାଳ ଶ୍ରୀକାନ୍ତ ସାହୁ, କେନ୍ଦ୍ରାପଡ଼ା ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ମାଲକାନଗିରି ତୁଷାରକାନ୍ତ ବେହେରା, ମୟୂରଭଞ୍ଜ ଅଶ୍ୱିନୀ ପାତ୍ର, ନୂଆପଡ଼ା ଟୁକୁନୀ ସାହୁ, ପୁରୀ ନିରଞ୍ଜନ ପୂଜାରୀ, ରାୟଗଡ଼଼ା ଅତନୁ ସବ୍ୟସାଚୀ ନାୟକ, ସମ୍ବଲପୁର ପ୍ରତାପ କେଶରୀ ଦେବ ଏବଂ ସୂବର୍ଣ୍ଣପୁର ପ୍ରଦୀପ କୁମାର ଅମାନ୍ତ।

Leave A Reply

Your email address will not be published.