Latest Odisha News

କାଦୁଅରେ ଫସିଗଲା ଆମୁଲାନ୍ସ, ଅନ୍ଧାରରେ ରାସ୍ତା କଡ଼ରେ ହେଲା ପ୍ରସବ

ଓଡ଼ିଶା ସମ୍ବାଦ ବ୍ୟୁରୋ: ୨୦ ବର୍ଷ ପୂର୍ବେ ଯେଉଁ ସମସ୍ୟାକୁ ନେଇ ଓଡ଼ିଶା ପରିଚିତ ଥିଲା ସମାନ ଚିତ୍ର ୨୦୨୨ରେ ଦେଖିବାକୁ ମିିଳିଛି। ପ୍ରସୂତିଙ୍କୁ ନେବାକୁ ଆସୁଥିବା ଆମ୍ବୁଲାନ୍ସ କାଦୁଅ ରାସ୍ତାରେ ଫସିଗଲା । ପରେ ରାସ୍ତା କଡରେ ପ୍ରସବ ପରେ ନବଜାତଙ୍କୁ ଧରି ଆମ୍ବୁଲାନ୍ସ ପାଖରେ ପହଞ୍ଚିଲେ। ଅନ୍ଧାର ରାତି ହୋଇଥିବାରୁ ମୋବାଇଲ ଟର୍ଟ୍ଟ ଲାଇଟ ଜରିଆରେ ମହିଳା ଜଣଙ୍କ ନବଜାତ ଶିଶୁକୁ ଧରି ଆମ୍ବୁଲାନ୍ସ ନିକଟକୁ ଆସିଥିଲେ। ସାଙ୍ଗରେ ଥିଲେ ତାଙ୍କ ପରିବାର ଲୋକେ। ଏଭଳି ଏକ ଖବର ରାଜ୍ୟର କେବିକେ ଜିଲ୍ଲାରୁ ଆସିଛି। ଯାହା ରାଜ୍ୟର ବିକାଶର ଅସଲ ଚିତ୍ର ଏବଂ ‘ଗାଁକୁ ରାସ୍ତା’ର ନାରାର ଅସଲ ଚିତ୍ର ଦେଖାଇଛି।

କୋରାପୁଟ ଦଶମନ୍ତପୁର ବ୍ଲକରେ ବୁଧବାର ବିଳମ୍ବିତ ରାତିରେ ଜଣେ ଆଦିବାସୀ ମହିଳା ରାସ୍ତା କଡରେ ପ୍ରସବ କରିବା ସହ ନବଜାତ ଶିଶୁକୁ ଧରି ପ୍ରାୟ ୨ କିଲୋମିଟର ଚାଲି ଚାଲି ହସ୍ପିଟାଲରେ ପହଞ୍ଚିଥିଲେ। ମହିଳା ଜଣକ ଦଶମନ୍ତପୁର ବ୍ଲକ୍ ଟୁନଖାଲ ଗାଁର ସ୍ୱାତୀ ମୁଦୁଲି (୨୮)। ରାତିରେ ପ୍ରସବ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକେ ସ୍ଥାନୀୟ ଆଶାକର୍ମୀଙ୍କୁ ଖବର ଦେଇଥିଲେ। ଗର୍ଭବତୀଙ୍କୁ ଦଶମନ୍ତପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେବା ପାଇଁ ସ୍ବାସ୍ଥ୍ୟକର୍ମୀ ତୁରନ୍ତ ଜନନୀ ଏକ୍ସପ୍ରେସ୍ ପାଇଁ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ।

ହେଲେ ବାଟରେ ଧର୍ମଗଡ ଗାଁ ନିକଟରେ ଆମ୍ବୁଲାନ୍ସଟି କାଦୁଅରେ ଫସି ଯାଇଥିଲା। ଆଉ ଆମ୍ବୁଲାନ୍ସ କର୍ମଚାରୀମାନେ ଆମ୍ବୁଲାନ୍ସ ଅଟକି ଥିବା ସ୍ଥାନକୁ ସ୍ୱାତୀଙ୍କୁ ଆଣିବା ପାଇଁ ଆଶାକର୍ମୀଙ୍କୁ ଖବର ଦେଇଥିଲେ । ଏହାପରେ ଆମ୍ବୁଲାନ୍ସ ପାଖରେ ପହଞ୍ଚିବା ପାଇଁ ସ୍ୱାତୀ, ତାଙ୍କ ପରିବାର ଲୋକ ଓ ଆଶାକର୍ମୀ ଚାଲି ଚାଲି ଯିବା ଆରମ୍ଭ କରିଥିଲେ।

ହେଲେ ପ୍ରସବ ଯନ୍ତ୍ରଣା ଅଧିକ ହେବାରୁ ଗର୍ଭବତୀ ମହିଳା ଆଉ ଯନ୍ତ୍ରଣା ସହି ନପାରି ରାସ୍ତା କଡ଼ରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ। ସେଠାରେ କିଛି ସମୟ ଅପେକ୍ଷା କରିବା ପରେ ଅନ୍ଧାର ରାତିରେ ମୋବାଇଲ ଟର୍ଚ୍ଚ ଜରିଆରେ ସ୍ୱାତୀ ଆମ୍ବୁଲାନ୍ସ ପାଖରେ ପହଞ୍ଚିଥିଲେ। ଏଥିପାଇଁ ତାଙ୍କୁ ପ୍ରାୟ ୨ କିଲୋମିଟର ରାସ୍ତା ଚାଲିବାକୁ ପଡ଼ିଥିଲା। ପରେ ଆମ୍ବୁଲାନ୍ସ ତାଙ୍କୁ ଦଶମନ୍ତପୁର ସ୍ବାସ୍ଥ୍ୟ କେନ୍ଦ୍ରରେ ଆଣି ଛାଡିଥିଲା। ଏବେ ଉଭୟ ମା’ ଓ ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ରହିଛି।

ଉଲ୍ଲେଖଯୋଗ୍ୟ, ଗତ ଦୁଇ ଦିନ ଧରି ଲଗାଣ ବର୍ଷା ଯୋଗୁଁ ରାସ୍ତା ଏବେ କାଦୁଅ ଓ ଗାତରେ ଭର୍ତ୍ତି ରହିଛି। ଦଶମନ୍ତପୁର ବ୍ଲକର ୬୦ ପ୍ରତିଶତ ଗାଁ ପାହାଡିଆ ଅଞ୍ଚଳରେ । ମୋଟ୍ ୧୨୧ଟି ଗାଁ ରହିଛି ଏହି ବ୍ଲକରେ। ଦଶମନ୍ତପୁର ବିଡିଓ ଡି. ମଲ୍ଲିକ କହିଛନ୍ତି ଯେ, ଏହି ବ୍ଲକରେ ଏବେ ୭୯ଟି ଗାଁକୁ ଭଲ ରାସ୍ତା ନାହିଁ। ଏ ନେଇ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଛି।

Leave A Reply

Your email address will not be published.