Latest Odisha News

BREAKING NEWS

ପାନୀୟ ଜଳ ନେଇ ମୁହାଁମୁହିଁ ଶାସକ-ବିରୋଧୀ: ମନ୍ତ୍ରୀ କହିଲେ, ‘ମଲେଇ ଖାଇ ଚାଲିଗଲେ ଠିକାଦାର’

ଭୁବନେଶ୍ବର: ରାଜ୍ୟରେ ପାନୀୟ ପ୍ରକଳ୍ପ ନେଇ ଆଜି ସରଗରମ ହୋଇଛି ଗୃହ । ପାନୀୟ ଜଳ ପ୍ରକଳ୍ପ ପ୍ରସଙ୍ଗକୁ ନେଇ ପରସ୍ପର ଉପରକୁ କାଦୁଆ ଫିଙ୍ଗାଫିଙ୍ଗି ହୋଇଛନ୍ତି ବିରୋଧୀ ଏବଂ ଶାସକ । ଏନେଇ ପାନୀୟ ଜଳ ମନ୍ତ୍ରୀ ରବି ନାଏକ ମେଗା ଜଳ ପ୍ରକଳ୍ପ ଠିକା କାମରେ ପୂର୍ବ ସରକାରକୁ କଟାକ୍ଷ କରିଛନ୍ତି ।

କାମ ଏବେ ପର୍ଯ୍ୟନ୍ତ ନହେବାକୁ ନେଇ ପୂର୍ବ ସରକାର ସମୟରେ ଠିକାଦାର ମାନେ ମଲେଇ ନେଇ ପଳେଇଥିବା ଅଭିଯୋଗ କରିଛନ୍ତି ମନ୍ତ୍ରୀ । ପୂର୍ବ ସରକାର ବେଳେ କେବଳ ପାଇପ ବିଛାଇବା କାମ କରିଥିଲେ । କେବଳ ଘରକୁ ଟ୍ୟାପ ଲଗାଇଛନ୍ତି। ଯେଉଁମାନେ ଠିକା ନେଇଥିଲେ, ସେମାନେ ୫୮ ପ୍ରତିଶତ ଟଙ୍କା ନେଇ ପଳାଇଛନ୍ତି । ଠିକାଦାରମାନେ ମଲେଇ ନେଇ ପଳାଇଛନ୍ତି କିନ୍ତୁ ତା ପରବର୍ତ୍ତୀ ପାଣି ବିଶୋଧନ କରିବା ପାଇଁ ଟ୍ୟାଙ୍କ କାମ ଏବେ ବି ବାକି ଥିବା ଗୃହରେ ଉତ୍ତର ରଖିଛନ୍ତି ମନ୍ତ୍ରୀ ।

ମନ୍ତ୍ରୀ ଆହୁରି କହିଛନ୍ତି, ରାଜ୍ୟରେ ଏବେ ୧୯୧ଟି ପାନୀୟ ଜଳ ପ୍ରକଳ୍ପ ନିର୍ମାଣାଧୀନ ରହିଛ । ଏଥିମଧ୍ୟରୁ ମାତ୍ର ୧୬ଟି ପାନୀୟ ଜଳ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଥିବା ବେଳେ ନିର୍ମାଣାଧୀନ ୧୯୧ ପାନୀୟ ଜଳ ପ୍ରକଳ୍ପ ୩ଟି ପର୍ଯ୍ୟାୟରେ ସମ୍ପୂର୍ଣ୍ଣ ହେବ । ୨୦୨୫ ମାର୍ଚ୍ଚ ସୁଦ୍ଧା ୫୬ଟି, ଡିସେମ୍ବର ସୁଦ୍ଧା ୫୪ଟି ସରିବ ଆଉ ବାକି ୮୧ଟି ପ୍ରକଳ୍ପ ୨୦୨୫ ଜୁନ୍ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖିଛି ବିଭାଗ । ବିଧାୟକ ସୌଭିକ ବିଶ୍ୱାଳଙ୍କ ପ୍ରଶ୍ନରେ କିଛି ଏପରି ଉତ୍ତର ରଖିଛନ୍ତି ମନ୍ତ୍ରୀ  ।

ସେପଟେ ମନ୍ତ୍ରୀଙ୍କ ଏଭଳି କଟାକ୍ଷକୁ କଡା କାଉଣ୍ଟର କରିଛନ୍ତି ବିଜେଡି ବିଧାୟକ ଗଣେଶ୍ୱର ବେହେରା । ସେ କହିଛନ୍ତି, ଯେଉଁମାନେ ଏହି ପ୍ରକଳ୍ପରେ ମଲେଇ ଖାଇଛନ୍ତି ସେମାନେ ଆମ ରାଜ୍ୟର ନୁହଁନ୍ତି ସେମାନଙ୍କୁ ସରକାର ବାନ୍ଧିବା ବ୍ୟବସ୍ଥା କରିବା ଉଚିତ୍ । ସରକାର ସେମାନଙ୍କୁ ବାନ୍ଧିବାକୁ ବଡ ଯୋଜନା କରନ୍ତୁ । ପ୍ରକଳ୍ପ ପାଇବା ପାଇଁ ପେଟି ଆକାରରେ ଟଙ୍କା ବଣ୍ଟନ କରାଯାଇଥିଲା  । ଯାହା ବର୍ତ୍ତମାନ ଚିନ୍ତାଜନକ ବିଷୟ ତେଣୁ ଅଙ୍ଗୁଳି ନିର୍ଦ୍ଦେଶ ନକରି  ଏବେକା ସରକାର ଏହାକୁ ଜଲଦି ଠିକ କରିବା ଦରକାର ।

ଅପରପକ୍ଷରେ ସମ୍ପୂର୍ଣ୍ଣ ପ୍ରକଳ୍ପ ଗୁଡ଼ିକୁ ଏହି ବର୍ଷ ଶେଷ ସୁଦ୍ଧା ସାରିବା ପାଇଁ ସରକାର କି ପଦକ୍ଷେପ ନେଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ । କାଡାମ କହିଛନ୍ତି, କୋରାପୁଟ, ଜୟପୁର, ନନ୍ଦପୁର ଅଞ୍ଚଳରେ ଗୁଜରାଟ କମ୍ପାନୀ କାମ ନେଇଛି । ସେ କମ୍ପାନୀ କାହା କଥା ମାନୁନାହିଁ , ୩ ବର୍ଷ ହେଲାଣି କାମରେ କୌଣସି ଅଗ୍ରଗତି ହେଉନାହିଁ । ଯେଉଁଥିପାଇଁ ଲୋକମାନେ ପିଇବା ପାଣି ପାଇଁ ହଇରାଣ ହେଉଛନ୍ତି ।

ଯାହାର ଉତ୍ତରରେ ମନ୍ତ୍ରୀ ରବି ନାଏକ କହିଛନ୍ତି, ଯେଉଁ ଚୁକ୍ତି ହୋଇଛି, ତାହା ୫ ବର୍ଷ ରକ୍ଷଣାବେକ୍ଷଣ କରିବେ ।   ପାଣି ପାଇପ ପାଇଁ ନଷ୍ଟ ହୋଇଥିବା ରାସ୍ତା କାମ ମଧ୍ୟ କରିବେ । ଯେଉଁଠାରେ ଫ୍ଲୋରାଇଡ ପାଣି ବାହାରୁଛି, ସେଠାରେ ଟ୍ୟାଙ୍କର ମାଧ୍ୟମରେ ପାଣି ଯୋଗାଇବା ପାଇଁ ବ୍ୟବସ୍ଥା କରାଯାଇଛି । ଏହି କାମକୁ ଅନୁଧ୍ୟାନ କରିବା ପାଇଁ ପଞ୍ଚାୟତର ସରପଞ୍ଚମାନଙ୍କୁ ସରକାର କ୍ଷମତା ଦେଇଛନ୍ତି  । ଏଥିସହିତ ବିଧାୟକମାନେ ମଧ୍ୟ ଏହି କାର୍ଯ୍ୟର ତଦାରଖ କରିବାର ଆବଶ୍ୟକତା ରହିଛି ।

Leave A Reply

Your email address will not be published.