ଭୁବନେଶ୍ୱର: ଦିଲ୍ଲୀରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫେରିଲେ ହେବ ମନ୍ତ୍ରିମଣ୍ଡଳ ଅଦଳ ବଦଳ। ଆଜି ବାଚସ୍ପତି ବିକ୍ରମ କେଶରୀ ଆରୁଖ ଇସ୍ତଫା ଦେବା ଏବଂ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଇସ୍ତଫା ଦେବା ପରେ ଏଭଳି ଏକ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ କେଉଁ କାରଣ ପାଇଁ ବାଚସ୍ପତି ପଦରୁ ଇସ୍ତଫା ଦେଇଛନ୍ତି ବିକ୍ରମ ଆରୁଖ ତାହା ସ୍ପଷ୍ଟ ହୋଇନାହିଁ। ଆସନ୍ତାକାଲି ନବୀନ ଦିଲ୍ଲୀରୁ ଫେରିବାକୁ ଥିବା ବେଳେ ଝାରସୁଗୁଡା ବିଧାନସଭା ଉପନିର୍ବାଚନ ଫଳାଫଳ ଆସିବ। ଏହାପୂର୍ବରୁ ଦୁଇ ମନ୍ତ୍ରୀଙ୍କ ଇସ୍ତଫାକୁ ନେଇ ସରଗରମ ହୋଇଛି ରାଜନୀତି। ଏବେ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ ଭୁବନେଶ୍ବର ବାହାରେ ଅଛନ୍ତି। ୨୨ରେ ଭୁବନେଶ୍ବର ଫେରିବା ପରେ ମନ୍ତ୍ରିମଣ୍ଡଳ ଅଦଳ ବଦଳ ହୋଇପାରେ।
ବିକ୍ରମ ଆରୁଖ କହିଛନ୍ତି, ସେ ଉପବାଚସ୍ପତି ରଜନୀକାନ୍ତ ସିଂହଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି। ଆଉ ଉପବାଚସ୍ପତି ରଜନୀକାନ୍ତ କହିଛନ୍ତି, ସେ ଅନୁଗୁଳରେ ଅଛନ୍ତି। ସୋମବାର ସେ ଭୁବନେଶ୍ୱର ଫେରିବା ପରେ ସୋମବାର ଇସ୍ତଫା ପତ୍ର ଖୋଲି ଦେଖିବେ। ଇସ୍ତଫା ଦେଇଥିବା ନେଇ ବିକ୍ରମ ଆରୁଖ ଫୋନ୍ କରି ତାଙ୍କୁ ଜଣାଇଥିଲେ ବୋଲି କହିଛନ୍ତି।
ସେହିପରି ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ କହିଛନ୍ତି, ସଂଗଠନ ଦାୟିତ୍ୱ ପାଇଁ ସେ ଇସ୍ତଫା ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସେ ଇସ୍ତଫା ଦେଇଛନ୍ତି। ସେହିପରି ବିବାଦରେ ଥିବା ପୋଲସରା ବିଧାୟକ ମଧ୍ୟ ଇସ୍ତଫା ପଛରେ ସମାନ କାରଣ କହିଛନ୍ତି।
ପୋଲସରାର ବିଜେଡି ବିଧାୟକ ଶ୍ରୀକାନ୍ତ ସାହୁଙ୍କ ନିକଟରେ ଦଳୀୟ ନେତ୍ରୀ ଶାରୀରିକ ନିର୍ଯାତନା ଅଭିଯୋଗ ଆଣିଥିଲେ। ଏହାପରେ ବିଜେଡି ନେତ୍ରୀ ସଞ୍ଜୁକ୍ତା ମହଲଙ୍କୁ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ସଦସ୍ୟ ଭାବେ ନିଯୁକ୍ତି ଦିଆଯାଇଛି। ତାଙ୍କୁ ପଦ ପଦବୀ ଦେଇ ଥାଇଥାନ କରି ମାମଲାକୁ ଚାପି ଦେବାକୁ ଶାସକ ଦଳ ଉଦ୍ୟମ କରିଛି ବୋଲି ବିଜେପି ଅଭିଯୋଗ କରିଥିଲା। ସେହିପରି ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ପଛରେ ମନ୍ତ୍ରୀ ସମୀର ଦାଶଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ରହିଛି।
ତେବେ ବିଜେଡି ଏବେ ନେତାଙ୍କୁ ଡାକି ୨୦୨୪ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତ ହେବାକୁ କହୁଥିବା ସୂଚନା ରହିଛି। ତେଣୁ ଏବେ ହଠାତ ଦୁଇ ରାଷ୍ଟ୍ରମନ୍ତ୍ରୀ ଏବଂ ବାଚସ୍ପତି ଇସ୍ତଫା ଦେବା ବିଭିନ୍ନ ଚର୍ଚ୍ଚାକୁ ଖୋରାକ ଯୋଗାଇଛି।
ରାଜ୍ୟରେ ବିରୋଧୀ ବିଭିନ୍ନ ପ୍ରସଙ୍ଗରେ ଶାଣିତ ଆକ୍ରମଣ କରୁଥିବା ବେଳେ ଶାସକ ଦଳ ମଧ୍ୟ ଜୋରସୋରରେ ଡିଫେନ୍ସ କରିବାକୁ ଚେଷ୍ଟା କରୁଛି। ବିଜେପି ବିଭିନ୍ନ ଲୋକସଭା ଓ ବିଧାନସଭା ଉପରେ ଯେତେବେଳେ ଆଖି ପକାଇଛି ସେତେବେଳେ ବିଜେଡି ମଧ୍ୟ ଟାଣୁଆ ନେତାଙ୍କୁ ସଂଗଠନ ଦାୟିତ୍ୱ ଦେଇ ତୃଣମୂଳ ସ୍ତରରେ ବଳ ଗୋଟାଇବାକୁ ପ୍ରୟାସ କରୁଛି। ଯଦି ଏବେର ମନ୍ତ୍ରୀମଣ୍ଡଳକୁ ଦେଖାଯାଏ ତାହେଲେ ଅନେକ ଭେଟେରାନ ନେତା ସଂଗଠନ ଦାୟିତ୍ୱରେ ଥିବା ବେଳେ ଅଳ୍ପ କିଛି ପୁରୁଣା ନେତା ମନ୍ତ୍ରୀ ପଦରେ ରହିଥିବା ବେଳେ ଅନେକ ପ୍ରଥମ କିମ୍ବା ଦ୍ବିତୀୟ ଥର ପାଇଁ ମନ୍ତ୍ରୀ ହୋଇଛନ୍ତି।
Comments are closed.