Latest Odisha News

BREAKING NEWS

ଧାନ କିଣା ସମସ୍ୟା: ୨ ଦିନିଆ ପଶ୍ଚିମ ଓଡ଼ିଶା ଗସ୍ତରେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର: ୨ ଦିନିଆ ପଶ୍ଚିମ ଓଡିଶା ଗସ୍ତରେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ। ସମ୍ବଲପୁର ଓ ବରଗଡ଼ରେ ହେବ ହାଇଲେଭଲ୍ ସମୀକ୍ଷା। ଚାଷୀଙ୍କ ଅଭିଯୋଗ ଓ ଧାନ କିଣାରେ ଅହେତୁକ ବିଳମ୍ବର ହେବ ସମାଧାନ। ଦୁଇଦିନିଆ ଗସ୍ତରେ ଯାଇ ଧାନକିଣାର ପ୍ରକ୍ରିୟାର ତଦାରଖ କରିବେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ପଶ୍ଚିମ ଓଡ଼ିଶାର ଦୁଇ ପ୍ରମୁଖ ଜିଲ୍ଲା ଗସ୍ତ କରି ମନ୍ତ୍ରୀ ଧାନକିଣାର ତଦାରଖ କରିବେ।

ଆଜି ଅପରାହ୍ନ ୨ଟାରେ ସମ୍ବଲପୁରରେ ପହଂଚିବେ। ସନ୍ଧ୍ୟା ୬ଟାରେ ଜିଲ୍ଲାପାଳଙ୍କସମ୍ମିଳନୀ କକ୍ଷରେ ଏକ ଗୁରୁତ୍ବପୂର୍ଣ୍ଣ ସମୀକ୍ଷା ବୈଠକ କରିବେ। ପରେ ବରଗଡ଼ ଗସ୍ତ କରିବେ । ଆସନ୍ତାକାଲି ସକାଳେ ବରଗଡ଼ରେ ଧାନକିଣା ବୈଠକ କରିବା ସହ ମଣ୍ଡି ପରିଦର୍ଶନ କରିବେ । ମଣ୍ଡିରେ ଧାନ ଉଠାଇବାରେ ହେଉଥିବା ଅହେତୁକ ବିଳମ୍ବ ନେଇ ଆଲୋଚନା କରିବେ । ଏହାସହ ଚାଷୀଙ୍କୁ ଟୋକନ୍ ମିଳିବାରେ ହେଉଥିବା ଅସୁବିଧାକୁ ଦୂର କରିବାକୁ ପଦକ୍ଷେପ ନିଆଯାଇପାରେ।

ମିଲର୍ ମାନଙ୍କର ବକେୟା ପ୍ରାପ୍ୟ ଏବଂ ପରିବହନ ଖର୍ଚ୍ଚ ସମ୍ବନ୍ଧୀୟ ଦାବିଗୁଡ଼ିକର ପୂରଣ କରି ଧାନ ଉଠାଣକୁ କିପରି ତ୍ୱରାନ୍ୱିତ କରାଯିବ ସେନେଇ ଆଲୋଚନା ହେବ । ଧାନ ବିକ୍ରିର ୪୮ ଘଣ୍ଟା ମଧ୍ୟରେ ଯେପରି ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଯିବ ତାହା ନିଶ୍ଚିତ କରାଯିବ । ମଣ୍ଡିରେ ଧାନର ଗୁଣବତ୍ତା ଯାଞ୍ଚ ନାଁରେ ଯେପରି ଚାଷୀଙ୍କୁ ଶୋଷଣ କରାନଯାଏ କିମ୍ବା ବେଆଇନ ଭାବେ ଧାନ କଟା ନଯାଏ ସେଥିପ୍ରତି ଗୁରୁତ୍ବ ଦିଆଯିବ । ମଣ୍ଡିରେ ସିସିଟିଭି କ୍ୟାମେରା, ପାନୀୟ ଜଳ ଏବଂ ଧାନ ଶୁଖାଇବା ବ୍ୟବସ୍ଥାର ସମୀକ୍ଷା କରାଯିବ । ମନ୍ତ୍ରୀଙ୍କ ବୈଠକରେ ସ୍ଥାନୀୟ ସାଂସଦ ଓ ବିଧାୟକମାନେ ଉପସ୍ଥିତ ରହି ଚାଷୀଙ୍କ ଅଭିଯୋଗ ଉପସ୍ଥାପନ କରିବେ ।

Comments are closed.