Latest Odisha News

ଭୁବନେଶ୍ୱରରେ ଖଣ୍ଡା ଆକ୍ରମଣ ଘଟଣା; ନାବାଳକ ସମେତ ୪ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରର ତମାଣ୍ଡୋ ଥାନା ଅଧୀନରେ ଥିବା ପାତ୍ରପଡ଼ାର ଏକ କାଫେ ବାହାରେ ସୋମବାର ବିଳମ୍ବିତ ରାତିରେ ଘଟିଥିବା ହିଂସା ଘଟଣାରେ ପୋଲିସ ଚାରି ଜଣଙ୍କୁ ଗିରଫ କରିବା ସହ ଅନ୍ୟ ତିନି ଜଣଙ୍କୁ ଅଟକ ରଖିଛି।

ତେବେ ଏହି ଆକ୍ରମଣର ସମସ୍ତ ଘଟଣା ସିସିଟିଭିରେ କଏଦ ହୋଇଥିଲା। ଯାହାକୁ ଆଧାର କରି ପୋଲିସ ଏହି ଗିରଫଦାରୀ କରିଥିବା ସୂଚନା ମିଳିଛି। ଗିରଫ ହୋଇଥିବା ବ୍ୟକ୍ତିମାନେ ପ୍ରିୟବ୍ରତ ନାୟକ, ସୌମ୍ୟରଞ୍ଜନ ବେହେରା, ସୁଭମ ବେନେରା ଏବଂ ସୁମରାଂଶୁ ଦାସ ବୋଲି ଜଣାପଡିଛି।ପୂର୍ବରୁ ନୟାପଲ୍ଲୀରେ ହୋଇଥିବା ଦୁଷ୍କର୍ମ ମାମଲାରେ ପ୍ରିୟବ୍ରତ ୯ ମାସ ଜେଲରେ ବିତାଇଥିବା ବେଳେ କନ୍ଧଗିରି ପୋଲିସ ସୀମା ଅନ୍ତର୍ଗତ ଏକ ମାମଲାରେ ସୌମ୍ୟରଞ୍ଜନ ମଧ୍ୟ ଜାମିନରେ ଅଛନ୍ତି ବୋଲି ସୂତ୍ରରୁ ଜଣାପଡିଛି। ଗିରଫ ହୋଇଥିବା ବ୍ୟକ୍ତି ମାନଙ୍କ ମଧ୍ୟରୁ ବଣ୍ଟି ନାମକ ଜଣେ ବ୍ୟକ୍ତିଙ୍କୁ  ମାଷ୍ଟରମାଇଣ୍ଡ ଭାବରେ ଚିହ୍ନଟ କରାଯାଇଥିବା ବେଳେ ଏହି ଆକ୍ରମଣ ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ହୋଇଥିବା କୁହାଯାଉଛି।

ତେବେ ଏହି ଆକ୍ରମଣ ପ୍ରାୟ ରାତି ୧୧.୫୦ ସମୟରେ ଘଟିଥିଲା। ଯେତେବେଳେ ଛଅ ଜଣ ବ୍ୟକ୍ତି ତିନୋଟି ମୋଟରସାଇକେଲରେ ଆସି ହଠାତ୍ ଏକ କ୍ୟାଫେ ସାମ୍ନା ରେ କଥା ବାର୍ତ୍ତା କରୁଥିବା ଚାରି ଜଣଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ। ସେଠାରୁ ସେମାନେ ପଳାଇବା ସମୟରେ ଅପରାଧୀମାନେ କାଫେ ବାହାରେ ପାର୍କିଂ ହୋଇଥିବା ତିନୋଟି କାରକୁ ମଧ୍ୟ ଆକ୍ରମଣ କରିଥିଲେ। ଏହି ଘଟଣାରେ ଦୁଇ ଜଣ ଆହତ ହୋଇଥିବା ବେଳେ ତିନୋଟି କାର କ୍ଷତିଗ୍ରସ୍ତ ହୋଇଥିଲା।

ଯାହାପରେ କାଫେ ମାଲିକ କବିରାଜ ଲେଙ୍କା ତମାଣ୍ଡୋ ପୋଲିସ ଷ୍ଟେସନରେ ଏନେଇ ଅଭିଯୋଗ ଦାଖଲ କରିଥିଲେ। ଜଣେ ସ୍ଥାନୀୟ ବାସିନ୍ଦାଙ୍କୁ ସନ୍ଦିଗ୍ଧ ବ୍ୟକ୍ତି ଭାବରେ ଚିହ୍ନଟ କରିଥିଲେ। ଏହି ଆକ୍ରମଣ ସମୟରେ କାଫେ ଭିତରକୁ ଦୁବୃର୍ତ୍ତ ମାନେ ଯେପରି ନ ପସିଯାନ୍ତି ସେଥପାଇଁ ତାଙ୍କ ପୁଅ ଏବଂ ବନ୍ଧୁମାନେ କବାଟ ବନ୍ଦ କରିଦେଇଥିଲେ।ମାଷ୍ଟରମାଇଣ୍ଡ ବଣ୍ଟିକୁ ଧରିବା ପାଇଁ ଭୁବନେଶ୍ୱର ପୋଲିସର ଏକ ସ୍ୱତନ୍ତ୍ର ସ୍କ୍ବାଡ୍ ତଲାସ ଆରମ୍ଭ କରିଥିବା ନେଇ କୁହାଯାଇଛି।

Comments are closed.