ବ୍ରହ୍ମପୁର: ଅଶ୍ଲୀଳ ଫଟୋ ଭାଇରାଲ ପରେ ଜଣେ ୧୫ ବର୍ଷୀୟା ନାବାଳିକାଙ୍କ ଆତ୍ମହତ୍ୟା ଏବଂ ପରେ ଏହି ଘଟଣାକୁ ନେଇ ୩ ଜଣ ଗିରଫ। ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ଜଡ଼ାହାଟୁଣି ଗ୍ରାମରେ ଏହି ଘଟଣା ଘଟିଛି । ଗତ ୮ ତାରିଖରେ ନାବାଳିକା ଜଣକ ଆତ୍ମହତ୍ୟା କରିଥିବା ବେଳେ ବୁଧବାର ପୋଲିସ ୩ଜଣଙ୍କୁ ଗିରଫ କରିଛି । ସେଥିରେ ଦୁଇଜଣ ନାବାଳକ ମଧ୍ୟ ଅଛନ୍ତି।
ବୁଧବାର ଭଂଜନଗର ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର ଏକ ପ୍ରେସ ବିବୃତ୍ତିରେ ଘଟଣା ସଂପର୍କରେ ସୂଚନା ଦେଇଛନ୍ତି । ପ୍ରାୟ ବର୍ଷେ ପୂର୍ବେ ଏହି ଗ୍ରାମର ଜଣେ ଦଶମ ଶ୍ରେଣୀର ଛାତ୍ରୀ ଗାଁ ନଦୀକୁ ଗାଧୋଇବାକୁ ଯାଇଥିଲେ । ସେହି ଗ୍ରାମର ଜଣେ ୧୬ ବର୍ଷର ନାବାଳକ ସଂପୃକ୍ତ ଛାତ୍ରୀଙ୍କୁ ରାସ୍ତାରେ ଟଣା-ଓଟରା କରିବା ସହିତ ମୋବାଇଲ କ୍ୟାମେରାରେ ଅଶ୍ଲୀଳ ଭିଡିଓ ସୁଟିଂ କରିଥିଲେ ।
ପରେ ନାବାଳକ ଜଣକ ଏହି ଅଶ୍ଲୀଳ ଭିଡିଓକୁ ଜଣେ ସାଙ୍ଗଙ୍କ ପାଖକୁ ପଠାଇଥିଲେ । ସେହି ସାଙ୍ଗ ଆଉ ଜଣେ ସାଙ୍ଗଙ୍କ ପାଖକୁ ପଠାଇଥିଲେ । ଶେଷରେ ଭିଡ଼ିଓଟି ନାବାଳିକାଙ୍କ ଦାଦାଙ୍କ ପୁଅ ପାଖରେ ପହଞ୍ଚିଥିଲା । ଦାଦା ପୁଅ ଭାଇ ଏନେଇ ପରିବାର ଲୋକଙ୍କୁ ଜଣାଇଥିଲା। ଫଳରେ ନାବଳିକାଙ୍କ ପରିବାର ଲୋକେ କୁଳ ସମାଜର ଆଶ୍ରୟ ନେଇଥିଲେ। କୁଳ ସମାଜର ବୈଠକ ବସି ଉଭୟଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ।
ତେବେ ଉଭୟଙ୍କ ପ୍ରାପ୍ତ ବୟସ୍କ ହୋଇନଥିବା ଯୋଗୁ କିଛି ଦିନ ଅପେକ୍ଷା କରିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା । ପରେ ନାବାଳିକା ଜଣକ ନିଜ ମାମୁଁ ଘରକୁ ଚାଲି ଯାଇଥିଲେ । ଏହା ଭିତରେ ନାବାଳକ ଜଣକ ପୁଣି ଥରେ ଝଗଡ଼ା ଆରମ୍ଭ କରିଦେଇଥିଲେ । ଏହି ସଂକ୍ରାନ୍ତରେ ପୁନର୍ବାର କୁଳ ସମାଜର ବୈଠକ ବସିଥିଲା। ବୈଠକରେ ସଂପୃକ୍ତ ନାବାଳକ ଜଣକ ନାବାଳିକାଟିକୁ ବିବାହ କରିବାକୁ ସ୍ପଷ୍ଟା ମନା କରିଦେଇଥିଲେ ।
ବିବାହ ଭାଙ୍ଗିବା ପରେ ନାବାଳିକା ଜଣକ ଲଜ୍ଜିତ ଅନୁଭବ କରିଥିଲେ । ବିଶେଷ କରି ତାଙ୍କ ଅଶ୍ଲୀଳ ଫଟୋ ଭାଇରାଲ୍ ହୋଇଯାଇଥିବା ଯୋଗୁ ଲୋକଲଜ୍ଜାକୁ ନେଇ ବିବ୍ରତ ହୋଇପଡ଼ିଥିଲେ । ଏକ ସୁଇସାଇଡ୍ ନୋଟ୍ ଲେଖି ଗତ ୮ ତାରିଖ ସକାଳ ୮ଟା ସମୟରେ ନିଜ ଘରେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ ।
ଉପରୋକ୍ତ ଘଟଣା ପାଇଁ ସେ ଆତ୍ମହତ୍ୟା କରୁଥିବା ସୁଇସାଇଡ୍ ନୋଟରେ ଲେଖିଥିଲେ । ଏନେଇ ତାରସିଂ ଥାନାରେ ଅଭିଯୋଗ କରାଯାଇଥିଲା । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ସାଇସାଇଟ୍ ନୋଟ୍କୁ ଜବତ କରିଥିଲା । ପ୍ରଥମେ ଏନେଇ ଥାନାରେ ଅପମୃତ୍ୟୁ ମାମଲା ରୁଜୁ ହୋଇଥିଲା । କିନ୍ତୁ ପରେ ନାବଳିକାଙ୍କ ବାପାଙ୍କ ଏତଲା ଅନୁଯାୟୀ ଥାନାର କେସ୍ ନଂ ୨୦୯/୧୧.୭.୨୦୨୨ ଓ ଧାରା ୨୯୪, ୩୫୪ (ଏ), ୩୫୪(ଡି), ୩୦୫, ୫୦୬,୩୪୧, ଆଇଟି ଆକ୍ଟ ଓ ପକ୍ସୋ ଆକ୍ଟରେ ମାମଲା ରୁଜୁ କରାଯାଇଥିଲା ।
ନାବଳାକ ସହ ଭିଡିଓ ଭାଇରାଲରେ ସଂପୃକ୍ତ ତାର ଜଣେ ସାଙ୍ଗଙ୍କୁ ପୋଲିସ ଗିରଫ କରିଛି । ସେହିଭଳି ସଂପୃକ୍ତ ନାବାଳକଙ୍କ ବାପାଙ୍କୁ ମଧ୍ୟ ପୋଲିସ ଗିରଫ କରିଥିବା ଏସ୍ଡିପିଓ ଦାସ ପ୍ରକାଶ କରିଛନ୍ତି।
Comments are closed.