କୁଜଙ୍ଗ: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ କଙ୍କରଡ଼ିଆ ଗ୍ରାମର ଜନୈକା ନାବାଳିକାକୁ ଗତକାଲି କୁଜଙ୍ଗ ଥାନା ଅଧିକାରୀ ଦିଲ୍ଲିପ କୁମାର ସାହୁ ଝାଡ଼ଖଣ୍ଡର ସାହିବଗଞ୍ଜ ଜିଲ୍ଲା ବରହୈତ ଥାନା ଅଧୀନ ଦୁମାରିଅ ଗ୍ରାମରୁ ଉଦ୍ଧାର କରିଥିବା ଜଣାପଡ଼ିଛି ।
ମିଳିଥିବା ସୂଚନାନୁଯାୟୀ, ଝାଡ଼ଖଣ୍ଡର ଅଭିଯୁକ୍ତ ଫିରୋଜ ଓରଫ ଫିରଦୋସ ଆନସାରୀକୁ ଏହି ଅଭିଯୋଗରେ ଗିରଫ କରିବା ସହିତ ଆଜି ତାଙ୍କୁ ଜଗତସିଂହପୁର ବିଚାରବିଭାଗୀୟ ଅଦାଲତରେ ହାଜର କରାଯାଇଥିଲା । ସେଠାରେ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତକୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।

ନିଖୋଜ ନାବାଳିକା ଜଣକ ପୋଲିସ ଦ୍ୱାରା ଉଦ୍ଧାର ହେବାପରେ ତାକୁ ନିଜ ପରିବାରକୁ ହସ୍ତାନ୍ତର କରାଯାଇଛି ।
ଘଟଣାରୁ ପ୍ରକାଶଯେ, କୁଜଙ୍ଗ ବ୍ଳକ ବାଲିଅ ମହିଳା ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଅଧ୍ୟୟନ କରୁଥିବା କଙ୍କରଡ଼ିଆ ଗ୍ରାମର ନାବାଳିକାଙ୍କ ସମ୍ପର୍କୀୟ ଭାଇ ବମ୍ବେର ଏକ ବ୍ୟାକେରୀ ଦୋକାନରେ କାର୍ଯ୍ୟ କରୁଥିଲେ । ସେଠାରେ ଅଭିଯୁକ୍ତ ଫିରୋଜ କାର୍ଯ୍ୟ କରୁଥିଲା । କୌଣସିମତେ ଫିରୋଜ ସମ୍ପୃକ୍ତ ନାବଳିକାଙ୍କ ଭାଇଙ୍କ ମୋବାଇଲରୁ ସମ୍ପୃକ୍ତ ନାବାଳିକାଙ୍କ ଫୋନ ନମ୍ବର ଆଣି ତାଙ୍କ ସହିତ ସମ୍ପର୍କ ସ୍ଥାପନ ରଖିଥିଲା । ଫୋନରେ ବିବାହର ପ୍ରତିଶ୍ରୁତି ଦେଇ ଗତ ୧୦ ତାରିଖରେ କଟକ ରେଳ ଷ୍ଟେସନକୁ ଡ଼କାଇଥିଲା ଏବଂ ସେଠାରୁ ତାଙ୍କୁ ଝାଡ଼ଖଣ୍ଡସ୍ଥିତ ନିଜ ଘରକୁ ନେଇଯାଇଥିଲା ।
ଏପଟେ ଝିଅ ନିଖୋଜ ହେବାପରେ ନାବଳିକାଙ୍କ ବାପା ସମ୍ପୃକ୍ତ ଅଭିଯୁକ୍ତାଙ୍କୁ ଫୋନରେ ୧୦ ଲକ୍ଷ ଟଙ୍କା ବିନିମୟରେ ଝିଅକୁ ଛାଡ଼ିବାକୁ କହୁଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ କୁଜଙ୍ଗ ଥାନା ଅଧିକାରୀ ଦିଲ୍ଲିପ କୁମାର ସାହୁ ୪୫/୨୦ ଧାରା ଏବଂ ବିଭିନ୍ନ ଦଫାରେ ମାମଲା ରୁଜୁ କରିଥିଲେ ।
ପୋଲିସ ପକ୍ଷରୁ ମୋବାଇଲ ଟ୍ରାକିଂ କରାଯାଇ ଝାଡ଼ଖଣ୍ଡସ୍ଥିତ ବାସଗୃହରୁ ଅଭିଯୁକ୍ତକୁ ଗିରଫ କରାଯାଇଥିବା ସୂଚନା ମିଳିଛି ।
Comments are closed.