Latest Odisha News

BREAKING NEWS

ପଶ୍ଚିମବଙ୍ଗରେ ପୁଣି ଲଜ୍ଜା, ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ପରେ ଆକ୍ରୋଶ

କୋଲକାତା: ପଶ୍ଚିମବଙ୍ଗରେ ଆଉ ଏକ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଚାଂଚଲ୍ୟ । ଜଣେ ନାବାଳିକା ସ୍କୁଲ ଛାତ୍ରୀ ଦୁଷ୍କର୍ମ ଓ ହତ୍ୟାର ଶୀକାର ହୋଇଥିବା ଅଭିଯୋଗ ହୋଇଛି । କୋଲକାତାର ଆରଜି କର ହସପିଟାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ନେଇ ଆକ୍ରୋଶ ଶାନ୍ତ ପଡିନଥିବା ବେଳେ ୨୪ ପ୍ରଗଣା ଜିଲ୍ଲାରେ ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଏ ଘଟଣା ପରେ ତାତିଛନ୍ତି ସ୍ଥାନୀୟ ଲୋକେ । ଘଟଣାରେ ପୋଲିସ ଉଦାସୀନତା ବିରୋଧରେ ଥାନାରେ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇଦେଇଛନ୍ତି ଉତ୍ତ୍ୟକ୍ତ ଲୋକ । ପୋଲିସ କିନ୍ତ୍‌ୁ କୌଣସି ପ୍ରକାର ଉଦାସୀନତାକୁ ଖଣ୍ଡନ କରିଛି । ପ୍ରାଥମିକ ଯାଂଚ ପରେ ଅଭିଯୁକ୍ତକୁ ଗିରଫ କରାଯାଇଛି ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

କୋଚିଂ ସେଂଟରରୁ ଆଉ ଫେରିନଥିଲେ ନାବାଳିକା

ପଶ୍ଚିମବଙ୍ଗ ୨୪ ପ୍ରଗଣା ଜିଲ୍ଲାର ଏକ ଗାଁରେ ଜଣେ ୯ ବର୍ଷିୟା ସ୍କୁଲ ଛାତ୍ରୀ ଶୁକ୍ରବାର ଅପରାହ୍ନରେ କୋଚିଂ ସେଂଟର ଯାଇ ଆଉ ଘରକୁ ଫେରି ନଥିଲେ । ଖୋଜାଖୋଜି ପରେ ନାବାଳିକାଙ୍କୁ ନପାଇବାରୁ ସ୍ଥାନୀୟ ପୋଲିସରେ ଅଭିଯୋଗ କରିବାକୁ ଯାଇଥିଲେ ପରିବାର ଲୋକେ । କିନ୍ତୁ ଆଉ ଏକ ପୋଲିସ ଥାନାରେ ଅଭିଯୋଗ କରିବା ପାଇଁ କହି ପୀଡିତାଙ୍କ ପରିବାରକୁ ପୋଲିସ ଫେରାଇ ଦେଇଥିବା ଅଭିଯୋଗ ହୋଇଛି । ଶୁକ୍ରବାର ରାତିରେ ଏକ ପୋଖରୀରୁ ମିଳିଥିଲା ନାବାଳିକାଙ୍କ ମୃତଦେହ । ନାବାଳିକାଙ୍କ ମୃତଦେହ ମିଳିବା ପରେ ସ୍ଥାନୀୟ ଅଂଚଳରେ ଦେଖାଦେଇଥିଲା ଉତ୍ତେଜନା । ପୋଲିସ ଉଦାସୀନତା ଅଭିଯୋଗ କରି ଉତ୍ତ୍ୟକ୍ତ ଲୋକେ ସ୍ଥାନୀୟ ପୋଲିସ ଷ୍ଟେସନକୁ ଯାଇଥିଲେ । ହାତରେ ଥିଲା ଝାଡୁ, ଠେଙ୍ଗା ଓ ବାଉଁଶ । ଥାନାରେ କରିଥିଲେ ଭଙ୍ଗାରୁଜା । ଥାନାରେ ନିଆଁ ଲଗାଇଦେଇଥିଲେ । ସବ୍‌ଡିଭିଜନାଲ ପୋଲିସ ଅଫିସର ଆତିଶ ବିଶ୍ୱାସଙ୍କୁ ଘେରାଓ କରିଥିଲେ ଲୋକେ । ଭିଡ ଘଉଡାଇବା ପାଇଁ ପୋଲିସ ବ୍ୟାଟନ ଚାର୍ଜ କରିଥିଲା ।

ନିଷ୍କ୍ରିୟତା ଅଭିଯୋଗକୁ ପୋଲିସର ଖଣ୍ଡନ 

ନାବାଳିକା ସ୍କୁଲ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ନିଷ୍କ୍ରିୟତା ଅଭିଯୋଗକୁ ପୋଲିସ ପକ୍ଷରୁ ଖଣ୍ଡନ କରାଯାଇଛି । ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଅନ୍ୟ କେହି ଘଟଣାରେ ସଂପୃକ୍ତ ଅଛନ୍ତି କି ନାହିଁ, ତାହା ଯାଂଚ କରାଯାଉଛି ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି । ପୀଡିତାଙ୍କ ପରିବାର ଅଭିଯୋଗ ପରେ ପୋଲିସ ତୁରନ୍ତ ଆକସନ୍ ମୋଡ୍‌କୁ ଆସି ଅଭିଯୁକ୍ତକୁ ଚିହ୍ନଟ କରିବା ସହ ଗିରଫ କରିଛି । ଅଭିଯୁକ୍ତ ମଧ୍ୟ ଅପରାଧ ସ୍ୱୀକାର କରିଛି ବୋଲି ଦାବି କରିଛି ପୋଲିସ ।

ଘଟଣା ପରେ ତେଜିଲା ରାଜନୀତି

ନାବାଳିକା ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ପରେ ଶାସକ ତୃଣମୂଳ କଂଗ୍ରେସକୁ ଟାର୍ଗେଟ କରିଛି ବିଜେପି । ଦେବୀ ପକ୍ଷ ଚାଲିଥିବା ବେଳେ ଝିଅମାନଙ୍କୁ ବଳାତ୍କାର ଓ ହତ୍ୟା କରାଯାଉଛି । ତ୍‌ୃଣମୂଳ କଂଗ୍ରେସ ଏଭଳି ଘଟଣାକୁ ଗୁରୁତ୍ୱ ଦେଉନି ବୋଲି ଅଭିଯୋଗ କରିଛନ୍ତି ବିଜେପି ନେତା ସୁକାନ୍ତ ମଜୁମଦାର । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏଫଆଇଆର ସହଜରେ ଗ୍ରହଣ ନ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି କହିଛନ୍ତି ବିଜେପି ନେତା । ସିପିଏମ ନେତା ତନ୍ମୟ ଭଟ୍ଟାଚାର୍ଯ୍ୟ ମଧ୍ୟ ତୃଣମୂଳ ସରକାର ଉପରେ ଦୋଷ ଲଦିଛନ୍ତି । ନାବାଳିକା ଦୁଷ୍କର୍ମ ଓ ହତ୍ୟା ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ସିପିଏମ ନେତା । ଜଣେ ୯ ବର୍ଷିୟା ବାଳିକାଙ୍କୁ ଯେଉଁମାନେ ବଳାତ୍କାର କରିଛନ୍ତି, ମା’ ଦୁର୍ଗାଙ୍କୁ ପୂଜା କରିବାର ଅଧିକାର ସେମାନଙ୍କର ରହିଛି କି ବୋଲି ପ୍ରଶ୍ନ କରିଛନ୍ତି ସିପିଏମ ନେତା ।

Leave A Reply

Your email address will not be published.