Latest Odisha News

BREAKING NEWS

ଦେବଦୂତ ସାଜିଲେ ଆରପିଏଫ କନଷ୍ଟେବଳ : ମରଣ ମୁହଁରୁ ବଞ୍ଚାଇଲେ ରେଳଯାତ୍ରୀଙ୍କୁ

ବ୍ରହ୍ମପୁର: ଦେବଦୂତ ସାଜିଲେ ଆରପିଏଫ କନଷ୍ଟେବଳ । ନିଶ୍ଚିତ ମରଣ ମୁହଁରୁ ବଞ୍ଚାଇଲେ ଜଣେ ରେଳଯାତ୍ରୀଙ୍କୁ । ଯଦି ଆଉ କିଛି ମୁହୂର୍ତ୍ତ ବିଳମ୍ବ ହୋଇଥାନ୍ତା ତେବେ ସବୁକିଛି ବଦଳି ଯାଇଥାନ୍ତା । ରେଳ ଧାରଣା ଭିତରେ ଚାପି ହୋଇ ଯାଇଥାନ୍ତେ ଆସାମର ଜୟଶଙ୍କର ମୁଣ୍ଡା । ଏମିତି ଏକ ଘଟଣା ଘଟିଛି ବ୍ରହ୍ମପୁର ଷ୍ଟେଶନରେ ।

ଆସାମର ଜଖଲବନ୍ଧ ଥାନା ଅନ୍ତର୍ଗତ ସକମୁଠିର ଜୟଶଙ୍କର ମୁଣ୍ଡା ଓ ତାଙ୍କ ପତ୍ନୀ ଜଖଲବନ୍ଧରୁ ଚେନ୍ନାଇ ଯାଉଥିଲେ । ଯୋଜନା ମୁତାବକ ସେମାନେ ବ୍ରହ୍ମପୁର ଷ୍ଟେଶନରେ ଓହ୍ଲାଇ ଅନ୍ୟ ଏକ ଟ୍ରେନରେ ଚେନ୍ନାଇ ଯାଇଥାନ୍ତେ । ଷ୍ଟେଶନରେ ସେମାନେ ଅପେକ୍ଷା କରିଥିବା ବେଳେ ଚେନ୍ନାଇରୁ ଭୁବନେଶ୍ୱର ଯାଉଥିବା ହାୱାଡା ମେଲ ଏକ୍ସପ୍ରେସ ଟ୍ରେନଟି ପ୍ଲାଟଫର୍ମରେ ଲାଗିଲା । ଭୁଲବଶତଃ ଜୟଶଙ୍କର ଓ ତାଙ୍କ ପତ୍ନୀ ସେଥିରେ ଚଢି ଯାଇଥିଲେ । ହେଲେ କିଛି ସମୟ ଭିତରେ ସେମାନେ ଚେନ୍ନାଇ ଯିବା ବଦଳରେ ଚେନ୍ନାଇରୁ ଫେରୁଥିବା ଟ୍ରେନରେ ଚଢି ଯାଇଥିବା ଜାଣିବାକୁ ପାଇଥିଲେ । ଟ୍ରେନଟି ଷ୍ଟେସନ ଛାଡ଼ିବା ପୂର୍ବରୁ ତାଙ୍କ ପତ୍ନୀ ତଳକୁ ଓହ୍ଲାଇ ପଡ଼ିିଥିଲେ । କିନ୍ତୁ ଜୟଶଙ୍କର ତଳକୁ ଓହ୍ଲାଇବା ବେଳକୁ ଟ୍ରେନଟି ପ୍ଲାଟଫର୍ମ ଛାଡି ଦେଇଥିଲା । ଟ୍ରେନର ଗତି ଧୀରେ ଧୀରେ ବଢିବାକୁ ଲାଗିଲା । ଅନ୍ୟ କିଛି ଉପାୟ ନ ପାଇ ଚଳନ୍ତା ଟ୍ରେନରୁ ହଠାତ୍ ଜୟଶଙ୍କର ୧ ନଂ ପ୍ଲାଟଫର୍ମକୁ ଡେଇଁ ପଡିଥିଲେ । ହେଲେ ତାଙ୍କ ଶରୀର ରେଳ ଧାରଣା ଓ ପ୍ଲାଟଫର୍ମ ଭିତରେ ଏକ ପ୍ରକାର ଚାପି ହେବାକୁ ଯାଉଥିଲା । ଏହି ସମୟରେ ପ୍ଲାଟଫର୍ମରେ କାର୍ଯ୍ୟରତ ଆରପିଏଫ କନଷ୍ଟେବଳ ସୂର୍ଯ୍ୟକାନ୍ତ ସାହୁ ଆଖି ସାମ୍ନାରେ ଏଭଳି ଘଟଣା ଦେଖି ତୁରନ୍ତ ଜୟଶଙ୍କରଙ୍କୁ ଟାଣି ଆଣିଥିଲେ । ଫଳରେ ଜୟଶଙ୍କରଙ୍କ ଜୀବନ ବଞ୍ଚିଯାଇଥିଲା । ଜୟଶଙ୍କର ସାମାନ୍ୟ ଆହତ ହୋଇଥିବା ବେଳେ ସୂର୍ଯ୍ୟକାନ୍ତଙ୍କ ଏଭଳି ଉଦ୍ୟମକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.