Latest Odisha News

BREAKING NEWS

ରାଜଧାନୀରେ ଚାଞ୍ଚଲ୍ୟ: ସିକ୍ୟୁରିଟି ଗାର୍ଡ଼ଙ୍କ ଉପରକୁ ଗୁଳି ଚଳାଇଲେ ଅଜଣା ଦୁର୍ବୃତ୍ତ

ଭୁବନେଶ୍ୱର: ରାଜଧାନୀରେ ଶନିବାର ଦିନ ଭୋର୍ ସମୟରେ ଭିନ୍ନ ଭିନ୍ନ ଦୁଇଟି ଘଟଣାରେ ଜଣେ ନିରାପତ୍ତାରକ୍ଷୀଙ୍କ ସମେତ ୩ଜଣ ଅଜଣା ଦୁର୍ବୃତ୍ତଙ୍କ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି ।

ପ୍ରଥମ ଘଟଣାଟି ଘଟିଛି, ରାଜଧାନୀର ବ୍ୟସ୍ତବହୁଳ ଟଙ୍କପାଣି ରୋଡ଼ଠାରେ, ଜଣେ କର୍ତ୍ତବ୍ୟରତ ନିରାପତ୍ତାରକ୍ଷୀଙ୍କ ଉପରକୁ ଆଖିବୁଜା ଗୁଳି ଚାଳନା କରି ଖସି ଚାଲିଯାଇଛନ୍ତି ଅଜଣା ଦୁର୍ବୃତ୍ତ ।

ପୋଲିସ ସୂତ୍ରରୁ ଜଣାପଡ଼ିଛି, ଭୋର୍ ପ୍ରାୟ ୫ଟା ସମୟରେ ୨ଜଣ ଅଜଣା ବ୍ୟକ୍ତି ଟଙ୍କପାଣିସ୍ଥିତ କଲ୍ୟାଣ ମଣ୍ଡପ ନିକଟରେ ପହଞ୍ଚି ସେଠାରେ କର୍ତ୍ତବ୍ୟରତ ସିକ୍ୟୁରିଟି ଗାର୍ଡ଼ ଜ୍ଞାନରଞ୍ଜନ ମଲ୍ଲିକଙ୍କୁ ମାଲିକଙ୍କ ବିଷୟରେ ପଚାରିଥିଲେ । ଶ୍ରୀ ମଲ୍ଲିକ ମାଲିକଙ୍କ ଅନୁପସ୍ଥିତି ଜଣାଇବା ପରେ ଦୁର୍ବୃତ୍ତଙ୍କ ଅନୁରୋଧରେ ପାଣି ପିଇବାକୁ ଦେଇଥିଲେ । ତଳେ ଟଙ୍କା ପଡ଼ିଯାଇଛି ବୋଲି କହିବାରୁ ଶ୍ରୀ ମଲ୍ଲିକ ଟଙ୍କା ଖୋଜୁଥିବା ବେଳେ ଏହି ସମୟରେ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇ ସେଠାରୁ ଚାଲି ଯାଇଥିଲେ ।

ବନ୍ଧୁକ ଗୁଳି ଶବ୍ଦ ଶୁଣି ସ୍ଥାନୀୟ ଲୋକ ସେଠାରେ ରୁଣ୍ଡ ହୋଇଥିଲେ ଏବଂ ସହିଦନଗର ଥାନାକୁ ଜଣାଇଥିଲେ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ସିକ୍ୟୁରିଟି ଗାର୍ଡ଼ଙ୍କୁ ତୁରନ୍ତ ଚିକିତ୍ସା ନିମନ୍ତେ ହସ୍ପିଟାଲକୁ ପଠାଇଥିଲେ ।

ସିକ୍ୟୁରିଟି ଗାର୍ଡ଼ ଜ୍ଞାନରଞ୍ଜନ ମଲ୍ଲିକଙ୍କ ଡ଼ାହାଣ କାନ୍ଧରେ ଗୁଳି ବାଜିଛି ଏବଂ ତାଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି ବୋଲି ଡ଼ାକ୍ତରଖାନା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ସେହିପରି ଅନ୍ୟ ଏକ ଘଟଣାରେ, ବ୍ୟସ୍ତବହୁଳ ମାଷ୍ଟରକ୍ୟାଣ୍ଟିନ ଛକ ଫୁଟପାଥ୍ ଉପରେ ୨ଜଣ ଯୁବକ ଶୋଇଥିବା ଅବସ୍ଥାରେ କିଛି ଅଜଣା ଦୁର୍ବୃତ୍ତଙ୍କ ଅତର୍କିତ ଆକ୍ରମଣରେ ଆହତ ହୋଇଛନ୍ତି ।

ପରେ ଏହି ୨ଜଣ ଆହତ ଯୁବକଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଗଣମାଧ୍ୟମକୁ ସୂଚନାଦେଇ ଆହତ ଯୁବକମାନଙ୍କ ମଧ୍ୟରୁ ଜଣେ କହିଛନ୍ତି, ୩ଜଣ ଅଜଣା ଦୁର୍ବୃତ୍ତ ସେମାନେ ଫୁଟପାଥରେ ଶୋଇଥିବା ବେଳେ ଜଣଙ୍କ ମୁଣ୍ଡକୁ ପଥରରେ ଛେଚି ଦେଇଥିଲେ ।

“ଆମେ ଜାଣିନୁ ସେହି ବ୍ୟକ୍ତିମାନେ କାହିଁକି ଆମକୁ ହଠାତ୍ ଆକ୍ରମଣ କଲେ, ଆମ ସହିତ ସେମାନଙ୍କର କୌଣସି ଶତ୍ରୁତା ମଧ୍ୟ ନାହିଁ,” ବୋଲି କହିଛନ୍ତି ଆହତ ଯୁବକ ଜଣକ ।

ଏହି ଘଟଣା ସମ୍ପର୍କରେ ଜାଣି ଖାରବେଳନଗର ଥାନା ପୋଲିସ ତଦନ୍ତ ଆରମ୍ଭ କରିଦେଇଛନ୍ତି ।

Leave A Reply

Your email address will not be published.