Latest Odisha News

ଗନ୍‌ ପଏଣ୍ଟରେ ଲୁଟ୍‌: ଫାୟାରିଂ କରି ସୁନା ଦୋକାନୀଙ୍କଠୁ ବ୍ୟାଗ୍‌ ଛଡ଼ାଇ ନେଲେ ଦୁର୍ବୃତ୍ତ

ଭୁବନେଶ୍ୱର : ଅସୁରକ୍ଷିତ ହୋଇପଡ଼ିଛି ରାଜଧାନୀ ଭୁବନେଶ୍ୱର। କେତେବେଳେ ମର୍ଡର ତ ଆଉ କେତେବେଳେ ଲୁଟ୍‌ପାଟ୍‌ କରି ଲୋକଙ୍କୁ ଭୟଭୀତ କରି ରଖିଛନ୍ତି ଦୁର୍ବୃତ୍ତ। ଏବେ ଲୁଟେରାଙ୍କ ଟାର୍ଗେଟ୍‌ରେ ସୁନା ଦୋକାନୀ। ରାତିରେ ଦୋକାନ ବନ୍ଦ କରି ଘରକୁ ଫେରିବା ବେଳେ ଟାର୍ଗେଟ୍‌ କରି ଲୁଟ୍ କରୁଛନ୍ତି।

ଗତ କିଛି ଦିନ ମଧ୍ୟରେ ଭୁବନେଶ୍ୱରରେ ଲଗାତାର ଭାବେ ଏଭଳି ଅପରାଧ ଘଟି ଚାଲିଛି। ତଥାପି ପୋଲିସ୍‌ ହାତ ଖାଲି। ଏଭଳି ଅପରାଧିକ ଘଟଣା ବାରମ୍ବାର ଘଟୁଥିଲେ ମଧ୍ୟ ଦୁର୍ବୃତ୍ତମାନଙ୍କୁ ଧରିବାରେ ପୋଲିସ୍‌ ବିଫଳ।

ଗତକାଲି ରାତିରେ ସାମନ୍ତରାପୁରର ଏକ ସୁନା ଦୋକାନୀଙ୍କୁ ଲୁଟ୍ ଉଦ୍ୟମ ବେଳେ ଦୁର୍ବୃତ୍ତମାନେ ଗୁଳିମାଡ଼ କରିଛନ୍ତି।  ସୁନା ଦୋକାନୀ, ସେଲସ୍‌ମ୍ୟାନ୍ ଏପରି ୪ ଜଣ ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ। ଏମାନଙ୍କ ପାଖରେ କିଛି ବ୍ୟାଗ୍ ଥିଲା। ଏହି ସମୟରେ ୩ ଜଣ ଲୁଟେରା ଟାର୍ଗେଟ୍‌ କରି ଲୁଟ୍‌ ଉଦ୍ୟମ କରିଥିଲେ। ୨ ଜଣଙ୍କୁ ଗୁଳିମାଡ଼ କରି ବ୍ୟାଗ୍‌ ଛଡ଼ାଇ ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ଦୁର୍ବୃତ୍ତ।

ହେଲେ ବ୍ୟାଗ୍‌ରେ କୌଣସି ସୁନା ଅଳଙ୍କାର ନଥିଲା। ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଗୁରୁତର ହୋଇପଡ଼ିଥିବା ୨ ଜଣଙ୍କୁ  କ୍ୟାପିଟାଲ୍ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

Comments are closed.