ଭୁବନେଶ୍ବର: ରାଜ୍ୟରେ ଅପରାଧୀଙ୍କ ଟାର୍ଗେଟରେ ଯେମିତି ଛୋଟ ଶିଶୁ ପଡିଛନ୍ତି । ନାବାଳିକା ଅପହରଣ, ହତ୍ୟା, ନିଖୋଜ ପରି ଘଟଣାରେ ଯେମିତି ରୋକ ଲାଗି ପାରୁନି । ଦୁଇ ଦିନ ତଳେ ଦେବଗଡ ବଜାରରୁ ସନ୍ଧ୍ୟାରେ ୭ ବର୍ଷର ଝିଅ ପିହୁକୁ ଜେଜେ ମା’ଙ୍କ ଆଖି ସାମ୍ନାରେ ଝାମ୍ପି ନେଇ ଯାଇଥିଲେ ଦୁର୍ବୃତ୍ତ । ଏହାର ଦିନକ ପରେ ଅର୍ଥାତ ମଙ୍ଗଳବାର ଜଣେ ବାପାଙ୍କ କୋଳରୁ ବର୍ଷକର ଛୋଟ ଶିଶୁକୁ ଝାମ୍ପି ନେଇ ପଳାଇଛନ୍ତି ଅପରାଧୀ । ଏହା ପୁଣି ଘଟିଛି ଖୋଦ ରାଜଧାନୀରେ ।
ମଙ୍ଗଳବାର ଅପରାହ୍ନର ଖବର । ପଟିଆ ଷ୍ଟେସନ ବଜାରରେ ବାପ କାଖରୁ ଜଣେ ବର୍ଷକର ପୁଅକୁ ଦୁର୍ବୃତ୍ତମାନେ ଛଡାଇ ନେଇଛନ୍ତି । ଅପହରଣକାରୀମାନେ ଶିଶୁଟିକୁ ଛଡାଇ ନେଇ କାରରେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି ।
ଅପହୃତ ଶିଶୁର ବାପା ଜଣେ ରଙ୍ଗ ମିସ୍ତ୍ରୀ । ସେ ଗତକାଲି ଅପରାହ୍ନ ସାଢେ ୧୨ଟାରେ ପଟିଆ ଷ୍ଟେସନ ଆସିଥିଲେ କିଛି ସାମଗ୍ରୀ କିଣିବା ପାଇଁ । ସାଙ୍ଗରେ ନିଜ କୁନି ପୁଅକୁ ନେଇ ସେ ଆସିଥିଲେ । ଜିନିଷପତ୍ର କିଣି ସାରିବା ପରେ ସେ ଦୋକାନ ବାହାରେ ଛିଡା ହୋଇଥିଲେ । ହଠାତ ଧଳାରଙ୍ଗର ଏକ କାର ଆସି ତାଙ୍କ ନିକଟରେ ପହଞ୍ଚିଲା । କାର ଭିତରେ ୪ ଜଣ ଯୁବକ ଥିଲେ । ୨ଜଣ ବାହାରି ଆସିଲେ ଏବଂ ତାଙ୍କ କାଖରୁ ପୁଅକୁ ଟାଣି ଆଣି ପଳାଇଥିଲେ । କାରଟି ଲେବୁଲ କ୍ରସିଂ ପାର ହୋଇ ପଟିଆ ବିଗବଜାର ଆଡେ ପଳାଇ ଯାଇଥିଲା । ତାଙ୍କ ପାଟି ଶୁଣି ପାଖ ଲୋକ ଧାଇଁ ଆସିଥିଲେ ହେଲେ ସେତେବେଳକୁ କାରଟି ପଳାଇ ଯାଇଥିଲା ।
ମଞ୍ଚେଶ୍ୱର ଥାନା, ଇନଫୋସିଟି ଥାନା ଏବଂ ଚନ୍ଦ୍ରଶେଖର ଥାନା ପୋଲିସ ବିଭିନ୍ନ ସ୍ଥାନରେ ରୋଡ ବ୍ଲକ କରି ଛାନଭିନ କରିଥିଲେ । ହେଲେ ଶିଶୁର ଠାବ କରିପାରି ନାହିଁ ପୋଲିସ । କାରଟି କଟକ କିମ୍ବା ଚନ୍ଦକା ଦେଇ ଖୋର୍ଦ୍ଧା ପଳାଇ ଯାଇଥିବା ଅନୁମାନ କରୁଛି ପୋଲିସ ।
ଯାହା ବି ହେଉ, ଏବେ ଅପରାଧୀଙ୍କ ଟାର୍ଗେଟରେ ଛୋଟ ଶିଶୁ ପଡିଛନ୍ତି । ଆଖି ସାମ୍ନାରେ ପରିବାର ଲୋକଙ୍କ ହାତରୁ ଶିଶୁଙ୍କୁ ଛଡାଇ ନେଇ ପଳାଇ ଯାଉଛନ୍ତି । ଖୋଲାଖୋଲି ପୋଲିସ ପାଇଁ ଏହା ଚାଲେଞ୍ଜ ହୋଇଛି । ଗତକାଲି ଦେବଗଡରୁ ନିଖୋଜ ପିହୁ ଭଗବାନଙ୍କ ଦୟାରୁ ସୁନ୍ଦରଗଡରୁ ଉଦ୍ଧାର କରିଥିଲା ପୋଲିସ । ହେଲେ ଏହି ବର୍ଷକର ଶିଶୁକୁ କେମିତି ଉଦ୍ଧାର କରାଯିବ ସେ ନେଇ ପୋଲିସ ଚିନ୍ତାରେ।
Comments are closed.