Latest Odisha News

ଗଣେଶ ପୂଜା ଚାନ୍ଦା ନଦେବାରୁ ଜାଳିଦେଲେ ୨ଟି ବାଇକ୍

ସମ୍ବଲପୁର: ଗଣେଶ ପୂଜା ଚାନ୍ଦା ନଦେବାରୁ ଗାଡ଼ି ଜାଳିଦେଲେ ଦୁର୍ବୃତ୍ତ। ସମ୍ବଲପୁର ଜିଲ୍ଲା କ୍ଷେତରାଜପୁର ଥାନା ଅନ୍ତର୍ଗତ ଦୁର୍ଗାପାଲି ଅଞ୍ଚଳରେ ଏହି ଅଘଟଣ ଘଟିଛି। ପୂଜା ଚାନ୍ଦା ନଦେବାରୁ ୨ଟି ବାଇକ ଦୁର୍ବୃତ୍ତ ଜାଳିଦେଇଥିବା ସୂଚନା ରହିଛି।

ଏନେଇ ଥାନାରେ ଅଭିଯୋଗ କରିଛନ୍ତି କ୍ଷେତରାଜପୁର ଥାନା ଅର୍ନ୍ତଗତ ଦୁର୍ଗାପାଲିରେ ରହୁଥିବା ଜୟନ୍ତ ମେହେର। ଜୟନ୍ତ ମେହେରଙ୍କ ଘରକୁ ଚାନ୍ଦା ମାଗିବାକୁ କିଛି ଜଣ ବ୍ୟକ୍ତି ଆସିଥିଲେ। ହେଲେ ଜୟନ୍ତ ଚାନ୍ଦା ଦେବାକୁ ମନା କରିଥିଲେ। ଏହାକୁ ନେଇ ସାମାନ୍ୟ ବଚସା ହୋଇଥିଲା। ପରେ ଚାନ୍ଦା ମାଗିବାକୁ ଆସିଥିବା ଲୋକମାନେ ପଳାଇଯାଇଥିଲେ।

ଗତକାଲି ବିଳମ୍ବିତ ସେହି ବ୍ୟକ୍ତିମାନେ ଆସି ଦୁଇଟି ଗାଡ଼ିରେ ନିଆଁ ଲଗାଇଦେଇଥିବା ଜୟନ୍ତ ଅଭିଯୋଗ କରିଛନ୍ତି। ସ୍ଥାନୀୟ ଲୋକେ ଦୁଇଟି ଗାଡ଼ି ଜଳୁଥିବା ଦେଖି ଜୟନ୍ତଙ୍କ ପରିବାର ଲୋକଙ୍କୁ ଡାକିବା ସହ ଦମକଳ ବାହିନୀକୁ ଖବର ଦେଇଥିଲେ। ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏନେଇ କ୍ଷେତରାଜପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଜୟନ୍ତ। ପୁଲିସ ଘଟଣାର ତଦନ୍ତ କରୁଛି।

Comments are closed.