ଭୁବନେଶ୍ୱର: ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ ପ୍ରସ୍ତାବିତ ସମ୍ବିଧାନ (୧୩୧ତମ ସଂଶୋଧନ) ବିଲ୍ ବିଷୟରେ ମିଛ କହି ଆତଙ୍କ ସୃଷ୍ଟି କରୁଥିବା ଅଭିଯୋଗ କରିଛନ୍ତି। ଯାହା ମହିଳା ସଂରକ୍ଷଣ ବିଲ୍ ଏବଂ ଆଗାମୀ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ସହିତ ଜଡିତ।
କେନ୍ଦ୍ରମନ୍ତ୍ରୀ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ପୋଷ୍ଟରେ କହିଛନ୍ତି ଯେ, ଓଡ଼ିଶାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗତକାଲି ରାଜ୍ୟର ସାଂସଦମାନଙ୍କୁ ପତ୍ର ଲେଖି ୧୩୧ତମ ସମ୍ବିଧାନ ସଂଶୋଧନ ବିଲ୍କୁ ନେଇ ଯେଉଁ ଆଶଙ୍କା ପ୍ରକଟ କରିଛନ୍ତି, ତାହା କେବଳ ଭୟ ସୃଷ୍ଟି କରିବା ଭଳି ମନେହେଉଛି ।
ଏହି ବିଲ୍ ପାରିତ ହେଲେ ଓଡ଼ିଶାର ରାଜନୈତିକ ଏବଂ ଅର୍ଥନୈତିକ ସ୍ୱାର୍ଥ କ୍ଷୁର୍ଣ୍ଣ ହେବ ବୋଲି ଯେଉଁ ଦାବି କରାଯାଉଛି, ତାହା ସମ୍ପୂର୍ଣ୍ଣ ଭାବେ ଭ୍ରମାତ୍ମକ । ଭାରତର ସମ୍ବିଧାନ ଏବଂ ଦେଶର ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କ ଉପରେ ବିଶ୍ୱାସ ରଖିବା ଉଚିତ୍ । ଦେଶର କୌଣସି ରାଜ୍ୟର ଅଧିକାରକୁ କ୍ଷୁର୍ଣ୍ଣ କରାଯିବ ନାହିଁ ବୋଲି ଗୃହମନ୍ତ୍ରୀ ସଂସଦରେ ସ୍ପଷ୍ଟ ଭାବେ କହିଛନ୍ତି ଏବଂ ଓଡ଼ିଶାର ହକ୍ ଏଥିରୁ ବାଦ୍ ପଡ଼ିବ ନାହିଁ । ନୂତନ ସୀମା ନିର୍ଦ୍ଧାରଣ ବା ‘ଡି-ଲିମିଟେସନ’ ପ୍ରକ୍ରିୟା ପରେ ଲୋକସଭାରେ ଓଡ଼ିଶାର ପ୍ରତିନିଧିତ୍ୱ ୩.୯% ରୁ ହ୍ରାସ ପାଇ ୩.୪% ହୋଇଯିବ ବୋଲି ସେ ଚିଠିରେ ଯେଉଁ ତଥ୍ୟ ରଖିଛନ୍ତି, ସେଥିରେ କୌଣସି ସତ୍ୟତା ନାହିଁ । ଓଡ଼ିଶାର ପ୍ରତିନିଧିତ୍ୱ ବଢିବା ନିଶ୍ଚିତ, କମିଯିବାର କୌଣସି ପ୍ରଶ୍ନ ଉଠୁନାହିଁ । ଏଭଳି ମିଥ୍ୟା ଓ ବିଭ୍ରାନ୍ତିକର ତଥ୍ୟ ଦେଇ ରାଜ୍ୟର ଜନସାଧାରଣଙ୍କୁ ଭୟଭୀତ କରିବା ଉଚିତ୍ ନୁହେଁ । ସମୟ ଆସିଲେ ସବୁକିଛି ସ୍ପଷ୍ଟ ହୋଇଯିବ।
ସେ ଆହୁରି ମଧ୍ୟ ଆପଣ ଏବଂ ଆପଣଙ୍କ ଦଳ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’କୁ ସମର୍ଥନ କରିଛନ୍ତି, ଯାହା ସ୍ୱାଗତଯୋଗ୍ୟ, ମାତ୍ର ଏହାକୁ ଖୋଲା ହୃଦୟରେ ଆମେ ସମସ୍ତେ ସମର୍ଥନ କରିବା ଉଚିତ୍ । ଏହି ସଂଶୋଧନ ବିଲ୍ କେବଳ ଓଡ଼ିଶା ପାଇଁ ନୁହେଁ ବରଂ ସମଗ୍ର ଭାରତବର୍ଷର ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ଏକ ଐତିହାସିକ ପଦକ୍ଷେପ ।
ଏହି ପ୍ରସଙ୍ଗକୁ ବିବାଦର ରୂପ ନଦେଇ, ଦେଶର ସାମଗ୍ରିକ ବିକାଶକୁ ଗୁରୁତ୍ୱ ଦେବା ଆବଶ୍ୟକ । ସମ୍ବିଧାନର ମର୍ଯ୍ୟାଦା ରକ୍ଷା କରି ରାଜନୈତିକ ଫାଇଦା ଅପେକ୍ଷା ଦେଶର ସ୍ୱାର୍ଥକୁ ଆମେ ସମସ୍ତେ ପ୍ରାଥମିକତା ଦେବା ଉଚିତ୍ ବୋଲି ମୁଁ ମନେକରୁଛି ।
ଉଲ୍ଲେଖଯୋଗ୍ୟ, ସୀମା ପୁନଃ ନିର୍ଦ୍ଧାରଣ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆଜି ଏକ ଚିଠି ଲେଖି ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାଜ୍ୟ ବିଧାନ ସଭାର ସ୍ୱତନ୍ତ୍ର ଅଧିବେଶନ ଡାକି ଏ ପ୍ରସଙ୍ଗ ରେ ଆଲୋଚନା କରିବା ପାଇଁ ଅନୁରୋଧ କରିଥିଲେ । ନବୀନ ପଟ୍ଟନାୟକ କହିଛନ୍ତି ଯେ, ସମ୍ବିଧାନର ପ୍ରସ୍ତାବିତ ୧୩୧ ତମ ସଂଶୋଧନ ବିଲ୍ ୨୦୨୬ – ସୀମା ପୁନଃ ନିର୍ଦ୍ଧାରଣ ବିଲ୍ ଦ୍ୱାରା ଲୋକସଭାରେ ଆସନ ସଂଖ୍ୟାରେ ବ୍ୟାପକ ପରିବର୍ତ୍ତନ ଘଟିବ । ଲୋକ ସଭାର ସଦସ୍ୟ ସଂଖ୍ୟା ୫୪୩ ରି ୮୫୦ କୁ ବୃଦ୍ଧି ପାଇବ । ବର୍ତ୍ତମାନ ଓଡିଶାର ଲୋକ ସଭା ଆସନ ସଂଖ୍ୟା ୨୧ ଅଛି ଯାହାକି ମୋଟ ଆସନ ସଂଖ୍ୟାର ୩.୯ ପ୍ରତିଶତ । କିନ୍ତୁ ଯଦି ଉପରୋକ୍ତ ସମ୍ବିଧାନ ସଂଶୋଧନ ବିଲ୍ ପାରିତ ହୁଏ ତେବେ ଲୋକସଭାରେ ଓଡିଶାର ପ୍ରତିନିଧିତ୍ୱ ୨୯ କୁ ବୃଦ୍ଧି ପାଇବ । କିନ୍ତୁ ଆନୁପାତିକ ହାରରେ ଏହା ୩.୯ ପ୍ରତିଶତରୁ ୩.୪ ପ୍ରତିଶତକୁ ହ୍ରାସ ଘଟିବ ।