Latest Odisha News

BREAKING NEWS

ଲୋକସେବା ଭବନରୁ ଫାଇଲ୍ ଗାଏବ ଘଟଣା ଏକ ସୁଚିନ୍ତିତ ଷଡ଼ଯନ୍ତ୍ର, ଖୁବଶୀଘ୍ର ପଦାକୁ ଆସିବ ସତ୍ୟ: ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର: ରାଜ୍ୟର ସର୍ବୋଚ୍ଚ ପ୍ରଶାସନିକ କେନ୍ଦ୍ର ଲୋକସେବା ଭବନ ତଥା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମ୍‌ଓ)ରୁ ଗୁରୁତ୍ୱପୂର୍ଣ୍ଣ ଫାଇଲ୍ ହଜିବା କୌଣସି ସାଧାରଣ ତ୍ରୁଟି ନୁହେଁ, ବରଂ ଏହା ଏକ ବଡ଼ ଧରଣର ସୁପରିକଳ୍ପିତ ଷଡ଼ଯନ୍ତ୍ର। ତେବେ ଖୁବଶୀଘ୍ର ଏହି ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ ହେବ ଏବଂ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

 

ରାଜଧାନୀ ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ଯେ, ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାକାଣ୍ଡର ତଦନ୍ତ ସହ ଜଡିତ ଜଷ୍ଟିସ ମହାପାତ୍ର ଏବଂ ଜଷ୍ଟିସ ନାଇଡୁ କମିଶନଙ୍କ ରିପୋର୍ଟ ଉଦ୍ଦେଶ୍ୟମୂଳକ ଭାବେ ଗାଏବ କରିଦିଆଯାଇଛି। ପୂର୍ବତନ ବିଜେଡି ସରକାର ଅମଳରେ ପ୍ରକୃତ ସତ୍ୟକୁ ଲୁଚାଇବା ଉଦ୍ଦେଶ୍ୟରେ ହିଁ ଏହି ସମ୍ବେଦନଶୀଳ ଫାଇଲଗୁଡ଼ିକୁ ସଚିବାଳୟରୁ ହଟାଇ ଦିଆଯାଇଥିଲା ବୋଲି ସେ ସିଧାସଳଖ ଅଭିଯୋଗ କରିଛନ୍ତି।

 

ଏହି ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହାର ତଦନ୍ତ ଭାର ଓଡ଼ିଶା କ୍ରାଇମବ୍ରାଞ୍ଚ ହାତରେ ଅର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ରାଜ୍ୟର ସାଢ଼େ ଚାରି କୋଟି ଜନସାଧାରଣଙ୍କୁ ଆଶ୍ୱାସନା ଦେଇ କହିଛନ୍ତି ଯେ, ଫାଇଲ୍ ଲୁଚାଇବା ଏବଂ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା କୌଣସି ବି ବ୍ୟକ୍ତିବିଶେଷଙ୍କୁ ଛଡ଼ାଯିବ ନାହିଁ। ପ୍ରକୃତ ଷଡ଼ଯନ୍ତ୍ରକାରୀଙ୍କ ଚେହେରା ବହୁତ ଜଲଦି ଓଡ଼ିଶାବାସୀଙ୍କ ସାମ୍ନାକୁ ଆସିବ ଏବଂ ନ୍ୟାୟ ପ୍ରଦାନ କରାଯିବା ପର୍ଯ୍ୟନ୍ତ ଏହି ତଦନ୍ତ ପ୍ରକ୍ରିୟା ଜାରି ରହିବ।

 

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ପ୍ରସଙ୍ଗ ଉଠାଇ ମୁଖ୍ୟମନ୍ତ୍ରୀ ପୂର୍ବତନ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ। ପୂର୍ବ ସରକାର ଏହି ଆଧ୍ୟାତ୍ମିକ ଗୁରୁଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ ଏବଂ ଅପରାଧୀଙ୍କୁ ଉଚିତ୍ ଦଣ୍ଡ ଦେବାରେ ମଧ୍ୟ ଅବହେଳା କରିଥିଲେ। ଏଥିସହିତ ସେ ସ୍ପଷ୍ଟ କରିଛନ୍ତି ଯେ, ବର୍ତ୍ତମାନର ସରକାର ସମସ୍ତ ଧର୍ମକୁ ସମ୍ମାନ କରେ ଏବଂ ଏକତା ତଥା ସଦ୍ଭାବନାରେ ବିଶ୍ୱାସ ରଖେ। କିନ୍ତୁ ସନାତନ ଧର୍ମକୁ ଅସମ୍ମାନ କରିବା, ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇବା ବା ସମାଜରେ ବିଭାଜନ ସୃଷ୍ଟି କରିବା ଭଳି କୌଣସି ପ୍ରୟାସକୁ ଆଦୌ ବରଦାସ୍ତ କରାଯିବ ନାହିଁ।

 

ଶେଷରେ ମୁଖ୍ୟମନ୍ତ୍ରୀ କହିଥିଲେ, “ସ୍ୱାମୀଜୀଙ୍କ ବଳିଦାନ କଦାପି ବୃଥା ଯିବ ନାହିଁ। ତାଙ୍କ ସ୍ମୃତି, ଆଦର୍ଶ ତଥା ସ୍ୱପ୍ନକୁ ସମ୍ମାନ ଜଣାଇବା ପାଇଁ ଆମ ସରକାର ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ।” ଫାଇଲ୍ ଗାଏବ ମାମଲାରେ କ୍ରାଇମବ୍ରାଞ୍ଚର ତଦନ୍ତ ଆରମ୍ଭ ହୋଇଥିବାରୁ ଆଗାମୀ ଦିନରେ ଏହି ଘଟଣାରେ ଅନେକ ବଡ଼ ଗୁମର ଫିଟିବାର ସମ୍ଭାବନା ରହିଛି।

Leave A Reply

Your email address will not be published.