ଶ୍ରୀନଗର: ଜମ୍ମୁ କଶ୍ମୀରର କୁଲଗାମରୁ ନିଖୋଜ ହୋଇଯାଇଥିବା ଭାରତୀୟ ସେନା ଯବାନ ଜାଭେଦ ଅହମ୍ମଦ ୱାନିଙ୍କ ମିଳିଲା ସନ୍ଧାନ। ୫ ଦିନ ପରେ ଗୁରୁବାର ପୋଲିସ ଟିମ ତାଙ୍କୁ ଉଦ୍ଧାର କରିଛି। ଏନେଇ ଜମ୍ମୁ କଶ୍ମୀର ପୋଲିସ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି। ଟ୍ବିଟ ଅନୁଯାୟୀ, ଏଡିଜିପି କଶ୍ମୀର କହିଛି ଯେ ଡାକ୍ତରୀ ପରୀକ୍ଷା ପରେ ଯବାନ ଜାଭେଦ ଅହମ୍ମଦଙ୍କୁ ପଚରାଉଚରା କରାଯିବ। ଏହି ପଚରାଉଚରାରେ ଉଭୟ ସେନା ଏବଂ ପୋଲିସର ଅଧିକାରୀମାନେ ସାମିଲ ହେବେ।
ଯବାନଙ୍କୁ ଉଦ୍ଧାର କରିବା ପରେ ପୋଲିସ ଏପର୍ଯ୍ୟନ୍ତ ଏ ସମ୍ପର୍କରେ କୌଣସି ସୂଚନା ଦେଇନାହିଁ। ସୂଚନା ଥାଉକି, ଜାଭେଦ ଅହମ୍ମଦ ୱାନି ୨୯ ଜୁଲାଇ ଛୁଟିରେ ତାଙ୍କ ଘରକୁ ଆସିଥିଲେ। ଏହି ସମୟରେ ସେ ସନ୍ଧ୍ୟା ପ୍ରାୟ ୮.୩୦ ସମୟରେ ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ତାଙ୍କୁ ବହୁ ଖୋଜାଖୋଜି କରିଲେ ସୁଦ୍ଧା ତାଙ୍କୁ ନପାଇବାରୁ ଯବାନଙ୍କୁ ଅପହରଣ କରାଯାଇଥିବା ପରିବାର ପକ୍ଷରୁ କୁହାଯାଇଥିଲା।
କୁଲଗାମର ଅସ୍ଥଲ ଗାଁର ବାସିନ୍ଦା ଜାଭେଦ ଅହମ୍ମଦ ୱାନି ୨୦୧୩ର ଭାରତୀୟ ସେନାରେ ଯୋଗ ଦେଇଥିଲେ। ସେ ଶାରୀରିକ ଏବଂ ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ଏବଂ ୨୦୧୪ରେ ଭାରତୀୟ ସେନାରେ ନିଯୁକ୍ତ ହୋଇଥିଲେ। ତାଙ୍କୁ କାଶ୍ମୀରର ଲାଇଟ ଇନଫେଣ୍ଟ୍ରି (JAKLI) ରେଜିମେଣ୍ଟର ତୃତୀୟ ବାଟାଲିୟନରେ ସାମିଲ କରାଯାଇଥିଲା।
Comments are closed.