ନୂଆଦିଲ୍ଲୀ: ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନରେ ପରିବେଷଣ ହେଉଥିବା ଖାଦ୍ୟରେ ଏକ ବଡ଼ ଲୁହା ବୋଲ୍ଟ ଥିବାର ଦେଖିବାକୁ ମିଳିଛି। ଯାତ୍ରୀ ନିଜେ ବୋଲ୍ଟ ଥିବା ଖାଦ୍ୟର ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏହି ଘଟଣା ବନ୍ଦେ ଭାରତ ଏକ୍ସପ୍ରେସ ଭଳି ଏକ ମହଙ୍ଗା ଏବଂ ବିଳାସପୂର୍ଣ୍ଣ ଟ୍ରେନରେ ଖାଦ୍ୟର ମାନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଯାତ୍ରୀ ସୋସିଆଲ ମିଡିଆରେ ବଡ଼ ଲୁହା ବୋଲ୍ଟ ଥିବା ଖାଦ୍ୟର ଏକ ଭିଡିଓ ସେୟାର କରିବା ସହ IRCTCକୁ ଟ୍ୟାଗ କରିଥିଲେ। ସମର୍ଥ କୋଡିଆଲ୍ ନାମକ ଜଣେ ଯାତ୍ରୀ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନରେ ବେଙ୍ଗାଲୁରୁରୁ ବେଲାଗାଭି ଯାତ୍ରା କରୁଥିଲେ। ବରା ଖାଉଥିବା ସମୟରେ, ସେ ହଠାତ୍ ତାଙ୍କ ଦାନ୍ତ ମଧ୍ୟରେ ଏକ କଠିନ ଲୁହା ବସ୍ତୁ ଅନୁଭବ କରିଥିଲେ। ସେ ଏଥିରେ ଏକ ବଡ଼ ଲୁହା ବୋଲ୍ଟ ଦେଖି ଚକିତ ହୋଇପଡ଼ିଥିଲେ।
ଏହି ଘଟଣା ପରେ ଯାତ୍ରୀ ଖାଦ୍ୟର ଭିଡିଓ କରି ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ। ଭାରତୀୟ ରେଳବାଇ ଏବଂ IRCTC କୁ ଟ୍ୟାଗ୍ କରିଥିଲେ। ସେ ଏହା ମଧ୍ୟ କହିଛନ୍ତି ଯେ ଖାଦ୍ୟରେ ଲୁହା ବୋଲ୍ଟ ମିଳିବା ଏକ ବଡ଼ ଭୁଲ। ଏହି ଘଟଣାର ତଦନ୍ତ କରାଯିବା ଉଚିତ।
IRCTC ଏହି ଘଟଣାରେ ଦୁଃଖ ପ୍ରକାଶ କରିଛି। ଯାତ୍ରୀଙ୍କ ଇନଷ୍ଟାଗ୍ରାମ ପୋଷ୍ଟର ଉତ୍ତର ଦେଇ IRCTC କହିଛି ଯେ ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ସମ୍ପୃକ୍ତ ସେବା ପ୍ରଦାନକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହା ବ୍ୟତୀତ ରୋଷେଇ ୟୁନିଟ୍ କର୍ମଚାରୀମାନଙ୍କୁ ନିର୍ଦ୍ଧାରିତ SOP ଗୁଡ଼ିକୁ କଠୋର ଭାବରେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଭବିଷ୍ୟତରେ ଏପରି ଘଟଣା ନ ଘଟାଇବା ପାଇଁ ରୋଷେଇ ଆରମ୍ଭ କରିବା ପୂର୍ବରୁ ରୋଷେଇ ଘରର ସମ୍ପୂର୍ଣ୍ଣ ଯାଞ୍ଚ କରିବା ଏବଂ ସମସ୍ତ ଉପକରଣଗୁଡ଼ିକୁ ଭଲ ଭାବରେ ଯାଞ୍ଚ କରିବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
