Latest Odisha News

୨୦୨୧ ଫେବ୍ରୁଆରୀ ବେଳକୁ ଭାରତରେ ପ୍ରତିଦିନ ଆସିବ ୨ ଲକ୍ଷ ୮୭ ହଜାର କରୋନା କେସ୍ !

ଭାରତରେ କରୋନା କାୟା ବିସ୍ତାର କରି ଚାଲିଛି । ପ୍ରତିଦିନ ହଜାର ହଜାର ନୂଆ ସଂକ୍ରମିତ । କେବେ ୨୨ ତ ପୁଣି କେବେ ୨୫ ହଜାର ପଜିଟିଭ୍ କେସ ବାହାରୁଛି । ଆଗକୁ ଆସୁଛି କରୋନା ଝଡ଼ । ଛାତି ଧରାଇଲା ଭଳି ଭବିଷ୍ୟବାଣୀ କରିଛି ମାସାଚୁସେଟସ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ବା ଏମଆଇଟି । ଗବେଷଣାରୁ ଏମିତି କିଛି ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ଏମଆଇଟିର ବିଶେଷଜ୍ଞ ।

ଗବେଷଣାରୁ କୁହାଯାଇଛି ଯେ, ୨୦୨୧ ଶୀତ ଋତୁ ଅର୍ଥାତ ଫେବ୍ରୁଆରୀ ବେଳକୁ ଭାରତରେ ପ୍ରତିଦିନ ୨ ଲକ୍ଷ ୮୭ ହଜାର ଲୋକ ଭୂତାଣୁ ସଂକ୍ରମିତ ହେବେ । ଏଭଳି ହେଲେ ଆସନ୍ତାବର୍ଷ ମାର୍ଚ୍ଚରୁ ମେ ଭିତରେ ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ରୁ ୬୦ କୋଟି ହୋଇଯିବ ।

୮୩ ଟି ଦେଶର କରୋନା ତଥ୍ୟକୁ ବିଶ୍ଳେଷଣ ଓ ଅନୁଧ୍ୟାନ କରି ସଂସ୍ଥାର ବୈଜ୍ଞାନିକମାନେ ଏଭଳି ଆକଳନ କରିଛନ୍ତି । ଭାରତ ସମେତ ବିଶ୍ୱର ଅନେକ ଦେଶରେ କରୋନା ସାଂଘାତିକ ପରିସ୍ଥିତି ଆଣିବ । ଆମେରିକା, ଇରାନ୍, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ, ନାଇଜେରିଆ, ଫ୍ରାନ୍ସ, ଜର୍ମାନୀ, ତୁର୍କୀ ଆଦି ଦେଶରେ ଭାଇରସ ଆଣିବା ସୁନାମୀ ।

ଏମଆଇଟିର ରିସର୍ଚ୍ଚ କହୁଛି ଆମେରିକାରେ ଆସନ୍ତାବର୍ଷ ଫେବ୍ରୁଆରୀ ବେଳକୁ ପ୍ରତିଦିନ୯୫ ହଜାର ନୂଆ କରୋନା କେସ୍ ବାହାରିପାରେ । ସେହିପରି ଦକ୍ଷିଣ ଆଫ୍ରିକାରେ ୨୧ ହଜାର ଓ ଇରାନରେ ଦିନକୁ ୧୭ ହଜାର ଲୋକ ସଂକ୍ରମିତ ହେବା ଆଶଙ୍କା ସୃଷ୍ଟି ହୋଇଛି ।

ଏଯାଏଁ କରୋନା ପାଇଁ କୌଣସି ନିର୍ଦ୍ଦିଷ୍ଟ ଔଷଧ କିମ୍ୱା ଟୀକା ବିକଶିତ କରାଯାଇ ନାହିଁ । ସବୁ ଦେଶର ବୈଜ୍ଞାନିକ ଏଦିଗରେ ଲାଗିଛନ୍ତି । ଯଦି ସମୟ ପୂର୍ବରୁ ଔଷଧ କିମ୍ବା ଟୀକା ବିକଶିତ ନହୁଏ ତେବେ ସଂକ୍ରମଣ ଉଛୁଳିବ ।

Comments are closed.