Latest Odisha News

ଡିସ୍କୋ ଡ୍ୟାନସରଙ୍କୁ ଦାଦାସାହେବ ଫାଲକେ

ମୁମ୍ବାଇ: ବଲିଉଡର ଡିସ୍କୋ ଡ୍ୟାନ୍ସର ଭାବେ ପରିଚିତ ଲୋକପ୍ରିୟ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ପାଇବେ ସମ୍ମାନଜନକ ଦାଦାସାହେବ ଫାଲକେ ପୁରସ୍କାର । ଭାରତୀୟ ଚଳଚ୍ଚିତ୍ର ଜଗତର ସର୍ବୋଚ୍ଚ ସମ୍ମାନ ହେଉଛି ଦାଦାସାହେବ ଫାଲକେ ପୁରସ୍କାର । ଭାରତୀୟ ଚଳଚ୍ଚିତ୍ର ଜଗତକୁ ଉଲ୍ଲେଖନୀୟ ଅବଦାନ ପାଇଁ ମିଥୁନ ପାଇବେ ଦାଦା ସାହେବ ଫାଲକେ ସମ୍ମାନ । କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି । ଦାଦା ସାହେବ ଫାଲକେ ପୁରସ୍କାରର ୫୪ତମ ବିଜେତା ହୋଇଛନ୍ତି ମିଥୁନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିଥୁନଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କୁ କଲଚରାଲ ଆଇକନ ଭାବେ ବର୍ଣ୍ଣନା କରିଛନ୍ତି । ୪୦ରୁ ଅଧିକ ବର୍ଷର ଫିଲ୍ମ କ୍ୟାରିଅରରେ ଅସଂଖ୍ୟ ହିନ୍ଦି, ବଙ୍ଗଳା ଓ ଓଡିଆ ଫିଲ୍ମରେ ଅଭିନୟ କରିଛନ୍ତି ମିଥୁନ ଚକ୍ରବର୍ତ୍ତୀ । ଅଶୀ ଦଶକରେ ମିଥୁନ ଥିଲେ ବଲିଉଡର ଡ୍ୟାନସିଂ ହୀରୋ ।

ନକ୍ସଲ ଆନ୍ଦୋଳନରୁ ଚଳଚ୍ଚିତ୍ର ଜଗତ

୧୯୫୦ ମସିହାରେ କୋଲାକାତାରେ ଜନ୍ମିତ ମିଥୁନ ଚକ୍ରବର୍ତ୍ତୀ ଫିଲ୍ମ ଆଣ୍ଡ୍ ଟେଲିଭିଜନ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ-ଏଫଟିଆଇଆଇର ଛାତ୍ର ଥିଲେ । ଅନେକ ହୁଏତ ଜାଣିନଥିବେ ଯେ, ଫିଲ୍ମ ଦୁନିଆରେ ପ୍ରବେଶ କରିବା ପୂର୍ବରୁ ନକ୍ସଲ ଆନ୍ଦୋଳନରେ ସାମିଲ ହୋଇଥିଲେ ମିଥୁନ । ୧୯୭୬ ମସିହାରେ ଫିଲ୍ମ ଦୁନିଆରେ ପାଦ ରଖିଥିଲେ ମିଥୁନ ଚକ୍ରବର୍ତ୍ତୀ । ମୃଣାଳ ସେନ ନିର୍ଦ୍ଦେଶିତ କଳାତ୍ମକ ହିନ୍ଦି ଫିଲ୍ମ ମୃଗୟା ଥିଲା ମିଥୁନ ଅଭିନୀତ ପ୍ରଥମ ଫିଲ୍ମ । ମୃଗୟାର କାହାଣୀ ଓଡିଆ ଲେଖକ ଭଗବତୀ ଚରଣ ପାଣିଗ୍ରାହୀଙ୍କ କ୍ଷୁଦ୍ର ଗଳ୍ପ ଶିକାର ଉପରେ ଥିଲା ଆଧାରିତ । ନିଜର ପ୍ରଥମ ଫିଲ୍ମରୁ ହିଁ ମିଥୁନଙ୍କୁ ମିଳିଥିଲା ସ୍ୱୀକୃତି । ଶ୍ରେଷ୍ଠ ଅଭିନେତା ଭାବେ ଜାତୀୟ ପୁରସ୍କାର ପାଇଥିଲେ ମିଥୁନ । ୧୯୭୬ ରୁ ୧୯୮୦ ଯାଏଁ ଅନେକ ହିନ୍ଦି ଓ ବଙ୍ଗଳା ଫିଲ୍ମରେ ଅଭିନୟ କରିଥିଲେ ମିଥୁନ । କିଛି ଫିଲ୍ମ ବକ୍ସ ଅଫିସ ହିଟ୍ ହୋଇଥିଲେ ମଧ୍ୟ ମିଥୁନଙ୍କୁ ଜଣେ ବି ଗ୍ରେଡ୍ ଷ୍ଟାର କୁହାଯାଉଥିଲା ।

ଡିସ୍କୋ ଡ୍ୟାନସର ଫିଲ୍ମରୁ ଷ୍ଟାରଡମ୍

ଅଶୀ ଦଶକର ଆରମ୍ଭରୁ ବଲିଉଡରେ ବଦଳିଯାଇଥିଲା ମିଥୁନଙ୍କ ଭାଗ୍ୟ । ୧୯୮୨ରେ ରିଲିଜ ହୋଇଥିଲା ବି. ସୁଭାଷଙ୍କ ଡିସ୍କୋ ଡ୍ୟାନସର । ଏହି ଫିଲ୍ମର ଅପାର ସଫଳତା ମିଥୁନଙ୍କୁ ଦେଇଥିଲା ଷ୍ଟାରଡମ୍ । ବିଦେଶରେ ବି ବେଶ୍ ଲୋକପ୍ରିୟ ହୋଇଥିଲା ଫିଲ୍ମ । ଡିସ୍କୋ ଡ୍ୟାନ୍‌ସର ଫିଲ୍ମ ପରେ ବଢିଥିଲା ମିଥୁନଙ୍କ କ୍ରେଜ୍ । ବଲିଉଡର ଏ ଲିଷ୍ଟର ଭାବେ ମାନ୍ୟତା ପାଇଥିଲେ ମିଥୁନ୍ । ଡ୍ୟାନସିଂ ହୀରୋ ଭାବେ ଲୋକପ୍ରିୟ ହୋଇଥିଲେ ମିଥୁନ । ଘର ଏକ ମନ୍ଦିର, ଜାଗିର, ଡ୍ୟାନସ୍ ଡ୍ୟାନସ୍, କସମ ପୈଦା କରନେ ୱାଲେ କି, ପ୍ୟାର ଝୁକତା ନେହିଁ, ଗୁଲାମୀ ଭଳି ସୁପରହିଟ୍ ଫିଲ୍ମ ଦେଇଥିଲେ ମିଥୁନ । ୧୯୯୦ରେ ରିଲିଜ୍ ହୋଇଥିବା ଅଗ୍ନିପଥରେ ଅମିତାଭ ବଚ୍ଚନଙ୍କ ସହ ଅଭିନୟ କରିଥିଲେ ମିଥୁନ । ଫିଲ୍ମରେ ଜଣେ ଦକ୍ଷିଣ ଭାରତୀୟ ପଇଡ ବିକାଳି ଭାବେ ମିଥୁନଙ୍କ ଅଭିନୟ ବେଶ୍ ପ୍ରଶଂସିତ ହୋଇଥିଲା । ୧୯୮୯ରେ ଲିଡ୍ ଆକ୍ଟର ଭାବେ ମିଥୁନଙ୍କ ସର୍ବାଧିକ ୧୯ଟି ଫିଲ୍ମ ରିଲିଜ ହୋଇଥିଲା, ଯାହା କି ଲିମକା ବୁକ୍ ଅଫ ରେକର୍ଡସରେ ସ୍ଥାନ ପାଇଛି । ହିନ୍ଦି ଓ ବଙ୍ଗଳା ସମେତ ଓଡିଆ ଫିଲ୍ମରେ ବି ଅଭିନୟ କରିଛନ୍ତି ମିଥୁନ । ଏ ଯୁଗର କୃଷ୍ଣ ସୁଦାମା, ସହର ଜଳୁଛି, କୁରୁକ୍ଷେତ୍ର ଭଳି କିଛି ଓଡିଆ ଫିଲ୍ମରେ ଅଭିନୟ ମଧ୍ୟ କରିଛନ୍ତି ମିଥୁନ ।

ତିନି ତିନି ଥର ଶ୍ରେଷ୍ଠ ଅଭିନେତା ଭାବେ ଜାତୀୟ ପୁରସ୍କାର

କେବଳ କମର୍ସିଆଲ ଫିଲ୍ମ ନୁହେଁ, କଳାତ୍ମକ ବା ଆର୍ଟ ଫିଲ୍ମରେ ଅଭିନୟ କରି ଛାପ ଛାଡିଛନ୍ତି ମିଥୁନ । ନିଜର ପ୍ରଥମ ଫିଲ୍ମ ମୃଗୟା ପାଇଁ ମିଥୁନ ଶ୍ରେଷ୍ଠ ଅଭିନେତା ଭାବେ ଜିତିଥିଲେ ଜାତୀୟ ପୁରସ୍କାର । ୧୯୯୨ରେ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ନିର୍ଦ୍ଦେଶିତ ବଙ୍ଗଳା ଚଳଚ୍ଚିତ୍ର ତାହାଦେର କଥାରେ ଅଭିନୟ ପାଇଁ ମିଥୁନଙ୍କୁ ମିଳିଥିଲା ଶ୍ରେଷ୍ଠ ଅଭିନେତାର ଜାତୀୟ ପୁରସ୍କାର । ୧୯୯୭ରେ ସ୍ୱାମୀ ବିବେକନାନ୍ଦ ଫିଲ୍ମରେ ରାମକୃଷ୍ଣ ପରମହଂସ ଭାବେ ଅଭିନୟ କରି ମିଥୁନ ଶ୍ରେଷ୍ଠ ସହ ଅଭିନେତା ଭାବେ ଜିତିଥିଲେ ଜାତୀୟ ପୁରସ୍କାର ।

Leave A Reply

Your email address will not be published.