ଚେନ୍ନାଇ: ଏବେ ଲଗାତାର ତାମିଲନାଡୁ ରାଜନୀତି ସରଗରମ ରହିଛି । କେତେବେଳେ ଭାଷା ବିବାଦ, ତ ଆଉ କେତେବେଳେ ରାଜ୍ୟପାଳଙ୍କ ସହ ବିବାଦ, ଏହାକୁ ନେଇ ଖୁବ୍ ଚର୍ଚ୍ଚାରେ ରହିଛନ୍ତି ତାମିଲନାଡୁ ସରକାର । ହେଲେ ଏହାରି ଭିତରେ ଏବେ ଗୋଟିଏ ବଡ ନିଷ୍ପତ୍ତି ନେଇଛନ୍ତି ଷ୍ଟାଲିନ୍ ସରକାର । ରାଜ୍ୟପାଳଙ୍କ ସହ ବିବାଦ ଭିତରେ, ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ରାଜ୍ୟକୁ ସ୍ୱାୟତ୍ତ କରିବା ପାଇଁ ତାମିଲନାଡୁ ବିଧାନସଭାରେ ଏକ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି । ରାଜ୍ୟକୁ ଆହୁରି କ୍ଷମତାଶାଳୀ କରିବାକୁ ବିଧାନସଭାରେ ଏଭଳି କିଛି ପ୍ରସ୍ତାବ ଉପସ୍ଥାପନା କରିଛନ୍ତି, ଯାହା ପୁଣି ଥରେ ଚର୍ଚ୍ଚାର ବିଷୟ ପାଲଟିଛି ।
ତେବେ ସ୍ବାୟତ୍ତ ପ୍ରସ୍ତାବ ଆଣିବା ସମୟରେ ଷ୍ଟାଲିନ୍ କହିଛନ୍ତି, ଦେଶ ସ୍ୱାଧୀନତାର ୭୫ ବର୍ଷ ପୂରଣ କରିଛି । ଆମ ଦେଶରେ ବିଭିନ୍ନ ଭାଷା, ଜାତି ଏବଂ ସଂସ୍କୃତିର ଲୋକ ବାସ କରନ୍ତି । ଆମେ ସମସ୍ତେ ଏକାଠି ରହୁ । ଡକ୍ଟର ଆମ୍ବେଦକର ଦେଶର ରାଜନୈତିକ ଏବଂ ପ୍ରଶାସନିକ ବ୍ୟବସ୍ଥାକୁ ଏପରି ଭାବରେ ସୃଷ୍ଟି କରିଥିଲେ ଯେ ସମସ୍ତଙ୍କୁ ସୁରକ୍ଷା ଦିଆଯାଇପାରିବ । ହେଲେ ରାଜ୍ୟଗୁଡ଼ିକର ଅଧିକାର ଗୋଟିଏ ପରେ ଗୋଟିଏ ଛଡ଼ାଇ ନିଆଯାଉଛି । ରାଜ୍ୟର ଲୋକମାନେ ସେମାନଙ୍କର ମୌଳିକ ଅଧିକାର ପାଇଁ କେନ୍ଦ୍ର ସରକାରଙ୍କ ସହିତ ଲଢ଼ୁଛନ୍ତି । ଆମକୁ ଆମର ଭାଷା ଅଧିକାରକୁ ସୁରକ୍ଷା ଦେବା ମଧ୍ୟ କଷ୍ଟକର ଲାଗୁଛି । ରାଜ୍ୟଗୁଡ଼ିକ ପ୍ରକୃତରେ ସେତେବେଳେ ପ୍ରଗତି କରିପାରିବେ ଯେତେବେଳେ ସେମାନଙ୍କର ସମସ୍ତ ଆବଶ୍ୟକୀୟ ଅଧିକାର ଏବଂ କ୍ଷମତା ତାଙ୍କ ଆୟତ୍ତରେ ରହିବ ।
ତେଣୁ ରାଜ୍ୟର ଅଧିକାରକୁ ସୁରକ୍ଷା ଦେବା ଏବଂ କେନ୍ଦ୍ର-ରାଜ୍ୟ ସମ୍ପର୍କକୁ ଉନ୍ନତ କରିବା ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଉଛି ବୋଲି ବିଧାନସଭାରେ କହିଛନ୍ତି ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍ । ରାଜ୍ୟକୁ ଅଧିକ ସ୍ୱାୟତ୍ତତା ଅଧିକାର ଦେବା ନେଇ ସୁପାରିଶ କରିବା ପାଇଁ ଏହି ସ୍ୱତନ୍ତ୍ର କମିଟି ଗଠନର ନେତୃତ୍ୱ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି କୁରିଆନ ଜୋସେଫ ନେବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍ । ଏଥିସହିତ ଏହି କମିଟିରେ ପୂର୍ବତନ ଅଧିକାରୀ ଅଶୋକ ଶେଟ୍ଟି ଏବଂ ଏମ୍.ୟୁ. ନାଗରାଜନଙ୍କ ଭଳି ଲୋକଙ୍କୁ ସଦସ୍ୟ ଭାବରେ ସାମିଲ କରାଯିବ । ଏହି କମିଟି ଜାନୁଆରୀ ୨୦୨୬ ସୁଦ୍ଧା ଏକ ମଧ୍ୟବର୍ତ୍ତୀକାଳୀନ ରିପୋର୍ଟ ଦାଖଲ କରିବ ଏବଂ ଦୁଇ ବର୍ଷ ମଧ୍ୟରେ ଏହାର ପୂର୍ଣ୍ଣ ରିପୋର୍ଟ ଏବଂ ସୁପାରିଶ ସରକାରଙ୍କୁ ପ୍ରଦାନ କରିବ ।
ତେବେ କହିରଖୁଛୁ, ପୂର୍ବରୁ ବିଭିନ୍ନ ପ୍ରସଙ୍ଗ ନେଇ ନିଜ ଅଧିକାର କ୍ଷୁର୍ଣ୍ଣ ହୋଇଥିବା ଦାବି କରିଥିଲା ତାମିଲନାହୁ ସରକାର । ପ୍ରଥମେ ଭାଷା ବିବାଦ ଆଉ ଏଇ ନିକଟରେ, ତାମିଲନାଡୁ ସରକାର ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍ ରୁ ମୁକ୍ତ ପାଇଁ କେନ୍ଦ୍ରକୁ ପଠାଇଥିବା ବିଲ୍ କୁ କେନ୍ଦ୍ର ସରକାର ଖାରଜ କରିଦେଇଥିବା ପ୍ରସଙ୍ଗ । ଯେଉଁଥିରେ ଡିଏମକେ ସରକାର ଚାହୁଁଥିଲେ ଯେ ମେଡିକାଲ କଲେଜରେ ପ୍ରବେଶ ଦ୍ୱାଦଶ ମାର୍କ ଉପରେ ଆଧାରିତ ହେଉ । କିନ୍ତୁ କେନ୍ଦ୍ର ଏପରି କରିବା ଜାତୀୟ ସ୍ୱାସ୍ଥ୍ୟ ନୀତି ବିରୁଦ୍ଧ ବୋଲି କହି ଏହାକୁ ଖାରଜ କରିଥିଲା । ଯାହା ରାଜ୍ୟ ସରକାରଙ୍କ ପାଇଁ ଏକ ଶକ୍ତ ଧକ୍କା ଥିଲା । ଏହି ବିଲ୍ ପ୍ରତ୍ୟାଖ୍ୟାନ ଉପରେ ମୁଖ୍ୟମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରିଥିଲେ ଏବଂ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ତାମିଲନାଡୁ ପାଇଁ ଅପମାନ ବୋଲି କହିଥିଲେ । ଏଥିସହିତ ଯଦିଓ କେନ୍ଦ୍ର ସରକାର ଆମର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି, ତଥାପି ଆମର ଲଢ଼େଇ ଶେଷ ହୋଇନାହିଁ, ଏହି ନିଷ୍ପତ୍ତିକୁ କୋର୍ଟରେ ଚ୍ୟାଲେଞ୍ଜ କରାଯିବ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ।
Comments are closed.