Latest Odisha News

ମେଡିକାଲ ପିଜି ପ୍ରଶ୍ନପତ୍ର ଲିକ୍ ଘଟଣା: ଏମ୍‌କେସିଜିରେ ଉଚ୍ଚସ୍ତରୀୟ ଟିମର ତନାଘନା

ବ୍ରହ୍ମପୁର: ଏମକେସିଜି ମେଡିକାଲ କଲେଜର ପିଜି ଶେଷ ବର୍ଷ ପରୀକ୍ଷା ସମୟରେ ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା । ଏହି ମାମାଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି। ତଦନ୍ତ ପାଇଁ ସ୍ଵତନ୍ତ୍ର ଟିମ୍ ଗଠନ କରାଯାଇଛି। ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଏକ ୩ ଜଣିଆ ସ୍ୱତନ୍ତ୍ର ଟିମ୍ ଏମ୍‌କେସିଜି ମେଡିକାଲ କଲେଜରେ ପହଞ୍ଚିଛନ୍ତି। ଏହି ଟିମ୍‌ରେ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ଡାକ୍ତର ବିଜୟ କୁମାର ମିଶ୍ର, ଅତିରିକ୍ତ ସଚିବ ବିଜୟ କୁମାର ଦାସ ଏବଂ ଯୁଗ୍ମ ଡିଏମ୍‌ଇଟି (DMET) ଅନୀଲ କୁମାର ସାହୁ ସାମିଲ ଅଛନ୍ତି।

ପିଜି ପରୀକ୍ଷା ଭଳି ଏକ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ହେବା ଖବର ପ୍ରସାରିତ ହେବା ପରେ ସ୍ୱାସ୍ଥ୍ୟ ବିଭାଗ ଏହାକୁ ଅତ୍ୟନ୍ତ ଗମ୍ଭୀରତାର ସହ ଗ୍ରହଣ କରିଛି। ଏହି ଉଚ୍ଚସ୍ତରୀୟ ଟିମ୍ ଏମ୍‌କେସିଜିରେ ପହଞ୍ଚି ପରୀକ୍ଷା ପରିଚାଳନା ସହ ଜଡ଼ିତ ବିଭିନ୍ନ ଦସ୍ତାବେଜର ଅନୁଧ୍ୟାନ କରିବା ସହ କଲେଜର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରୁଛନ୍ତି। କେଉଁ ପରିସ୍ଥିତିରେ ଏବଂ କେଉଁ ସ୍ତରରେ ପ୍ରଶ୍ନପତ୍ର ଲିକ୍ ହେଲା, ସେ ନେଇ ତଥ୍ୟ ସଂଗ୍ରହ କରାଯାଉଛି। ତଦନ୍ତ ପ୍ରକ୍ରିୟା ଶେଷ ହେବା ପରେ ଏହି ଟିମ୍ ସରକାରଙ୍କୁ ଏକ ବିସ୍ତୃତ ରିପୋର୍ଟ ପ୍ରଦାନ କରିବେ।

ଏହି ରିପୋର୍ଟ ଆଧାରରେ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି। ତେବେ ମେଡିକାଲ ପରୀକ୍ଷାରେ ଯାଞ୍ଚ କଡାକଡି ହେଉଥିବାବେଳେ କିଏ ଓ କିଭଳି ପରୀକ୍ଷା ପ୍ରଶ୍ନପତ୍ର ଫଟୋ ଉଠାଇ ସୋସିଆଲ ମିଡିଆ ୱାଟସଆପ ଗ୍ରୁପରେ ପୋଷ୍ଟ କରିଥିଲେ ଏବଂ ଗ୍ରୁପରେ ତାହାର ଉତ୍ତର ପାଇଥିଲେ ତାହାକୁ ନେଇ ଚର୍ଚ୍ଚା ଲାଗିରହିଛି । ମେଡିକାଲ ଶିକ୍ଷା କ୍ଷେତ୍ରରେ ଏଭଳି ଅନିୟମିତତାକୁ ନେଇ ବର୍ତ୍ତମାନ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି ।

Comments are closed.