Latest Odisha News

BREAKING NEWS

କଂଗ୍ରେସ ଆଗରେ ବିଜେଡି ପଛରେ !

ଭୁବନେଶ୍ବର: ଧାରଣା, ବିକ୍ଷୋଭ, ବିରୋଧ । ଗତ ୧୩ଦିନ ହେଲା ବିଧାନସଭା ହୁଲସ୍ତୁଲ କରୁଛି କଂଗ୍ରେସ । ନାରୀ ସୁରକ୍ଷା ପ୍ରସଙ୍ଗରେ କେତେବେଳେ କଳା ପୋଷାକ ପିନ୍ଧି ତ କେତେବେଳେ ଘଣ୍ଟ, ମହୁରୀ ବଜାଇ ପ୍ରତିବାଦ କରୁଛି ଦଳ । ଆକ୍ରାମକ ମୁଦ୍ରାରେ ରହିଛନ୍ତି କଂଗ୍ରେସର ୧୪ବିଧାୟକ । ଦଳର ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ ନିଲମ୍ବନ ହେଉ କି ବିଧାନସଭାରେ ମହିଳା ସୁରକ୍ଷା ପ୍ରସଙ୍ଗ ଉଠାଇବା, ଅନେକ ଦିନ ପରେ ସଂଗଠିତ ନଜର ଆସୁଛି କଂଗ୍ରେସ । ରାଜ୍ୟର ରାଜନୈତିକ ଦୃଶ୍ୟପଟ୍ଟରେ ଦଳ ଧୀରେ ଧୀରେ ମୁଖ୍ୟ ବିରୋଧୀ ଦଳ ଭାବେ ଉଭା ହେଲାଣି। ହେଲେ ୫୧ ବିଧାୟକ ଥାଇ ମଧ୍ୟ ବିଜେଡି ସେଭଳି ସଂଗଠିତ ଦେଖାଯାଉନି । ଏଭଳି ଜାରି ରହିଲେ, ବିଜେଡି ଥାଉ ଥାଉ କଂଗ୍ରେସ ବାଜି ମାରିନେବ ବୋଲି ଚର୍ଚ୍ଚା ହେଉଛି ।

ରାଜନୈତିକ ଦୃଶ୍ୟପଟ୍ଟ କଂଗ୍ରେସ ଆକ୍ଟିଭ୍
ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟରେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି କଂଗ୍ରେସ । ବିଧାନସଭାରେ ବେଶ୍ କିଛି ଦିନ ବିରୋଧ ପ୍ରଦର୍ଶନ ପରେ ମଙ୍ଗଳବାର ରାତିରେ ୧୨ଜଣ ଓ ବୁଧବାର ଆଉ ୨ଜଣ କଂଗ୍ରେସ ବିଧାୟକଙ୍କୁ ନିଲମ୍ବିତ କରିଛନ୍ତି ବାଚସ୍ପତି । କଂଗ୍ରେସ ବିଧାୟକଙ୍କ ନିଲମ୍ବନକୁ ନେଇ ବିଧାନସଭା ଭିତରେ ଓ ବାହାରେ ହାଇଡ୍ରାମା ଦେଖିବାକୁ ମିଳିଛି। ପ୍ରତିବାଦରେ କଂଗ୍ରେସ ବିଧାୟକଙ୍କ ସହ ରାଜ୍ୟର ବରିଷ୍ଠ ନେତା ଲୋୟର ପିଏମଜିରେ ଆନ୍ଦୋଳନ କରିଥିଲେ । ପରେ ବିଧାନସଭା ବାହାରିଥିଲେ କଂଗ୍ରେସ ବିଧାୟକ । ଘଣ୍ଟ ବଜାଇ ବିଧାନସଭା ଯିବା ବେଳେ ସେମାନଙ୍କୁ ପୋଲିସ ଅଟକାଇଥିଲା । ଫଳରେ ଉଭୟ କଂଗ୍ରେସ କର୍ମୀ ଓ ପୋଲିସ ମୁହାଁମୁହିଁ ହୋଇଥିଲେ ।
ବାଇଟ୍-

ସମର୍ଥନରେ ବାହାରିଲା ବିଜେଡି
କଂଗ୍ରେସ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଥିବା ବେଳେ ସମର୍ଥନରେ ବାହାରିଥିଲା ବିଜେଡି । ବିଧାନସଭା ଗେଟ୍ ସାମନା ପାଲଟିଥିଲା ରଣକ୍ଷେତ୍ର । ପୋଲିସ ବ୍ୟାରିକେଡ୍ ଭାଙ୍ଗି ଦେଇଥିଲେ ବିଜେଡି ଓ କଂଗ୍ରେସ । ବିଜେପି ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ ସମାଲୋଚନା କରିଥିଲେ ବିଜେଡି ନେତା । କଂଗ୍ରେସ ଛୋଟ ଦାବି ରଖିଥିଲା । ହେଲେ ବିଜେପି ସରକାର ଗୃହ କମିଟି ଗଠନ କରିବାକୁ ସହମତ ହେଲେନି । ସରକାର ସଂପୂର୍ଣ୍ଣ ଅଗଣତାନ୍ତ୍ରିକ ଓ ଏକଛତ୍ରବାଦୀ ବୋଲି ବିଜେଡି କହିଛି । ଓବିସି ପ୍ରସଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ କାହିଁକି ବିଧାନସଭା ଭିତରେ ପୋଲିସ ପୂରାଇଲେ ସେନେଇ ଉତ୍ତର ରଖିବାକୁ ବିଜେଡି ଦାବି କରିଛି ।

କାହିଁକି ଆଗରେ କଂଗ୍ରେସ ପଛରେ ବିଜେଡି?
କଂଗ୍ରେସ ମହିଳା ସୁରକ୍ଷା ଭଳି ସମ୍ବେଦନଶୀଳ ଘଟଣାରେ ବିକ୍ଷୋଭ କରୁଛି । ଏହି ପ୍ରସଙ୍ଗ ସାଧାରଣ ଜନତାଙ୍କ ପ୍ରସଙ୍ଗ । କଂଗ୍ରେସ ବିଧାୟକ ପ୍ରସଙ୍ଗକୁ ନେଇ ଲଗାତର ବିରୋଧ ପ୍ରଦର୍ଶନ କରୁଥିବା ବେଳେ ରାଜ୍ୟ ନେତୃତ୍ବଙ୍କ ପକ୍ଷରୁ ସେମାନଙ୍କୁ ଲଗାତର ସମର୍ଥନ ମିଳୁଛି । ତାରାଙ୍କୁ ପ୍ରଥମେ ନିଲମ୍ବନ କରାଯାଇଥିବା ବେଳେ କଂଗ୍ରେସ ନେତୃତ୍ବ ତାଙ୍କ ସପକ୍ଷରେ ବାହାରିଥିଲେ । ଏଥର ବି ୧୨ବିଧାୟକଙ୍କୁ ନିଲମ୍ବନ ପରେ ଲୋୟର ପିଏମଜିରେ ଏକାଠି ହୋଇଥିଲେ ଦଳର ବରିଷ୍ଠ ନେତା । ଖାଲି ସେତିକି ନୁହେଁ ପିସିସି ସଭାପତିଙ୍କ ସହ ଦଳର ବରିଷ୍ଠ ନେତା ପ୍ରେସମିଟ୍ କରି ବିଧାୟକଙ୍କ ସପକ୍ଷରେ ଓ ବିଜେପି ବିରୋଧରେ ଯୁକ୍ତି ବାଢିଛନ୍ତି । ତେବେ ୨୪ବର୍ଷ ଧରି ଶାସନରେ ଥିବା ବିଜେଡି କଂଗ୍ରେସ ଭଳି ସଂଗଠିତ ନଜର ଆସୁନି । ଦଳ ଦୀର୍ଘ ବର୍ଷ ଧରି କ୍ଷମତାରେ ରହିଥିବା ବେଳେ ଏବେ ଓବିସି ସଂରକ୍ଷଣ ପ୍ରସଙ୍ଗ ଉଠାଇବାକୁ ନେଇ ଅନେକ ପ୍ରଶ୍ନ ଉଠୁଛି । କାହିଁକି ନିଜେ ସରକାରରେ ଥିବା ବେଳେ ପଦକ୍ଷେପ ନେଇନଥିଲା ବିଜେଡି? ସେପଟେ ବିଧାନସଭା ଚାଲିଥିବା ବେଳେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନିଜେ ଉପସ୍ଥିତ ନାହାନ୍ତି । ମହିଳା ବିରୋଧୀ ହିଂସାକୁ ନେଇ ଗୃହ କମିଟି ଦାବି କରୁଛି କଂଗ୍ରେସ । ଦାବିର ମାଧ୍ୟମ ଯେମିତି ବି ହେଉ, ରାଜନୈତିକ କାନଭାସରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି କଂଗ୍ରେସ । ଲୋକଙ୍କ ଆଗରେ ଏକପ୍ରକାର ମୁଖ୍ୟ ବିରୋଧୀ ଦଳ ପାଲଟିଛି କଂଗ୍ରେସ । ମାତ୍ର ୧୪ଜଣ ବିଧାୟକ ଥାଇ ମଧ୍ୟ ରାଜ୍ୟ ରାଜନୀତିକୁ ହୁଲସ୍ତୁଲ କରୁଛି କଂଗ୍ରେସ। ଯେବେକି ୫୧ ବିଧାୟକ ଥାଇ ମଧ୍ୟ ବିଜେଡି ଦିଗହରା ଲାଗୁଛି । ଏଭଳି ଜାରି ରହିଲେ ରାଜ୍ୟ ରାଜନୀତିରେ ବିଜେଡି ପ୍ରାସଙ୍ଗିକତା ହରାଇବା ନେଇ ଆଶଙ୍କା ଦେଖାଦେଇଛି ।

ବ୍ୟୁରୋ ରିପୋର୍ଟ, ଓଡିଶା ସମ୍ବାଦ

Comments are closed.