Latest Odisha News

BREAKING NEWS

ବିଧାୟକ ବନାମ ବିଡିଓ ପାର୍ଟ ଟୁ: ତାରା କହିଲେ ବିଡିଓ ଶିଖିନାହାନ୍ତି ବ୍ୟବହାର

ପାପଡାହାଣ୍ଡି: କୋରାପୁଟ ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅଫିସ ସାମ୍ନାରେ ଦୁର୍ନୀତି ଅଭିଯୋଗରେ ବରିଷ୍ଠ କଂଗ୍ରେସ ନେତା ତଥା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ନେତୃତ୍ୱରେ କଂଗ୍ରେସ ସଦସ୍ୟମାନେ ବ୍ଲକ ଉନ୍ନୟନ ଅଧିକାରୀଙ୍କ ଅଫିସ ଘେରାଉ କରିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ବିଡିଓ ରଞ୍ଜିତା ମଲ୍ଲିକଙ୍କ ଦ୍ୱାରା ବ୍ଲକରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରି କଂଗ୍ରେସ ପକ୍ଷରୁ ପାପଡାହାଣ୍ଡି ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

ଏହି ସମୟରେ ବିଧାୟକ ଏବଂ ବିଡିଓଙ୍କ ମଧ୍ୟରେ ବାକ ଯୁଦ୍ଧ ହୋଇଥିଲା। ବାହିନୀପତି ବିଡିଓଙ୍କୁ ଜଣେ ଦୁର୍ନୀତିଗ୍ରସ୍ତ ଅଧିକାରୀ ବୋଲି କହିଥିଲେ। ଜୟପୁରରେ ସେ ତହସିଲଦାର ଥିବା ବେଳେ ଅନେକ ଲୋକ ଘର ପାଇପାରିନାହାନ୍ତି । ସେ ପଇସା ଏବେର ବିଡିଓ ରଞ୍ଜିତା ମଲିକ ଖାଇଛନ୍ତି ବୋଲି କହିଥିଲେ । ଜବାବରେ ବିଡିଓ ରଞ୍ଜିତା ମଲିକ କହିଥିଲେ, ସେ କାହାରି ପଇସା ଖାଇ ନାହାନ୍ତି । ତାଙ୍କ ବିରୋଧରେ ଆସିଥିବା ଅଭିଯୋଗର ସତ୍ୟତା ନାହିଁ। ପରେ ବିବାଦ ଏତେ ମାତ୍ରାରେ ବଢିଥିଲା ଯେ ଯାହାକି ସୋଶିଆଲ ମିଡିଆରେ ଗୋଟିଏ ବଡ ପ୍ରସଙ୍ଗ ପାଲଟିଛି । ପ୍ରଥମ ଥର ପାଇଁ ବୋଧହୁଏ ଜଣେ ନିର୍ବାଚିତ ପ୍ରତିନିଧି ଏବଂ ସରକାରୀ ଅଧିକାରୀ ମୁହାଁମୁହିଁ ହେଲେ କଣ ହୁଏ ତାହା ସାମ୍ନାକୁ ଆସିଛି।

ପରେ ବାହିନୀପତି ଗଣମାଧ୍ୟମକୁ କହିଛନ୍ତି, ବିଡିଓଙ୍କ କାର୍ଯ୍ୟ ଓ ଆଚରଣରେ ଆମେ ଅତିଷ୍ଠ ହୋଇପଡ଼ୁଛୁ। ମହିଳା ନିର୍ଯାତନା ମାମଲାରେ ଗିରଫ କରିବା ପାଇଁ ସେ ଲୋକଙ୍କୁ ଧମକ ଦେଉଛନ୍ତି । ସେ ଜଣେ ଜନପ୍ରତିନିଧିଙ୍କ ସହ କେମିତି ବ୍ୟବହାର କରାଯାଏ ତାହା ଜାଣନ୍ତି ନାହିଁ। ଏପରିକି ବାରମ୍ବାର ଅଭିଯୋଗ ପରେ ମଧ୍ୟ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉନଥିବା ଜୟପୁର ବିଧାୟକ ଅଭିଯୋଗ କରିଛନ୍ତି।

ତେବେ ବିଡିଓ ରଞ୍ଜିତା ମଲ୍ଲିକ ଅଭିଯୋଗକୁ ଖଣ୍ଡନ କରିବା ସହ ତାଙ୍କୁ ବାହିନିପତି ଦୁର୍ବ୍ୟବହାର କରିଥିବା କହିଛନ୍ତି। ସେ କହିଛନ୍ତି, ଜୟପୁରର ବିଧାୟକଙ୍କର ଏଠାରେ କି କାମ। କିନ୍ତୁ ସେ କଂଗ୍ରେସ ସଦସ୍ୟଙ୍କୁ ଏକାଠି କରି ମୋ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିବା ପରେ ମୋ ସହ ଦୁର୍ବ୍ୟବହାର କରିଥିଲେ। ବିଧାୟକ ତାଙ୍କୁ ମଧ୍ୟାହ୍ନ ଭୋଜନ କରିବାକୁ ନଦେଇ ଜୋର ଜବରଦସ୍ତ ଅଫିସରେ ବସାଇଥିଲେ ବୋଲି ସେ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ, ତିଲେଇବଣି ବିଡିଓଙ୍କୁ ମାଡ଼ ମାରିବା ଅଭିଯୋଗରେ ରବିବାର ଦେବଗଡ଼ ପୁଲିସ ସ୍ଥାନୀୟ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଓ ତାଙ୍କ ଦୁଇ ସହଯୋଗୀଙ୍କୁ ଗିରଫ କରିଥିଲା । ଏବେ ସମାନ ଘଟଣା ଜଣେ ବିଡିଓ ଏବଂ ବିଧାୟକଙ୍କ ମଧ୍ୟରେ ଘଟିଛି।

Leave A Reply

Your email address will not be published.