Latest Odisha News

BREAKING NEWS

ମୋ ସ୍କୁଲ ଅଭିଯାନରେ ସାମିଲ ହେବ ୧୦୦ ସ୍କୁଲ

ଭୁବନେଶ୍ୱର: ମୋ ସ୍କୁଲ ଅଭିଯାନରେ ସାମିଲ ହେବାକୁ ଯାଉଛି ୧୦୦ ସ୍କୁଲ। ଏପରିକି ଛାତ୍ରଛାତ୍ରୀଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିହେବ ବୋଲି ସୂଚନା ମିଳିଛି।

ତୋଷାଳି ଭବନସ୍ଥିତ ମୋ ସ୍କୁଲ ଅଭିଯାନ ପରିଚାଳନା ସଂଗଠନ କାର୍ଯ୍ୟାଳୟରେ ‘ମୋ ସ୍କୁଲ ଅଭିଯାନ’ର ୭ମ ପରିଚାଳନା ପରିଷଦ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି ।

ଏହି ଅବସରରେ ମୋ ସ୍କୁଲର ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀ କହିଛନ୍ତି ଯେ ମୋ ସ୍କୁଲ ଅଧୀନରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇ ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଯେଉଁଥିପାଇଁ ଆସନ୍ତା ଏକ ବର୍ଷ ମଧ୍ୟରେ ରାଜ୍ୟର ୩୦ଟି ଜିଲ୍ଲାରେ ୧୦୦ଟି ସ୍କୁଲକୁ ଚୟନ କରାଯାଇ ସେଗୁଡ଼ିକୁ ମଡେଲ୍ ସ୍କୁଲ ଭାବରେ ବିକଶିତ କରାଯିବ।

ଏଥିରେ ପ୍ରତ୍ୟେକଟି ଜିଲ୍ଲାରୁ ଅତିକମ୍‌ରେ ୩ଟି ଲେଖାଏଁ ବିଦ୍ୟାଳୟ ରହିବ । ଚଳିତ ବର୍ଷଠାରୁ ମୋ ସ୍କୁଲ ଅଭିଯାନ ମାଧ୍ୟମରେ ଷ୍ଟୁଡେଣ୍ଟ ଆଡ୍‌ପସନ୍ (ପୋଷ୍ୟ ଛାତ୍ର) କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରାଯିବ।

ଏହା ମାଧ୍ୟମରେ ପୁରାତନ ଛାତ୍ରଛାତ୍ରୀ ଏବଂ ଇଚ୍ଛୁକ ବ୍ୟକ୍ତିବିଶେଷମାନେ ୧୦୦ଟି ବିଦ୍ୟାଳୟର ଏକ ହଜାର ଛାତ୍ରଛାତ୍ରୀଙ୍କୁ ପୋଷ୍ୟ ଭାବେ ଗ୍ରହଣ କରି ସେମାନଙ୍କ ପାଠପଢ଼ାର ସମସ୍ତ ବିଷୟ ବୁଝିବେ ।

ସେହିପରି ପ୍ରଶାସନିକ ଅଧିକାରୀ, ରାଜନୈତିକ ବ୍ୟକ୍ତିବିଶେଷ, କର୍ପୋରେଟ୍‌ରେ କାର୍ଯ୍ୟରତ ବ୍ୟକ୍ତିବିଶେଷଙ୍କୁ ପୋଷ୍ୟ
ଛାତ୍ର କାର୍ଯ୍ୟକ୍ରମରେ ସାମିଲ କରାଯାଇ ଅଧିକରୁ ଅଧିକ ଛାତ୍ରଛାତ୍ରୀଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ଉତ୍ସାହିତ କରାଯିବ । ସେହିଭଳି ମୋ ସ୍କୁଲ ସହ ଅଧିକରୁ ଅଧିକ ପୁରାତନ ଛାତ୍ରଛାତ୍ରୀଙ୍କୁ ସଂଯୋଗ କରାଯିବ ଏବଂ ଅଭିଯାନକୁ ରାଜ୍ୟବ୍ୟାପୀ ବ୍ୟାପକ କରାଯିବ।

ରାଜ୍ୟରେ ୧୦୦ଟି ବିଦ୍ୟାଳୟକୁ ମଡେଲ ସ୍କୁଲ ଭାବେ ବିକଶିତ
କରିବା ସହ ରାଜ୍ୟର ବିଭିନ୍ନ ସ୍କୁଲରେ ଚାଲୁ ରହିଥିବା ପ୍ରକଳ୍ପର ଅଗ୍ରଗତି ଓ ତାହାର କାର୍ଯ୍ୟକାରିତା ଉପରେ ଶ୍ରୀମତୀ ବାଗ୍‌ଚୀ ପ୍ରକାଶ କରିିଛନ୍ତି।

ମୋ ସ୍କୁଲ ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବା ରାଜ୍ୟର ୨୫ ହଜାର ସ୍କୁଲରେ ଭିତ୍ତିଭୂମି ବିକାଶ ସହ ଛାତ୍ରଛାତ୍ରୀମାନଙ୍କୁ ଯେପରି ଗୁଣାତ୍ମକ ଶିକ୍ଷାଦାନ ଏବଂ ଆବଶ୍ୟକୀୟ ସୁବିଧା ସୁଯୋଗ
ମିଳିପାରିବ ସେ ଦିଗରେ ‘ମୋ ସ୍କୁଲ୍‌’ କାର୍ଯ୍ୟ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ
ସଚିବ ସତ୍ୟବ୍ରତ ସାହୁ କହିଛନ୍ତି।

‘ମୋ ସ୍କୁଲ’ ପକ୍ଷରୁ ଆସନ୍ତା ଶିକ୍ଷାବର୍ଷଠାରୁ ଭଲ ପ୍ରଦର୍ଶନ କରିଥିବା ଶିକ୍ଷକ, ଶିକ୍ଷୟିତ୍ରୀ ଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ଉତ୍ସାହିତ କରିବା ଲାଗି ପୁରସ୍କୃତ କରାଯିବ।

ମେଣ୍ଟର କନେକଫ କାର୍ଯ୍ୟକ୍ରମରେ ସମଗ୍ର ରାଜ୍ୟରୁ ୧୦୦ଟି ବିଦ୍ୟାଳୟକୁ ମନୋନୀତ କରାଯାଇ ୧୦୦ ଜଣ ମେଣ୍ଟରଙ୍କୁ ଚୟନ କରାଯାଇଥିବା ବେଳେ ‘ଷ୍ଟୁଡେଣ୍ଟସ୍ ମେଣ୍ଟରିଂ’ କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ଏହି ଅବସରରେ ୨୦୨୦ ମାର୍ଚ୍ଚ ୩ ତାରିଖରେ ଅନୁଷ୍ଠିତ ଷଷ୍ଠ ପରିଚାଳନା ପରିଷଦ ବୈଠକରେ ସ୍ଥିରୀକୃତ ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି ସଂପର୍କରେ ସମୀକ୍ଷା କରାଯାଇଥିଲ।

ମୋ ସ୍କୁଲ ଅଭିଯାନ ପରିଚାଳନା ସଂଗଠନର ବିଗତ କାର୍ଯ୍ୟକାରୀ ପରିଷଦ ବୈଠକରେ ସାଧାରଣ ପରିଷଦର ଅନୁମୋଦନ ପାଇଁ ଉପସ୍ଥାପନ କରାଯାଇଥିଲା ।

ଏହି ବୈଠକରେ ଓଏସ୍‌ଇପିଏ ଭୁପେନ୍ଦ୍ର ସିଂ ପୁନିଆ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ରଶିଦ୍ ଖାନ୍‌, ଏସ୍‌ସି ଓ ଏସ୍‌ଟି ଉନ୍ନୟନ ବିଭାଗର ନିର୍ଦ୍ଦେଶକ ଗୁହା ପୁନମ୍‌, ଗଣଶିକ୍ଷା ବିଭାଗର ଉପସଚିବ ତଥା ମୋ ସ୍କୁଲ ଅଭିଯାନର ଭାରପ୍ରାପ୍ତ ଅଧିକାରୀ ପ୍ରତିଭା ଦୋରା ପ୍ରମୁଖ ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.