ପୁଞ୍ଚ: ଜାମ୍ମୁ କାଶ୍ମୀରର ଦୁଇଟି ଜିଲ୍ଲାରେ ମୋବାଇଲ ଇଣ୍ଟରନେଟ୍ ସେବା ବନ୍ଦ । ପୁଞ୍ଜ ଏବଂ ରଜୌରୀରେ ମୋବାଇଲ ଇଣ୍ଟରନେଟ୍ ସେବାକୁ ବନ୍ଦ କରାଯାଇଛି । ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ୍ ପାଇଁ ଏଭଳି କରାଯାଇଥିବା ସୂଚନା ମିଳିଛି । ପୁଞ୍ଜରେ ୪ଜଣ ଯବାନ ସହିଦ ହେବା ପରେ କଡାକଡି ଭାବେ ଯାଞ୍ଚ କରାଯାଉଛି । ଆତଙ୍କବାଦୀ ଲୁଚି ରହିଥିବା ଆଶଙ୍କାରେ ସର୍ଚ୍ଚ ଅପରେସନ୍ ଜାରି ରହିଛି । ସୂଚନା ଅନୁସାରେ ଗୁରୁବାର ସନ୍ଧ୍ୟାରେ ଆତଙ୍କବାଦୀମାନେ ସେନା ଗାଡି ଉପରେ ଗୁଳି ଚଳାଇଥିଲେ।
ଏହି ଆକ୍ରମଣରେ ତିନିଜଣ ସୈନିକ ଘଟଣାସ୍ଥଳରେ ଶହୀଦ ହୋଇଥିବାବେଳେ ଅନ୍ୟ ତିନିଜଣ ଆହତ ହୋଇଥିଲେ। ପରେ ଚିକିତ୍ସାଧିନ ଅବସ୍ଥାରେ ଆଉ ଜଣେ ସୈନିକଙ୍କର ମୃତ୍ୟୁ ଘଟିଥିଲା । ଏହି ଆତଙ୍କବାଦୀ ଆକ୍ରମଣ ରଜୌରୀ ସେକ୍ଟରର ଥାନାମାଣ୍ଡି ଅଞ୍ଚଳରେ ଦୁଇଟି ସେନା ଗାଡି ଉପରେ ଘଟିଥିଲା। ପୁଞ୍ଚ ଜିଲ୍ଲାର ସୁରାନକୋଟ ତହସିଲର ବାଫଲିଆଜ ପୋଲିସ ଷ୍ଟେସନ ମାଣ୍ଡି ରୋଡକୁ ଯାଉଥିବା ଏକ ସେନା ଗାଡିକୁ ଟାର୍ଗେଟ କରି ଆକ୍ରମଣ କରାଯାଇଥିଲା।
କିଶଟୱର ପୋଲିସ ଆତଙ୍କବାଦୀ ପରଭେଜ ଅହମ୍ମଦ ଛଦ୍ମନାମ ହରିସଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଗତ ୧୮ ବର୍ଷ ଧରି ଭାରତୀୟ ପୋଲିସ ଆତଙ୍କବାଦୀଙ୍କୁ ଖୋଜୁଥିଲା। ଏହି ଘଟଣା ପରେ ଜମ୍ମୁ କଶ୍ମୀରରେ ସୁରକ୍ଷା କଡାକଡି କରାଯାଇଛି । ଆଜି ସର୍ଚ୍ଚ ଅପରେସନ ଚାଲିଥିବାବେଳେ ଇଣ୍ଟରନେଟ୍ ସେବାକୁ ବନ୍ଦ କରାଯାଇଛି ।
Comments are closed.