ମୁମ୍ବାଇ: ବିଗତ କିଛି ମାସ ହେବ ମଡେଲଙ୍କ ଆତ୍ମହତ୍ୟା ଖବର କ୍ରମାଗତ ସାମ୍ନାକୁ ଆସୁଛି। ଏବେ ପୁଣି ଜଣେ ମଡେଲ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଏହି ୪୦ ବର୍ଷିୟା ମଡେଲ ଜଣଙ୍କ ଗୁରୁବାର ମୁମ୍ବାଇର ଅନ୍ଧେରୀସ୍ଥିତ ଏକ ହୋଟେଲରେ ଫ୍ୟାନରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ପୋଲିସ ସୂଚନା ଦେଇଛି। ପୋଲିସ ସୂଚନା ଅନୁଯାୟୀ ଉକ୍ତ ମଡେଲ ଜଣଙ୍କ ବୁଧବାର ରାତି ୮ ଟା ବେଳେ ହୋଟେଲକୁ ଯାଇ ରାତ୍ରି ଭୋଜନ ଅର୍ଡର କରିଥିଲେ।
ଗୁରୁବାର ସକାଳେ ମଡେଲ ନିଜ ଘରର କବାଟ ଆଉ ଖୋଲିନଥିଲେ। ହୋଟେଲରେ ଥିବା ଷ୍ଟାଫ୍ ଘର ସଫା କରିବା ପାଇଁ ବାରମ୍ବାର ଡାକିବା ସତ୍ତ୍ୱେ ମଡେଲ ଜଣଙ୍କ କୌଣସି ଉତ୍ତର ଦେଇନଥିଲେ। ଏହାପରେ ହୋଟେଲ ମ୍ୟାନେଜର ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘରର ମୁଖ୍ୟ ଚାବି ସାହାଯ୍ୟରେ ମଡେଲ ରହିଥିବା ଘରର କବାଟକୁ ଖୋଲିଥିଲା। ମଡେଲଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଥିଲା ପୋଲିସ।
ଏଠାରେ ମଡେଲ ଜଣଙ୍କ ଆତ୍ମହତ୍ୟା କରି ଏକ ସୁସାଇଡ ନୋଟ୍ ମଧ୍ୟ ଛାଡିଥିଲେ। ତାହା ପୋଲିସ ଉଦ୍ଧାର କରିଛି। ଏହି ନୋଟରେ ଲେଖାଯାଇଥିଲା ଯେ ସେ ନିଜ ଜୀବନ ପାଇ ଖୁସି ନୁହଁନ୍ତି, ତେଣୁ ସେ ଦୁଃଖିତ। ଆତ୍ମହତ୍ୟା ପଛରେ କୌଣସି ବ୍ୟକ୍ତିଙ୍କର ହାତ ନାହିଁ ବୋଲି ମଡେଲ ଲେଖିଛନ୍ତି। ପୋଲିସ ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଧକ ତଦନ୍ତ ଜାରି ରଖିଛି। ଏଠାରେ ସୂଚନା ଥାଉକି ଗତ ଚାରି ମାସ ମଧ୍ୟରେ କୋଲକାତାରୁ ୪ ଜଣ ମଡେଲ ଏବଂ ଚେନ୍ନାଇରୁ ଜଣେ ମଡେଲ ଆତ୍ମହତ୍ୟା କରିଥିବା ରିପୋର୍ଟ ଆସିଛି।
Comments are closed.