Latest Odisha News

BREAKING NEWS

ରାଜଧାନୀ ଉପକଣ୍ଠରେ ଦିଲ୍ଲୀର ‘ତିହାର’ ଭଳି ଜେଲ୍ ତିଆରି ହେବ

ଭୁବନେଶ୍ୱର: ଝାରପଡ଼ା ଜେଲରେ ବଢୁଥିବା କଏଦୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାଜଧାନୀ ଉପକଣ୍ଠ ଜାମୁଝାଡ଼ିରେ ଏକ ହାଇ ସିକ୍ୟୁରିଟି ଜେଲ ପ୍ରତିଷ୍ଠା କରିବାକୁ ଯୋଜନା କରୁଛନ୍ତି। ଯାହା ଦେଶର ରାଜଧାନୀରେ ଥିବା ତିହାର ଜେଲ ଭଳି ରହିବ।

ଝାରପଡ଼ା ଜେଲର କ୍ଷମତା ୯୯୦ ଥିବା ବେଳେ ଏଥିରେ ୨୫୦୦  କଏଦୀ ରହିପାରିବେ। ଏହି ଜେଲ ପ୍ରତିଷ୍ଠା ହେଲା ଏହା ରାଜ୍ୟର ସର୍ବବୃହତ ଜେଲ ହେବ। ଯାହାକି ୫୦ ଏକର ଜମିରେ ତିଆରି ହେବ।

ଜେଲ ବିଭାଗ ଅନୁସାରେ, ସର୍ବୋତ୍ତମ ସମ୍ଭାବ୍ୟ ଡିଜାଇନ୍, ଭିତ୍ତିଭୂମି ପାଇଁ ଗବେଷଣା କରାଯାଇଛି। ଏ ନେଇ ଦେଶରେ ଥିବା ଅନ୍ୟ ଜେଲ ପରିଦର୍ଶନ କରାଯାଇ ଆଲୋଚନା କରାଯାଇଛି।

ନୂଆ ଜେଲରେ ବିଚାରାଧୀନ କଏଦୀ, ଅପରାଧୀ, ଗ୍ୟାଙ୍ଗଷ୍ଟର ଓ ହାର୍ଡକୋର ଅପରାଧୀ, ପ୍ରଥମ ଥର ଅପରାଧୀ, ମହିଳା, କିନ୍ନର, ମାନସିକ କଏଦୀଙ୍କ ପାଇଁ ପୃଥକୀକରଣ ବ୍ୟବସ୍ଥା କରାଯିବ। ସୁରକ୍ଷା ଦୃଷ୍ଟିରୁ ଏଥିରେ ଟର୍ନଷ୍ଟାଇଲ ଅଟୋମେସନ, ପୋଲ ସ୍କାନ, ଆଇପି ଆଧାରିତ ସର୍ଭେଲାନ୍ସ ଓ ବାୟୋମେଟ୍ରିକ୍ସ ସିଷ୍ଟମ, ବ୍ଲକିଂ ସିଷ୍ଟମ, ହାଇ ସିକ୍ୟୁରିଟି ଓ୍ୱାର୍ଡ, କ୍ୟାମେରା ଓ କଏଦୀ କଲିଂ ସିଷ୍ଟମ ରହିବ।

ସଂସ୍କାର ଏବଂ ଥଇଥାନ ଅଧୀନରେ, ଏହି ନୂତନ ଜେଲରେ ଶିକ୍ଷା ଓ ଧନ୍ଦାମୂଳକ ତାଲିମର ବ୍ୟବସ୍ଥା କରାଯିବ। ବ୍ୟକ୍ତିତ୍ୱ ବିକାଶ, ଶାରୀରିକ ବ୍ୟାୟାମ, ଖେଳକୁଦ ସହିତ ଜିମ, ଯୋଗ ଓ ଧ୍ୟାନ, ଜେଲ କମ୍ୟୁନିଟି ରେଡିଓ, ଆଚରଣଗତ ପ୍ରଶିକ୍ଷଣ ଏବଂ ପରାମର୍ଶ, ଆତ୍ମ-ଅଭିବ୍ୟକ୍ତି ଏବଂ ସୃଜନଶୀଳତା ଏବଂ ମାନସିକ ସ୍ୱାସ୍ଥ୍ୟକର୍ମୀ ଉପରେ ଜୋର ଦିଆଯିବ।

ହାଇ ପାଓ୍ୱାର କମିଟି ନିଷ୍ପତ୍ତି ଅନୁଯାୟୀ ଜାମୁଝରୀଠାରେ ଜେଲ୍ ନିର୍ମାଣ ପାଇଁ ଓଡ଼ିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ଯୋଜନା ଏବେ ପ୍ରକ୍ରିୟାଧୀନ ରହିଛି। ଯୋଜନା ଦାଖଲ ପରେ ସରକାର ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ଝାରପଡ଼ା ଜେଲ୍ ଅଧୀକ୍ଷକ ସତ୍ୟପ୍ରକାଶ ମିଶ୍ର କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଏବେ ଝାରପଡା ଜେଲ ଓଭରକ୍ରାଉଡେଡ ହୋଇଯାଇଛି। ପାଖାପାଖି ୧୨୦୦ କଏଦୀ ଜେଲରେ ରହୁଛନ୍ତି। ସୁରକ୍ଷା ଦୃଷ୍ଟିକୋଣରୁ ମଧ୍ୟ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ରହୁଛି। ସେହି କାରଣରୁ ଏହି ନୂଆ ଜେଲ୍ ନିର୍ମାଣ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ୫୦ ଏକର ଜମିରେ ଦୁଇ ବର୍ଷରେ ଏହି ନୂଆ ଜେଲକୁ ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଛି।

 

 

Leave A Reply

Your email address will not be published.