Latest Odisha News

BREAKING NEWS

ବୈତରଣୀରେ ମଧ୍ୟମ ଧରଣର ବନ୍ୟା, ମୟୂରଭଞ୍ଜରେ ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ସମ୍ଭାବ୍ୟ ବନ୍ୟା ସ୍ଥିତି ଉପୁଜିଛି । ସ୍ୱତନ୍ତ୍ର ରିଲିଫ କମିଶନର କହିଛନ୍ତି, ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ମୟୂରଭଂଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡାରେ ଗୋଟିଏ ଲେଖାଏଁ ଓଡ୍ରାଫ ଟିମ୍ ମୁତୟନ କରାଯାଇଛି ।

ବାଲେଶ୍ୱର ଜିଲ୍ଲାରେ ୨ଟି ଏନଡିଆରଏଫ୍ ଟିମ୍ ଓ ଭଦ୍ରକ ଓ ଯାଜପୁର ଜିଲ୍ଲାରେ ଗୋଟିଏ ଲେଖାଏଁ ଏନଡିଆରଏଫ ଟିମ୍ ଉଦ୍ଧାର କାର୍ଯ୍ୟ ପାଇଁ ମୁତୟନ କରାଯାଇଛି । ସେହିପରି ଅଗ୍ନିଶମ ବାହିନୀ ମଧ୍ୟ ସଜାଗ ରହିଥିବା ଏସଆରସି ସୂଚନା ଦେଇଛନ୍ତି ।

ଏସଆରସି କହିଛନ୍ତି, ବୈତରଣୀ ନଦୀର ଜଳସ୍ତର ଆନନ୍ଦପୁର ଠାରେ ଏବଂ ଜଳକା ନଦୀ ମଥାନୀ ଠାରେ ବିପଦସଙ୍କେତ ଉପରେ ପ୍ରବାହିତ ହେଉଛି । ଅନେକ ସ୍ଥାନରେ ଚାଷଜମି ଜଳମଗ୍ନ ହୋଇଛି । ରାସ୍ତାଘାଟ ବନ୍ୟା ଜଳରେ ବୁଡି ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

ପ୍ରବଳ ବର୍ଷା ଯୋଗୁଁ ବରାଳୀ ଓ ସରାଳୀ ନଦୀର ଜଳସ୍ତର ବୃଦ୍ଧିପାଇ ମୟୂରଭଂଜ ଜିଲ୍ଲାର ବାରିପଦାରେ ଜଳମଗ୍ନ ହୋଇଛି ।

ରାଜସ୍ୱ ମନ୍ତ୍ରୀ କହିଛନ୍ତି, ରାଜ୍ୟ ସାରା ବର୍ଷା ହୋଇଛି । ତଳି ଅଂଚଳ ଓ ଚାଷଜମିରେ ପାଣି ଜମିଛି । ସମ୍ଭାବ୍ୟ ବନ୍ୟା ଆଶଙ୍କା ଥିବା ଜିଲ୍ଲାକୁ ଏନଡିଆରଏଫ ଓ ଗୋଟିଏ ଓଡ୍ରାଫ ଟିମ୍ ପଠାଯାଇଛି । ଶୁଖିଲା ଖାଦ୍ୟ ମହଜୁଦ ଅଛି । ଆବଶ୍ୟକ ହେଲେ ଦିଆଯିବ । ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ କୁହାଯାଇଛି ।

ବୈତରଣୀରେ ବନ୍ୟା ଆଶଙ୍କା ରହିଛି । ସେହିପରି ଯାଜପୁର, କେନ୍ଦ୍ରାପଡା ଓ ଭଦ୍ରକରେ ବନ୍ୟା ଆଶଙ୍କା ରହିଛି । ସେପଟେ ମୟୂରଭଂଜ ଜିଲ୍ଲା ସିକୁଳିରେ କାନ୍ଥପଡି ଜଣେ ପ୍ରାଣ ହରାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.