Latest Odisha News

BREAKING NEWS

ଆଧୁନିକତାର କାବ୍ୟ ପରମ୍ପରା ଓ କବି ଭୀମ ଭୋଇ

ପଞ୍ଚାନନ ମିଶ୍ରଙ୍କ ସ୍ୱତନ୍ତ୍ର ପ୍ରବନ୍ଧ ‘ପ୍ରଥମ ଭାଗ’

ଆଧୁନିକତାର ପରମ୍ପରା କ’ଣ ?  ଆଧୁନିକତାଠାରୁ ପରମ୍ପରା କିଭଳି ସ୍ଥିତିରେ ଥିଲା ? ଏସବୁ ପ୍ରଶ୍ନର ଉତ୍ତର ଖୋଜିବା ବେଳେ ଆମ ଦୃଷ୍ଟିକୁ ଆସନ୍ତି ଏପରି ଶବ୍ଦ ଆଧୁନିକ , ଆଧୁନିକତା ଓ ଆଧୁନିକବାଦ । ଆଧୁନିକବାଦର ପ୍ରତିଷ୍ଠା ହେଲା ୟୁରୋପରେ, ବିଂଶ   ଶତାଦ୍ଦୀର ଆଦ୍ୟକାଳରେ , ଯେବେ ଏହା ଏକ ନିର୍ଦ୍ଦିଷ୍ଟ ସାହିତ୍ୟିକ ନୀତି ଓ ଆଦର୍ଶବାଦ ଉପରେ ପ୍ରତିଷ୍ଠିତ ହେଲା। ଏଜରା ପାଉଣ୍ଡ , ଟି,  ଇ ହ୍ୟୁମ ଓ ଟି ଏସ ଏଲିଅଟ ‘ଇମାଜିଷ୍ଟ ମେନିଫେଷ୍ଟୋ’ ଜରିଆରେ ଏ ଆଧୁନିକତାବାଦର ପ୍ରତିଷ୍ଠା କଲେ। । ଜଟିଳ କାବ୍ୟାନୁଭବ, ବର୍ଣ୍ଣନାତ୍ମକ ଶୈଳୀ ପରିତ୍ୟାଗ ପୂର୍ବକ ବ୍ୟଞ୍ଜନାତ୍ମକ ପ୍ରୟୋଗ, ଇମେଜ, ପ୍ରତୀକ, ବିରୋଧାଭାସ ଓ ମିଥର ବ୍ୟବହାର ମୁକ୍ତଛନ୍ଦ ଓ ଅନ୍ତର୍ଚ୍ଛନ୍ଦର ପ୍ରୟୋଗ ସହ କବିତାର ସଂହତି , ଆଙ୍ଗିକ ସହ ଆତ୍ମିକର କଳାତ୍ମକ ସମନ୍ୱୟ ଉପରେ ଏମାନେ ପ୍ରାଧାନ୍ୟ ଦେଲେ। ଏଥିପାଇଁ କ୍ଲାସିସିଜମର ପୁନଃସଂସ୍ଥାପନା ମଧ୍ୟ ହେଲା। କାରଣ , କବିତାର ଗଢ଼ଣ କଳାରେ ଆବଶ୍ୟକ ଥିଲା ଏକ କାବ୍ୟିକ ଅନୁଶାସନ ।

ଏହି ୟୁରୋପୀୟ ଆଧୁନିକବାଦର ପ୍ରଭାବ ପଡ଼ିଲା ସମଗ୍ର ବିଶ୍ୱର କୋଣ ଅନୁକୋଣରେ । ଆମ ରାଜ୍ୟ ଓଡ଼ିଶା ମଧ୍ୟ ଏଥିରୁ ମୁକ୍ତ ହୋଇପାରିନଥିଲା। ଓଡ଼ିଶାରେ ଏହାର ପ୍ରତିଷ୍ଠା କଲେ କବି ସଚ୍ଚି ରାଉତରାୟ। ତାଙ୍କ ‘ପାଣ୍ଡୁଲିପି’ ଗ୍ରନ୍ଥରେ ପ୍ରଥମେ ପାଶ୍ଚାତ୍ୟ ଆଧୁନିକବାଦୀମାନଙ୍କଠାରୁ ସେ ଏହା ମଧ୍ୟ ଆହରଣ କଲେ। ଯାହାଥିଲା କବିତାରେ ବାକରୀତି ସହ କାବ୍ୟରୀତିର ସମନ୍ୱୟ । ପରେ ଏ ଧାରାର କ୍ରମବିକାଶ ଘଟିଲା ଭାନୁଜୀ ରାଓ , ଗୁରୁ ପ୍ରସାଦ ମହାନ୍ତି ରମାକାନ୍ତ ରଥ , ସୀତାକାନ୍ତ ମହାପାତ୍ର , ସୌଭାଗ୍ୟ କୁମାର ମିଶ୍ର ଆଦି କବିଙ୍କ ଦ୍ୱାରା। ମାତ୍ର ଆଧୁନିକବାଦର ପ୍ରତିଷ୍ଠା ପୂର୍ବରୁ ପ୍ରତି ଭାଷା ସାହିତ୍ୟରେ ଏକ ଆଧୁନିକ ପରମ୍ପରା ଥାଏ। ଏହି ପରମ୍ପରା କ୍ରମେ ସାହିତ୍ୟର ଇତିହାସର ମୁଖ୍ୟ ବିଷୟବସ୍ତୁ ହୁଏ।

ସାହିତ୍ୟର ଗତି ଠିକ ନଦୀଟିଏ ପରି ; ଯାହା ଭିନ୍ନ ଭିନ୍ନ ବାଙ୍କ ବା ମୋଡ଼ ଦେଇ ଆଗକୁ ବଢ଼ିଥାଏ। ଏ ମୋଡ଼ ପରିବର୍ତ୍ତନ ସମୟରେ ଭିନ୍ନ ଭିନ୍ନ କାବ୍ୟ ପ୍ରତିଭାଙ୍କ ଆବିର୍ଭାବ ହୋଇଥାଏ। ଯେଉଁମାନଙ୍କର କୃତିରେ ନୂଆ ନୂଆ କାବ୍ୟସ୍ୱର ଧ୍ୱନିତ ହୋଇଥାଏ। ଆଙ୍ଗିକ ଓ ଆତ୍ମିକରେ ଭିନ୍ନତା, ଛନ୍ଦେ ଓ କାବ୍ୟ ଭାଷାରେ ନିଆରାପଣ ବାରିହୋଇ ଦୃଶ୍ୟମାନ ହୁଏ। ପୂର୍ଵସୂରୀ କବିଙ୍କଠାରୁନିଜସ୍ୱ ପ୍ରତିଭା ଓ ପ୍ରଜ୍ଞା ସମ୍ପନ୍ନତା ମାଧ୍ୟମରେ ଯଦି ଜଣେ କିଛି ଭିନ୍ନତା ପ୍ରଦର୍ଶନ କରିଥାଏ ତେବେ କାବ୍ୟ ପରମ୍ପରାରେ ନୂତନତ୍ୱର ଆଭାସ ଦୃଷ୍ଟି ଗୋଚର ହୋଇଥାଏ। ଏହା ହିଁ ସେହି କାଳଖଣ୍ଡରରେ ଆଧୁନିକତାର ପରିଚୟ।

କ୍ରମଶଃ ….

Comments are closed.