ପଞ୍ଚାନନ ମିଶ୍ରଙ୍କ ସ୍ୱତନ୍ତ୍ର ପ୍ରବନ୍ଧ ‘ ସପ୍ତମ ଭାଗ’
ଓଡ଼ିଆ କବିତାରେ ଓଡ଼ିଆତ୍ୱ ନିହିତ ଅଛି। କବିତା ସହ ଆଧ୍ୟାତ୍ମିକତାକୁ ଯୋଡ଼ିବାରେ ରାହସ୍ୟବାଦ ସହ ବାସ୍ତବତାର ସମ୍ମିଶ୍ରଣରେ ଓ ଧାରାର ନେତୃତ୍ୱ ନେଇଥିଲେ ଭୀମ ଭୋଇ। ବିନା ଆଧ୍ୟାତ୍ମିକତାରେ କବିତ୍ୱ ଭଳି ଏକ ବିଶେଷ ଧରଣର ପ୍ରତିଷ୍ଠାର ଉନ୍ମେଷ ହୁଏ ନାହିଁ ।
ସୃଜନକର୍ମ ହିଁ ଏକ ଦିବ୍ୟ ପ୍ରେରଣାର କର୍ମ। ଓଡ଼ିଆ କାବ୍ୟ ପରମ୍ପରାର ବିଶିଷ୍ଟ କବଗଣ ଏକଥା ଉପଲବ୍ଧି କରିଥିଲେ। ଉଦାହରଣ ସ୍ୱରୂପ କବି ସାରଳା ଦାସ କହନ୍ତି ପ୍ରଭାତ କାଳରେ ଦେବୀ ଶାରଳା ଯେଉଁ ପଦମାନ କଣ୍ଠରେ ବସି କହି ଦିଅନ୍ତି ; ତାହା ହିଁ ସେ ଲେଖନ୍ତି। ଜଗନ୍ନାଥ ଦାସ କହନ୍ତି ଯେ ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ସେ ଓଡ଼ିଆ ଭାଗବତ ରଚନାରେ ସମର୍ଥ ହୋଇ ପାରିଲେ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ରାମ ତାରକ ମନ୍ତ୍ରରେ ସିଦ୍ଧ ହେବା ପରେ ତାଙ୍କ କବିତ୍ୱ ଜାଗ୍ରତ ହେଲା। ଠିକ ସେହିପରି ଭୀମ ଭୋଇ ସ୍ତୁତି ଚିନ୍ତାମଣିରେ କହନ୍ତି ଯେ ମହିମା ଗୁରୁ ହିଁ ତାଙ୍କୁ କବିତ୍ୱର ପରାକାଷ୍ଠା ପ୍ରଦାନ କରିଥିଲେ। ତେଣୁ କବିତ୍ୱ ଅନ୍ତରାଳରେ ଯେ ଏକ ଦିବ୍ୟ ସତ୍ତାର ପ୍ରେରଣା ରହିଛି ଏହା କେବଳ ଓଡ଼ିଶାର କବିଗଣ ନୁହଁନ୍ତି ବରଂ ବିଶ୍ୱର ବିଭିନ୍ନ କବିଗଣ ଏହା ଘୋଷଣା କରିଛନ୍ତି। ଏହା ହେଉଛି କବିତ୍ୱ ପ୍ରତି ପ୍ରେରିତ ହେବାର ତତ୍ତ୍ୱ। ହେମର ଓ ମିଲଟନ ପ୍ରମୁଖ କବିଗଣ ସେମାନଙ୍କ ମହାକାବ୍ୟ ରଚନାର ପ୍ରାରମ୍ଭରେ ମଙ୍ଗଳାଚରଣ କଲା ବେଳେ ପରୋକ୍ଷ ଭାବରେ ଏହି କାବ୍ୟତତ୍ତ୍ୱ ନିର୍ମାଣ କରୁଥିଲେ।
ଏ ସମ୍ପର୍କରେ ମଧ୍ୟ କବି ଭୀମଭୋଇ ସ୍ତୁତି ଚିନ୍ତାମଣି କାବ୍ୟର ବିଭିନ୍ନ ପଦରେ ସୂଚନା ଦିଅନ୍ତି। ସେ ଥିଲେ ଜଣେ ଅଶିକ୍ଷିତ ଆଦିବାସୀ (କନ୍ଧ) ଓ ଅରଣ୍ୟ ଅଞ୍ଚଳରେ ବାସ କରୁଥିଲେ। ମାତ୍ର ଏଭଳି ଉଚ୍ଚାଙ୍ଗ ପାଣ୍ଡିତ୍ୟ ଓ କବିତ୍ୱର ସ୍ରୋତ ଆସିଲା କୁଆଡୁ ? ଏହା ଏକ ବିଚିତ୍ର ଅଲୌକିକ ଅନୁଭବ । ଯାହା ସେ ଉଲ୍ଲେଖ କରନ୍ତି।
କ୍ରମଶଃ…
Comments are closed.