ନୂଆଦିଲ୍ଲୀ:ମୋଦି କ୍ୟାବିନେଟରେ ବଡ ଧରଣର ଅଦଳବଦଳ ହୋଇଯାଇଛି । କିରେନ ରିଜିଜୁଙ୍କୁ ଆଇନ ମନ୍ତ୍ରୀ ପଦରୁ ହଟାଇ ଦିଆଯାଇଛି । ତାଙ୍କ ଜାଗାରେ ଅର୍ଜୁନ ରାମ ମେଘବାଲଙ୍କୁ ଦାୟିତ୍ୱ ଦିଆଯାଇଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରାମର୍ଶ କ୍ରମେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ମନ୍ତ୍ରୀମଣ୍ଡଳ ପରିବର୍ତ୍ତନକୁ ମଞ୍ଜୁରି ଦେଇଛନ୍ତି । ଏହି ପରିବର୍ତ୍ତନ ପରେ କିରେନ ରିଜିଜୁଙ୍କ ପାଖରୁ ଆଇନ ମନ୍ତ୍ରାଳୟ କାଢି ନେଇ ଭୂ ବିଜ୍ଞାନ ମନ୍ତ୍ରାଳୟ ଦିଆଯାଇଛି । ସେହିପରି ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘବାଲଙ୍କୁ ତାଙ୍କ ବିଭାଗ ସହ ଆଇନ ଏବଂ ନ୍ୟାୟ ମନ୍ତ୍ରାଳୟର ଅତିରକ୍ତ ଦାୟିତ୍ୱ ଦିଆଯାଇଛି ।
ଏହି କହିରଖିବୁ, ରିଜିଜୁ ଅରୁଣାଚଳ ପଶ୍ଚିମ ଲୋକସଭା ଆସନର ସାଂସଦ ଅଟନ୍ତି । ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଆଇନରେ ଡିଗ୍ରୀ କରିଛନ୍ତି । ପ୍ରଥମ ଥର ପାଇଁ ସେ ୨୦୦୪ରେ ନିର୍ବାଚନ ଲଢିଥିଲେ ଏବଂ ଜିତିଥିଲେ ମଧ୍ୟ ।୨୦୦୯ରେ କିନ୍ତୁ ନିର୍ବାଚନ ହାରି ଯାଇଥିଲେ । ୨୦୧୪ରେ ପୁଣି ଥରେ ନିର୍ବାଚନ ଜିତିଥିଲେ ଏବଂ ମୋଦି ମନ୍ତ୍ରୀ ମଣ୍ଡଳରେ ଗୃହ ରାଜ୍ୟମନ୍ତ୍ରୀ ହୋଇଥିଲେ ।
୨୦୧୯ରେ ମୋଦିଙ୍କ ୨ୟ ଇନିଂସରେ କିରେନ ରିଜିଜୁ ଖେଳ ମନ୍ତ୍ରୀ ଦାୟିତ୍ୱ ନେଇଥିଲେ । ଜୁଲାଇ ୨୦୨୧ରେ ଯେତେବେଳେ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ କରାଗଲା ତାଙ୍କୁ ଆଇନ ମନ୍ତ୍ରୀ ଦାୟିତ୍ୱ ଦିଆଗଲା । ରବିଶଙ୍କର ପ୍ରସାଦଙ୍କୁ ହଟାଇ ତାଙ୍କୁ ଏହି ଦାୟିତ୍ୱ ଦିଆ ଯାଇଥିଲା ।
ଅନ୍ୟପକ୍ଷେ ଆଇନ ବିଭାଗ ଦାୟିତ୍ୱ ନେଇଥିବା ଅର୍ଜୁନ ରାମ ମେଘବାଲ ୨୦୦୯ରେ ବିକାନେରରୁ ସାଂସଦ ଭାବେ ନିର୍ବାଚିତ ହୋଇ ଆସୁଛନ୍ତି । ସେ ବିକାନେରର ଡୁଙ୍ଗେର କଲେଜରୁ ବିଏ ଏବଂ ଏଲଏଲବି ପାସ କରିଛନ୍ତି । ପରେ ସେହି କଲେଜରୁ ମାଷ୍ଟର ଡିଗ୍ରୀ ବି କରିଥିଲେ । ଏହା ପରେ ଫିଲିପାଇନ୍ସ ବିଶ୍ୱବିଦ୍ୟାଳୟରେ ଏମବିଏ କରିଥିଲେ। ରାଜସ୍ଥାନ ଅନୁସୂଚିତ ଜାତି ସଂପ୍ରଦାୟର ରାମ ମେଘବାଲ ରାଜସ୍ଥାନ କ୍ୟାଡରର ଜଣେ ଆଇଏଏସ ଅଧିକାରୀ ଥିଲେ ।
Comments are closed.