Latest Odisha News

BREAKING NEWS

ନୂଆବର୍ଷରେ ଚାଷୀଙ୍କୁ ବଡ଼ ଉପହାର, ପିଏମ ଫସଲ ବୀମା ଯୋଜନାର ଆବଣ୍ଟନ ରାଶି ବଢିଲା

ନୂଆଦିଲ୍ଲୀ: ନୂଆବର୍ଷରେ ଚାଷୀଙ୍କୁ ବଡ଼ ଉପହାର ଦେଇଛି ମୋଦୀ କ୍ୟାବିନେଟ । ପିଏମ ଫସଲ ବୀମା ଯୋଜନାର ଆବଣ୍ଟନ ରାଶି ବୃଦ୍ଧି ପାଇଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ୍‌ ବୈଠକରେ ଡିଏପି ସାର ଉପରେ ସବସିଡି, ଟେକ୍ନୋଲୋଜି ସାହାଯ୍ୟରେ କ୍ଲେମ ସେଟେଲମେଣ୍ଟ ଭଳି ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି, କେନ୍ଦ୍ର ସରକାର ପିଏମ୍‌ ଫସଲ ବୀମା ଯୋଜନାର ବ୍ୟୟ ଅଟକଳକୁ ବୃଦ୍ଧି କରି ୬୯୫୧୫ କୋଟି ଟଙ୍କା କରାଯାଇଛି। ଏହି ଯୋଜନାରେ ପ୍ରାୟ୪ କୋଟି ଚାଷୀ ଉପକୃତ ହେବେ। ପ୍ରଟେକ୍ନୋଲୋଜି ସାହାଯ୍ୟରେ ଖୁବ୍‌ ଶୀଘ୍ର ଆସେସମେଣ୍ଟ ଏବଂ କ୍ଲେମ ସେଟଲମେଣ୍ଟ ହୋଇପାରିବ। ଏହା ସହ ଡାୟ ଆମୋନିୟମ ଫସ୍ଫେଟ (DAP) ଉପରେ ମଧ୍ୟ ଅତିରିକ୍ତ ସବସିଡି ମିଳିବ। ଡିଏପି ବ୍ୟାଗର ଦାମ୍‌ ୩ ହଜାର ଟଙ୍କା ଥିଲେ ମଧ୍ୟ ଚାଷୀଙ୍କୁ ପୂର୍ବଭଳି ୫୦ କେଜି ବ୍ୟାଗ୍‌ ୧୩୫୦ ଟଙ୍କାରେ ମିଳିବ। ଆଉ ଯାହା ଅତିରିକ୍ତ ଖର୍ଚ୍ଚ ଆସିବ ତାହାକୁ ସରକାର ବହନ କରିବେ ବୋଲି କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି। ସେହିପରି ସବସିଡି ବାବଦକୁ ୩୮୫୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏବେ ଅନ୍ତର୍ଜାତୀୟ ବଜାରରେ ଡିଏପିର ଅସ୍ଥିର ଦାମର ପ୍ରଭାବ ଭାରତୀୟ ଚାଷୀଙ୍କ ଉପରେ ପଡ଼ିବନି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି।

କେନ୍ଦ୍ର କ୍ୟାବିନେଟ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଏବଂ ପାଣିପାଗ ଆଧାରିତ ଫସଲ ବୀମା ଯୋଜନାକୁ ୨୦୨୬ ପର୍ଯ୍ୟନ୍ତ ଜାରି ରଖିବାକୁ ମଞ୍ଜୁରୀ ଦେଇଛନ୍ତି। ଏଥିପାଇଁ ୨୦୨୫-୨୬ ପର୍ଯ୍ୟନ୍ତ ୬୯, ୫୧୫.୭୧ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଆଉ ଏହି ନିଷ୍ପତ୍ତି କାରଣରୁ ୨୦୨୫-୨୬ ପର୍ଯ୍ୟନ୍ତ ଦେଶ ସାରା ପ୍ରାକୃତିକ ବିପର୍ଯ୍ୟୟରେ ହୋଇଥିବା ଫସଲ କ୍ଷତି ବାବଦକୁ ଚାଷୀଙ୍କୁ ସହାୟତା ମିଳିପାରିବ।

ଏହା ବ୍ୟତୀତ ବିଭିନ୍ନ ଯୋଜନାର କାର୍ଯ୍ୟକାରୀ ପାଇଁ ବଡ଼ ଆକାରରେ ପ୍ରଯୁକ୍ତିର ବ୍ୟବହାର କରାଯିବା। ଯାହାଦ୍ବାରା ଫସଲ କ୍ଷତିର ଆକଳନ ଏବଂ ଏହାର ସମାଧାନ ସହଜ ହୋଇପାରିବ। ଏଥିପାଇଁ କେନ୍ଦ୍ର ମନ୍ତ୍ରିମଣ୍ଡଳ ୮୨୪.୭୭ କୋଟି ଟଙ୍କାର ଖର୍ଚ୍ଚରେ ସୃଜନଶୀଳତା ଏବଂ ପ୍ରଯୁକ୍ତି ପାଣ୍ଠି (FIAT) ଗଠନକୁ ନେଇ କ୍ୟାବିନେଟ ବୈଠକରେ ମଞ୍ଜୁରୀ ମିଳିସାରିଛି। ଆନ୍ଧ୍ରପ୍ରଦେଶ, ଆସାମ, ହରିୟାଣା, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ଓଡ଼ିଶା, ତାମିଲନାଡୁ ଏବଂ କର୍ଣ୍ଣାଟକ  ପିଏମ ଫସଲ ବୀମା ଯୋଜନାରେ ସାମିଲ ରହିଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ଏହା ସହ ଏହି ପାଣ୍ଠିକୁ YES Tech, Winds ଭଳି ସଂସ୍ଥାଙ୍କୁ ଆର୍ଥିକ ସହାୟତା ଓ ଅନୁସନ୍ଧାନ ଏବଂ ବିକାଶ ପାଇଁ ମଧ୍ୟ କରାଯିବ। YES Tech ଫସଲ ଅମଳ ଏବଂ ଏହା ସହ ସମ୍ପର୍କିତ ଅନ୍ୟାନ୍ୟ କାମ ଉପରେ ଗବେଷଣା କରୁଥିବାବେଳେ, Winds ପାଣିପାଗର ଅନୁସନ୍ଧାନ ସହ ଚାଷୀଙ୍କ ପାଇଁ ପ୍ରତିକୂଳ ପରିବେଶରେ କିପରି ଫସଲ ରକ୍ଷା କରାଯାଇପାରିବ ତାହାର ସାମାଧାନ ଦିଗରେ କାମ କରିଥାଏ। ଏଥିପାଇଁ WINDS (ପାଣିପାଗ ସୂଚନା ଏବଂ ନେଟୱର୍କ ଡାଟା ସିଷ୍ଟମ୍) ବ୍ଲକ ସ୍ତରରେ ସ୍ବୟ ଚାଳିତ ପାଣିପାଗ କେନ୍ଦ୍ର (ଏଡବ୍ଲୁଏସ୍) ଏବଂ ପଞ୍ଚାୟତ ସ୍ତରରେ ସ୍ବୟଚାଳିତ ବର୍ଷା ମାପକ (ଏଆରଜି) ପ୍ରତିଷ୍ଠା କରିବାକୁ ପ୍ରସ୍ତାବ ଗ୍ରହଣ କରାଯାଇଛି।

 

Comments are closed.