ନୂଆଦିଲ୍ଲୀ: ରାଜନୀତିର ରଣକ୍ଷେତ୍ରରେ ପରସ୍ପରକୁ କଡ଼ା ସମାଲୋଚନା କରୁଥିବା ଦୁଇ ବଡ଼ ନେତାଙ୍କୁ ଆଜି ଏକ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଛି। ସଂସଦ ପରିସରରୁ ଏଭଳି ଏକ ଚିତ୍ର ସାମ୍ନାକୁ ଆସିଛି, ଯାହା ସାରା ଦେଶର ଦୃଷ୍ଟି ଆକର୍ଷଣ କରିଛି । ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ଆଜି ଦୀର୍ଘ ସମୟ ଧରି କଥାବାର୍ତ୍ତା ହୋଇଛି। କେବଳ ସେତିକି ନୁହେଁ, ପିଏମ ମୋଦୀ ନିଜେ କାର୍ରୁ ଓହ୍ଲାଇ ରାହୁଲଙ୍କ ପାଖକୁ ଯାଇ ହାତ ମିଳାଇବା ସହ ବେଶ୍ କିଛି ସମୟ ଆଲୋଚନା କରିଛନ୍ତି।
ସଂସଦ ପରିସରରେ ଶନିବାର ଦେଖିବାକୁ ମିଳିଛି ଏକ ଦୁର୍ଲଭ ଦୃଶ୍ୟ । ସାଧାରଣତଃ ସଂସଦରେ ଶାସକ ଓ ବିରୋଧୀଙ୍କ ମଧ୍ୟରେ ତୀକ୍ଷଣ ଯୁକ୍ତିତର୍କ ଦେଖିବାକୁ ମିଳୁଥିବା ବେଳେ ଆଜିର ଦୃଶ୍ୟ ଥିଲା ସମ୍ପୂର୍ଣ୍ଣ ଭିନ୍ନ। ମହାନ ସମାଜ ସଂସ୍କାରକ ଜ୍ୟୋତିବା ଫୁଲେଙ୍କ ୨୦୦ତମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ସଂସଦରେ ପହଞ୍ଚିଥିଲେ। ଏହି ସମୟରେ ପୂର୍ବରୁ ସେଠାରେ ଉପସ୍ଥିତ ଥିବା ରାହୁଲ ଗାନ୍ଧୀଙ୍କୁ ଦେଖି ପ୍ରଧାନମନ୍ତ୍ରୀ କାର୍ରୁ ଓହ୍ଲାଇଥିଲେ ଏବଂ ଉଭୟ ନେତା ହସହସ ମୁହଁରେ ପରସ୍ପର ସହ କଥାବାର୍ତ୍ତା ହୋଇଥିଲେ।
ଫଟୋ ଏବଂ ଭିଡିଓରେ ଦେଖିବାକୁ ମିଳୁଛି ଯେ, ଉଭୟ ନେତା ବେଶ୍ ଗମ୍ଭୀରତା ଓ ତଲ୍ଲୀନତାର ସହ କିଛି ବିଷୟରେ ଆଲୋଚନା କରୁଛନ୍ତି। ପାଖରେ ଥିବା ଅନ୍ୟ ନେତା ଓ ସଂସଦ କର୍ମଚାରୀମାନେ ମଧ୍ୟ ଏହି ଦୃଶ୍ୟ ଦେଖି କିଛି ସମୟ ପାଇଁ ଅଟକି ଯାଇଥିଲେ। ସୋସିଆଲ ମିଡିଆରେ ଏହି ଭିଡିଓ ଏବେ ନିଆଁ ଭଳି ବ୍ୟାପିବାରେ ଲାଗିଛି।
ରାଜନୀତିରେ ମତଭେଦ ରହିବା ସ୍ୱାଭାବିକ, କିନ୍ତୁ ଏଭଳି ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଚରଣ ଭାରତୀୟ ଗଣତନ୍ତ୍ରର ମର୍ଯ୍ୟାଦାକୁ ଆହୁରି ବଢ଼ାଇ ଦେଇଛି। ସଂସଦ ପରିସରର ଏହି ମୁହୂର୍ତ୍ତ ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି ।