Latest Odisha News

ମହିଳାଙ୍କୁ ଅପମାନଜନିତ ମନ୍ତବ୍ୟ: ନାଁ ନନେଇ ଭରା ମଞ୍ଚରେ ନୀତିଶଙ୍କ ଧୁଲେଇ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ବିରୋଧୀ ତଥା ପ୍ରତିଦ୍ବନ୍ଦୀ ନେତାଙ୍କୁ ମୈାକ ଦେଖି ସମାଲୋଚନା କରିବା ନେତାଙ୍କ ନିତିଦିନିଆ କଥା। ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଗତକାଲି ନୀତୀଶ ବିଧାନସଭାରେ ଜନ୍ମ ନିୟନ୍ତ୍ରଣରେ ଶିକ୍ଷିତ ମହିଳାଙ୍କ ଭୂମିକାକୁ ନେଇ ଯେଉଁ ଅଶ୍ଲୀଳ କଥା କହିଥିଲେ ତାକୁ ଆଧାର କରି ମୋଦୀ ମଧ୍ୟପ୍ରଦେଶର ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ବେଳେ ଭରା ସଭାରେ ନୀତୀଶଙ୍କ ନାଁ ନନେଇ କଡ଼ା ସମାଲୋଚନା କରିଛନ୍ତି।

ଆଇଏନଡିଆଇ ମେଣ୍ଟର ଜଣେ ପ୍ରମୁଖ ନେତା ଗତକାଲି ବିଧାନସଭା ଭିତରେ ଏଭଳି ଅଶ୍ଳୀଳ ମନ୍ତବ୍ୟ ଦେଇଥିଲେ, ଯାହା ବୁଝିବା ବାହାରେ। ଏପରିକି ସେମାନେ ଲଜ୍ଜିତ ମଧ୍ୟ ହୁଅନ୍ତି ନାହିଁ। ବିରୋଧୀ ଦଳର କୌଣସି ନେତା ଏ ନେଇ ମୁହଁ ଖୋଲୁ ନାହାନ୍ତି। ଯେଉଁମାନେ ମହିଳାଙ୍କ ବିଷୟରେ ଏଭଳି ଭାବନ୍ତି, ସେମାନେ କ’ଣ ସେମାନଙ୍କ ପାଇଁ କିଛି ଭଲ କରିପାରିବେ? ସିଧାସଳଖ ନୀତିଶ କୁମାରଙ୍କ ନାଁ ନନେଇ ମଧ୍ୟପ୍ରଦେଶର ଏକ ରାଲିରେ ପ୍ରଧାନମନ୍ତ୍ରୀ ମୋଦୀ ଏପରି କହିଛନ୍ତି। ସେମାନେ କ’ଣ କେବେ ମହିଳାଙ୍କୁ ସମ୍ମାନ ଦେବେ କି ବୋଲି ମଧ୍ୟ ଭରା ସଭାରେ ପ୍ରଧାନମନ୍ତ୍ରୀ ଜନତାଙ୍କୁ ପ୍ରଶ୍ନ କରିଛନ୍ତି।

ନୀତିଶ କୁମାର ମଙ୍ଗଳବାର ବିଧାନସଭାରେ ମହିଳା ଶିକ୍ଷା ଓ ଜନ୍ମ ନିୟନ୍ତ୍ରଣ ମଧ୍ୟରେ ଥିବା ସମ୍ପର୍କକୁ ଗ୍ରାଫିକ୍ ଭାବେ ବୁଝାଇବାକୁ ଚେଷ୍ଟା କରିବାରୁ ବିବାଦ ସୃଷ୍ଟି ହୋଇଥିଲା। ଅତିରଞ୍ଜିତ କରି ହାତର ଇଙ୍ଗିତ ଏବଂ ସ୍ପଷ୍ଟ ଭାବେ ବ୍ୟବହାର ଅନୁପଯୋଗୀ ଭାଷା ବ୍ୟବହାର କରି ମୁଖ୍ୟମନ୍ତ୍ରୀ ଯେଉଁଭଳି ବର୍ଣ୍ଣନା କରିଛନ୍ତି। ତାଙ୍କର ଏହି ମନ୍ତବ୍ୟକୁ ବିଜେପି ନେତାମାନେ ତୀବ୍ର ସମାଲୋଚନା କରିବା ସହ ସେ ମହିଳାଙ୍କୁ ଅସମ୍ମାନ କରୁଥିବା ଅଭିଯୋଗ କରିଛନ୍ତି।

ଆଜି ନୀତୀଶ କୁମାର ବିହାର ବିଧାନସଭାରେ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ ମୁଁ ଗୃହ ବାହାରେ ସାମ୍ବାଦିକଙ୍କ ସହ କଥା ହେବାବେଳେ ମୋର ଦୁଃଖ ପ୍ରକାଶ କରିଛି। ମୁଁ ପୁଣି ଥରେ ଏପରି କରିବାକୁ ପ୍ରସ୍ତୁତ ଅଛି। ଯଦି ମୋ କଥାରେ କିଛି ଆଘାତ ଲାଗିଛି, ତେବେ ମୁଁ ନିଜକୁ ନିନ୍ଦା କରୁଛି।

ସେ ଆହୁରି ମଧ୍ୟ କହିଛନ୍ତି, “ମୁଁ ଯେଉଁ ସନ୍ଦର୍ଭରେ ମନ୍ତବ୍ୟ ଦେଇଥିଲି ତାହାକୁ ଅଣଦେଖା କରାଯିବା ଉଚିତ ନୁହେଁ। ମୁଁ ସବୁବେଳେ ନାରୀ ଶିକ୍ଷାର ଜଣେ ବଳିଷ୍ଠ ପ୍ରବକ୍ତା, ଏବଂ ଏହା ମୋ ପାଇଁ ପ୍ରକାଶର ଏକ ମୁହୂର୍ତ୍ତ ଥିଲା ଯେତେବେଳେ ମୁଁ ନାରୀ ଶିକ୍ଷା ସ୍ତର ଏବଂ ପ୍ରଜନନ ହାର ମଧ୍ୟରେ ଏକ ପ୍ରତ୍ୟକ୍ଷ ସମ୍ପର୍କକୁ ନିରୀକ୍ଷଣ କରିଥିଲି।

Leave A Reply

Your email address will not be published.