Latest Odisha News

BREAKING NEWS

ହ୍ୟାଟ୍ରିକ ପାଇଁ ମୋଦିଙ୍କ ପ୍ଲାନ

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନରେ ହ୍ୟାଟ୍ରିକ ପାଇଁ ବିଜେପିର ବଡ଼ ପ୍ରସ୍ତୁତି। ଲୋକସଭା ନିର୍ବାଚନରେ ସଫଳତା ଦୋହରାଇବାକୁ କୌଣସି ବି ସୁଯୋଗ ହାତଛଡା କରିବାକୁ ଚାହୁଁନି ବିଜେପି। ସେଥିପାଇଁ ପ୍ରଧାନମନ୍ତ୍ରୀ ମୋଦି ଜୋରଦାର ଉଦ୍ୟମ ଆରମ୍ଭ କରିଛନ୍ତି।

ମୋଦି ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। କେଉଁ ପ୍ରସଙ୍ଗ ନେଇ ସ୍ଥାନୀୟ ଲୋକଙ୍କୁ ନିଜ ସହ ଯୋଡ଼ିହେବ, କେନ୍ଦ୍ର ସରକାରଙ୍କ ଯୋଜନାକୁ ନେଇ ମହିଳା ଓ ଯୁବବର୍ଗଙ୍କ ମଧ୍ୟରେ ଦଳ ପ୍ରତି ସମର୍ଥନ ବଢ଼ାଇହେବ।

ଏଥିସହିତ ଦେଶର ଆଦିବାସୀ, ଦଳିତ, ଗରିବ ଓ ପଛୁଆ ବର୍ଗଙ୍କୁ ନେଇ ୨୦୨୪ ସାଧାରଣ ନିର୍ବାଚନରେ ବିଜେପି କିଭଳି ହ୍ୟାଟ୍ରିକ କରିବ ସେ ନେଇ ଯୋଜନା ପ୍ରସ୍ତୁତ କରିବାକୁ କୁହାଯାଇଥିବା ଜଣାପଡିଛି। ନୂଆ ସଂସଦ ଭବନ ଉଦଘାଟନ ସହ ବିଜେପି ସମ୍ପୂର୍ଣ ନିର୍ବାଚନ ମୋଡ଼କୁ ଆସିଯାଇଥିବା ଚର୍ଚ୍ଚା ଆରମ୍ଭ ହୋଇଛି।

ବିଜେପି ମୁଖ୍ୟାଳୟରେ ମୁଖ୍ୟମନ୍ତ୍ରୀ ମାନଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିଛନ୍ତି। ବିଭିନ୍ନ ରାଜ୍ୟର ବିକାଶମୂଳକ କାର୍ଯ୍ୟ କିଭଳି ଚାଲିଛି ସେ ସମ୍ପର୍କରେ ପଚାରିବା ସହ ଲୋକଙ୍କ ସେବାରେ ଅଧିକ ସମୟ ଦେବାକୁ କହିଥିବା ଆଲୋଚନା ହେଉଛି। ବୈଠକରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମା, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ସମେତ ଅନ୍ୟ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଉପସ୍ଥିତ ରହିଥିଲେ।

ବୈଠକରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀ ମାନଙ୍କୁ ସ୍ୱତନ୍ତ୍ର ଷ୍ଟ୍ରାଟେଜି ପ୍ରସ୍ତୁତ କରିବାକୁ କହିଛନ୍ତି। ବିଜେପି ଶାସିତ ରାଜ୍ୟଗୁଡିକରେ କେନ୍ଦ୍ର ଓ ରାଜ୍ୟର ଜନକଲ୍ୟାଣକାରୀ ଯୋଜନା କିଭଳି ପ୍ରତ୍ୟେକ ଲାଭାର୍ଥୀଙ୍କ ନିକଟରେ ପହଞ୍ଚିବ ସେ ନେଇ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି।

ଏପରିକି ନିର୍ବାଚନ ବର୍ଷରେ କିଭଳି ଲୋକେ ଯୋଜନାର ଅଧିକ ଲାଭ ପାଇବେ ସେ ନେଇ ଜୋରଦାର ଉଦ୍ୟମ ପାଇଁ ମୁଖ୍ୟମନ୍ତ୍ରୀ ମାନଙ୍କୁ ନିର୍ଦେଶ ଦିଆଯାଇଛି। ସେପଟେ ଲୋକଙ୍କ ସମେତ ଦଳୀୟ କାର୍ଯ୍ୟକର୍ତା ମଧ୍ୟ ଉଚିତ ସମ୍ମାନ ଦେବା ପାଇଁ କହିଛନ୍ତି।

ବିରୋଧୀଙ୍କ କଥାରେ ପ୍ରଭାବିତ ନ ହୋଇ ଲୋକଙ୍କ ସହ ସିଧା ଯୋଡି ହେବାକୁ ଯୋଜନା ହୋଇଛି। ସ୍ଥାନୀୟ ଲୋକଙ୍କ ଭାବନାକୁ ଦୃଷ୍ଟିରେ ରଖି କାର୍ଯ୍ୟକ୍ରମ ପରିଚାଳନା କରିବାକୁ ମୋଦି କହିଥିବା ଜଣାପଡିଛି। ଏପରିକି ଦଳୀୟ ନେତା ମନ୍ତ୍ରୀମାନେ କେବଳ ରାଜଧାନୀରେ ନିଜକୁ ସୀମିତ ନ ରଖି ତୃଣମୂଳ ସ୍ତରକୁ ଯିବା ଉପରେ ଗୁରୁତ୍ୱ ଆରୋପ ଦିଆଯାଇଛି।

ଏବେ ସ୍ୱତନ୍ତ୍ର ଏଜେଣ୍ଡା ମଧ୍ୟ ପ୍ରସ୍ତୁତ ହୋଇଛି। ଦେଶବ୍ୟାପୀ ବିଜେପି ସାମ୍ବାଦିକ ସମ୍ମିଳନୀ କରିବା ସହ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରିଛି। ଏପରିକି ବିଜେପି ପକ୍ଷରୁ ମାସେବ୍ୟାପି ଦେଶସାରା ଜନସମ୍ପର୍କ ଯାତ୍ରା ଚାଲିବ। ମେ ୩୦ ତାରିଖ ଅର୍ଥାତ ଆସନ୍ତାକାଲି ଠାରୁ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ଏହା କରାଯିବ। ଯାହାକୁ ସଫଳ କରିବାକୁ ନିର୍ଦେଶ ଦିଆଯାଇଛି।

ସେପଟେ କର୍ଣ୍ଣାଟକ ଫଳାଫଳ ପରେ ବେଶ ସତର୍କ ଓ ସଜାଗ ହୋଇ ଆଗକୁ ବଢୁଛି ବିଜେପି। ନିଜର ସବୁ ଉଦ୍ୟମ ପରେ ବି କର୍ଣ୍ଣାଟକରେ ବିଫଳ ହେବା ପରେ ଦଳ ଆଉ ରିସ୍କ ନେବାକୁ ଚାହୁଁ ନ ଥିବା ଜଣାପଡିଛି।

ତେଣୁ ସବୁ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ମାନେ ଦଳର ବିଜୟ ପାଇଁ ପ୍ରାଣପଣେ ଲାଗିପଡିବାକୁ କୁହାଯାଇଥିବା ଆଲୋଚନା ହେଉଛି। ସେପଟେ ବିରୋଧୀ ଏକତା ବିଜେପି ପାଇଁ ଆଉ ଏକ ପ୍ରମୁଖ ଚ୍ୟାଲେଞ୍ଜ ହେବ ବୋଲି ଚର୍ଚ୍ଚା ହେଉଛି।

ତେଣୁ ଏସବୁକୁ ସମ୍ମୁଖୀନ ହେବାକୁ ଆବଶ୍ୟକ ରଣନୀତି ପ୍ରସ୍ତୁତ କରିବା ସହ ଦଳୀୟ ନେତା କାର୍ଯ୍ୟକର୍ତା ଓ କର୍ମୀଙ୍କ ମଧ୍ୟରେ ଆବଶ୍ୟକ ସମନ୍ୱୟ ରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି।

Leave A Reply

Your email address will not be published.