Latest Odisha News

ମୋଦିଙ୍କ ମିଶନ କଶ୍ମୀର: ଟାର୍ଗେଟରେ କଂଗ୍ରେସ-ଏନସି ମେଣ୍ଟ

ଶ୍ରୀନଗର: ଜମ୍ମୁ ଓ କଶ୍ମୀର ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ୍ ସରିଥିବା ବେଳେ ପରବର୍ତ୍ତୀ ଦୁଇ ପର୍ଯ୍ୟାୟ ପାଇଁ ସରଗରମ ପ୍ରଚାର । ଜମ୍ମୁର କାଟ୍ରାରେ ନିର୍ବାଚନ ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ । କଂଗ୍ରେସ ଓ ନ୍ୟାସନାଲ କନଫରେନ୍ସ ଉପରେ ବର୍ଷିଛନ୍ତି । ବିଦେଶରେ ଭାରତ ବିରୋଧୀ ମନ୍ତବ୍ୟ ପାଇଁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ଘେରିଛନ୍ତି ମୋଦି । ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି ଯେ, ଜମ୍ମୁ ଓ କଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦିଆଯିବ ।

ମୋଦି କହିଲେ କଂଗ୍ରେସ,ଏନସି ପାଇଁ ପାକିସ୍ତାନ ଖୁସି

ଜମ୍ମୁ ଓ କଶ୍ମୀରରେ ଆହୁରି ଉଷ୍ମ ହୋଇଛି ନିର୍ବାଚନୀ ବାତାବରଣ । ବିଜେପି ପାଇଁ ଜାମ୍ମୁରେ ଭୋଟ୍ ଭିକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କାଟ୍ରାରେ ଜନସଭାକୁ ସମ୍ବୋଧନ କରି କଂଗ୍ରେସ-ନ୍ୟାସନାଲ କନଫରେନ୍ସ ମେଂଟକୁ କରିଛନ୍ତି ଜୋରଦାର ଟାର୍ଗେଟ୍ । କଂଗ୍ରେସ -ନ୍ୟାସନାଲ କନଫରେନ୍ସର ନିର୍ବାଚନୀ ଇସ୍ତାହାରରେ ପାକିସ୍ତାନ ବହୁତ ଖୁସି ବୋଲି ଦୁଇ ଦଳକୁ ତାତ୍ସଲ୍ୟ କରିଛନ୍ତି ମୋଦି । ଜାମ୍ମୁ ଓ କାଶ୍ମୀର ପାଇଁ ଧାରା ୩୭୦ର ପୁନଃ ସ୍ଥାପନ ପ୍ରସଙ୍ଗରେ ପାକିସ୍ତାନୀ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ ଦେଇଥିବା ମନ୍ତବ୍ୟକୁ ନେଇ କଂଗ୍ରେସ ଓ ଏନସି ଉପରେ ବର୍ଷିଛନ୍ତି ମୋଦି । ଧାରା ୩୭୦ ପ୍ରସଙ୍ଗରେ କଂଗ୍ରେସ ଓ ନ୍ୟାସନାଲ କନଫରେନ୍ସ ନୀତିରେ ପାକିସ୍ତାନର ଶାହାବାଜ ସରିଫ ସରକାର ଏକମତ ବୋଲି କହିଥିଲେ ପାକ୍ ବୈଦେଶିକ ମନ୍ତ୍ରୀ । ଆଉ ପାକ୍ ମନ୍ତ୍ରୀଙ୍କ ବୟାନକୁ ନେଇ ଦୁଇ ଦଳକୁ ଘେରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କଂଗ୍ରେସ ଓ ନ୍ୟାସନାଲ କନଫରେନ୍ସ ଜାମ୍ମୁ ଓ କାଶ୍ମୀରରେ ପାକିସ୍ତାନର ଏଜେଣ୍ଡା କାର୍ଯ୍ୟକାରୀ କରିବାକୁ ଚାହୁଁଛନ୍ତି ବୋଲି ମୋଦି କହିଛନ୍ତି । ଦୁଇ ଦଳକୁ କେହି ବି ଗୁରୁତ୍ୱ ଦେଉନାହାନ୍ତି । ହେଲେ ପାକିସ୍ତାନରେ ଦୁଇ ଦଳର ବଲ୍ଲେ ବଲ୍ଲେ ହେଉଛି ବୋଲି ମୋଦି କହିଥିଲେ । ଧାରା ୩୭୦ର ପୁନଃସ୍ଥାପନ ପାଇଁ ନିର୍ବାଚନୀ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଛି ନ୍ୟାସନାଲ କନଫରେନ୍ସ । ପିଏମ କହିଛନ୍ତି ଯେ, ଜମ୍ମୁକଶ୍ମୀରରେ ଆଉ ପାକିସ୍ତାନର ଏଜେଣ୍ଡା ଲାଗୁ ହେବାକୁ ଦିଆଯିବ ନାହିଁ ।

ରାହୁଲଙ୍କ ବିରୋଧରେ ଆସ୍ଥାର ଅପମାନ ଅଭିଯୋଗ

ଆମେରିକା ଗସ୍ତ ବେଳେ ରାହୁଲ ଗାନ୍ଧି ଦେଇଥିବା ଦେବତା ଟିପ୍ପଣୀରେ କଡା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ମୋଦି । ରାହୁଲ ଗାନ୍ଧିଙ୍କ ଦେବତା ଟିପ୍ପଣୀ କଂଗ୍ରେସର ନକ୍ସଲି ମାନସିକତା ବୋଲି କହିଥିଲେ ମୋଦି । ଭୋଟ୍ ପାଇଁ କଂଗ୍ରେସ ଲୋକଙ୍କ ଆସ୍ଥା ଓ ସଂସ୍କୃତିକୁ ଅପମାନ କରୁଛି । ରାହୁଲଙ୍କୁ ତାତ୍ସଲ୍ୟ କରି ମୋଦି କହିଛନ୍ତି ଯେ, କଂଗ୍ରେସର ଉତ୍ତରାଧିକାରୀ ବିଦେଶ ଯାଇ ଦେବୀ ଦେବତା ଭଗବାନ ନାହାନ୍ତି ବୋଲି କହୁଛନ୍ତି । ଏହା ଆମ ଆସ୍ଥାର ଅପମାନ । କଂଗ୍ରେସକୁ ଏହାର ଦଣ୍ଡ ମିଳିବା ଦରକାର ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଆଉ ଚଳିବ ନାହିଁ ତିନି ପରିବାରର ରାଜନୈତିକ ଜାଗିରଦାରି

ଜାମ୍ମୁ ପୂର୍ବରୁ ଶ୍ରୀନଗରରେ ମଧ୍ୟ ନିର୍ବାଚନୀ ରାଲିରେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ । ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଭାରି ମତଦାନ ପାଇଁ ଜାମ୍ମୁ ଓ କାଶ୍ମୀର ଲୋକଙ୍କୁ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ । ପ୍ରଥମ ଥର ପାଇଁ ବିନା ଆତଙ୍କବାଦର ଛାୟାରେ ନିର୍ବାଚନ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଜାମ୍ମୁ ଓ କାଶ୍ମୀରରେ ଅବଦୁଲ୍ଲା, ମୁଫତି ଓ ଗାନ୍ଧି ପରିବାରର ରାଜନୈତିକ ଜାଗିରଦାରି ଆଉ ଚଳିବ ନାହିଁ । ଏହି ତିନି ପରିବାର କବଳରୁ ଜାମ୍ମୁ ଓ କାଶ୍ମୀର ମୁକ୍ତ ହେବ ବୋଲି କହିଥିଲେ ମୋଦି । ଜାମ୍ମୁ ଓ କାଶ୍ମୀରର ଯୁବଗୋଷ୍ଠୀ ତିନି ପରିବାରକୁ ବର୍ତ୍ତମାନ ଚ୍ୟାଲେଂଜ କରୁଛନ୍ତି । ତିନି ପରିବାର ହିଁ ଯୁବଗୋଷ୍ଠୀଙ୍କୁ ଆଗକୁ ବଢିବାକୁ ଦେଇନଥିଲେ ବୋଲି ଶ୍ରୀନଗର ସଭାରେ କହିଥିଲେ ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାର ଓ କଂଗ୍ରେସ –ଏନସି ମେଂଟକୁ ଜୋରଦାର ଟାର୍ଗେଟ ଦ୍ୱାରା ଜାମ୍ମୁ ଓ କାଶ୍ମୀରରେ ନିର୍ବାଚନୀ ତାତି ବଢିଛି ।

Leave A Reply

Your email address will not be published.