Latest Odisha News

ମୋଦୀଙ୍କ ଅଭିଭାଷଣ ମେଣ୍ଟ ଚର୍ଚ୍ଚାକୁ ଯୋଗାଇଲା ଇନ୍ଧନ

ଭୁବନେଶ୍ୱର: ମାର୍ଚ୍ଚ ୫, ରାଜ୍ୟ ରାଜନୀତିରେ ରୁଚି ରଖୁଥିବା ଏବଂ ପ୍ରତିଟି ଓଡ଼ିଆଙ୍କ ପାଇଁ ଥିଲା ଅପେକ୍ଷାର ଦିନ। କିଏ କହୁଥିଲା ଆଜିର ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜୁ ବାବୁଙ୍କୁ ଭାରତ ରତ୍ନ ଉପାଧି ଘୋଷଣା କରିବ ଏବଂ ବିଜୁ ଜୟନ୍ତୀରୁ ସାରା ଦେଶ ଦେଖିବ ବିଜେଡି ଓ ବିଜେପି ମେଣ୍ଟର ଦ୍ବିତୀୟ ପର୍ଯ୍ୟାୟ। କିନ୍ତୁ ସେଭଳି କିଛି ହେଲାନାହିଁ। ହେଲେ ମୋଦୀଙ୍କ ଅଭିଭାଷଣ ମେଣ୍ଟ ଚର୍ଚ୍ଚାକୁ ଆହୁରି ଇନ୍ଧନ ଯୋଗାଇଛି।

‘ଓଡ଼ିଶା ସମ୍ବାଦ’କୁ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସୋମବାର ବିଜେଡିର ଜଣେ ତୁଙ୍ଗ ନେତା ଦିଲ୍ଲୀ ଯାଇଥିଲେ। ଯେଉଁଠାରେ ରାଜ୍ୟରେ ବିଜେଡି ଓ ବିଜେପି ରଣନୀତି ବାବଦରେ ଆଲୋଚନା ହୋଇଛି। ଆଉ ତହିଁ ପରଦିନ ଅର୍ଥାତ ପ୍ରଧାନମନ୍ତ୍ରୀ ଚଣ୍ଡିଖୋଲ ଆସି ଉଭୟ ସରକାରୀ ଏବଂ ରାଜନୈତିକ ସମାବେଶରେ ଯୋଗ ଦେଇଛନ୍ତି। ବଡ଼ କଥା ହେଉଛି ଦୁଇଟି ଯାକ ସମାବେଶରେ ମୋଦୀ ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଆରମ୍ଭ କରିଛନ୍ତି। ଏବଂ ସରକାରୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ ଲୋକପ୍ରିୟ ବୋଲି କହିଛନ୍ତି। ନିକଟରେ ମୋଦୀ ସମ୍ବଲପୁର ଗସ୍ତ ବେଳେ ନବୀନଙ୍କୁ ତାଙ୍କ ମିତ୍ର ବୋଲି ସମ୍ବୋଧନ କରିଥିଲେ।

ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଚଣ୍ଡିଖୋଲରେ ମୋଟ ୧୯,୬୦୦ କୋଟି ଟଙ୍କା ବିନିଯୋଗ ରେ ଅନେକ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ, ଯାହା ରାଜ୍ୟରେ ଅଭିବୃଦ୍ଧି ଓ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦୃଢ଼ କରିଥିଲା । ରାଜ୍ୟପାଳ ରଘୁବର ଦାସଙ୍କ ଉପସ୍ଥିତିରେ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା।

ତେବେ ସରକାରୀ କାର୍ଯ୍ୟକ୍ରମରେ ବିଜୁ ବାବୁଙ୍କୁ ମନେ ପକାଇବା ଠିକ୍ ଅଛି। କିନ୍ତୁ ଦଳୀୟ ସମାବେଶରେ ମୋଦୀ ବିଜୁ ବାବୁଙ୍କୁ ମନେ ପକାଇ ଦୁଇ ଦଳ ମଧ୍ୟରେ ଯେ ଭିତିରି ବୁଝାମଣା ଭଲ ରହିଛି ତାହା ସ୍ପଷ୍ଟ ହୋଇଛି। ଅନ୍ୟପଟେ ରାଜ୍ୟ ରାଜନୀତିକୁ ଦେଖିଲେ ବିଜେଡି ଏକ ନମ୍ବର ଦଳ ହୋଇଥିବା ବେଳେ ବିଜେପି ଦୁଇ ନମ୍ବର ଦଳ। ବିଜେପି ହୁଙ୍କାର ଭରୁଛି କ୍ଷମତାରେ ବସିବ ବୋଲି। ହେଲେ ଦଳର ଶୀର୍ଷ ନେତା ନିଜ ଅଭିଭାଷଣରେ ବିଜେଡି ସରକାର ବାବଦରେ କିଛି ନକହି କଂଗ୍ରେସ ବାବଦରେ ନିଜର ତୀର୍ଯକ ଅଭିଭାଷଣ ରଖିଛନ୍ତି। ଯେଉଁ ଦଳ ଦୀର୍ଘ ବର୍ଷ ହେବ ରାଜ୍ୟ ରାଜନୀତିର ଶାସନ ଗାଦିରୁ ଗାଏବ ରହିଛି ଏବଂ କ୍ରମଶଃ ଦୁର୍ବଳ ହୋଇ ଚାଲିଛି। ହେଲେ ରାଜ୍ୟ ବିଜେପିର ତୁଙ୍ଗ ନେତା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଶ୍ବେଶ୍ବର ଟୁଡୁ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏବଂ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ବିଜେଡି ସରକାରଙ୍କୁ ଟାର୍ଗେଟ କରି ଚାଲିଛନ୍ତି।

ଯାଜପୁର ଜିଲ୍ଲାରେ ଅଭିଭାଷଣ ଦେଇ ପ୍ରଧାନମନ୍ତ୍ରୀ ମୋଦି କୋଇଲା ଦୁର୍ନୀତିକୁ ଗୁରୁତ୍ୱ ଦେଇ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ଗରିବ ଲୋକଙ୍କ ପାଇଁ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିବା ବେଳେ ସେ ଆଲୋକପାତ କରିଥିଲେ ଯେ ୨୦୧୪ରେ ଜଣେ ଗରିବ ବ୍ୟକ୍ତିଙ୍କ ପୁଅ (ଗରୀବ କା ବେଟା) ପ୍ରଧାନମନ୍ତ୍ରୀ ହୋଇଥିଲେ। କେବଳ ସେତିକି ନୁହେଁ, ସେ ନିଜ ‘ମୋଦୀ କି ଗ୍ୟାରେଣ୍ଟି’ ସ୍ଲୋଗାନକୁ ସୁଦୃଢ଼ କରିବା ସହ ପଛୁଆ ବର୍ଗଙ୍କ କଲ୍ୟାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଆଗାମୀ ସାଧାରଣ ନିର୍ବାଚନରେ ୪୦୦ ଆସନ ହାସଲ କରିବାକୁ ପ୍ରଧାନମନ୍ତ୍ରୀ ନିଜର ଲକ୍ଷ୍ୟ ଦୋହରାଇଛନ୍ତି । ସେ କହିଥିଲେ ଯେ ଓଡ଼ିଶା ଦେଶର ଗରିବ ରାଜ୍ୟ ହୋଇଥିଲେ ମଧ୍ୟ ପୂର୍ବ କେନ୍ଦ୍ର ସରକାରମାନେ ଓଡ଼ିଶା ସ୍ୱାର୍ଥ ପାଇଁ ସମର୍ଥନ କରୁନଥିଲେ।

ଅନ୍ୟପଟେ ମଞ୍ଚ ଉପରେ ମୋଦୀ ନବୀନ କଥାବାର୍ତ୍ତା ହେବା ଏବଂ ଦୁଇ ଜଣଙ୍କ ହାବଭାବ ସୂଚାଇଛି ଯେ ଦୁଇ ଦଳ ମଧ୍ୟରେ ଭିତିରି ବୁଝାମଣା ରହିଛି। ହେଲେ ଏହି ଦୋସ୍ତି ସାର୍ବଜନୀନ ଭାବେ ରୂପ ନେବ କି ନାହିଁ ତାହା ସ୍ପଷ୍ଟ ହୋଇପାରୁନି। କେହି କେହି କହୁଛନ୍ତି, ଯେଉଁ ମୋଦୀଙ୍କ ମିଶନ ୪୦୦ ପ୍ଲସ ବିଜେପି ପାଇଁ ବଡ ଚ୍ୟାଲେଞ୍ଜ। ତେଣୁ ଅନେକ କିଛି ରଣନୀତି ବୁଝି ବିଚାରି ନିଆଯାଉଛି। ହୁଏତ ଏବେ ମେଣ୍ଟ ନହେଲେ ଆଗାମୀ ଦିନରେ ମେଣ୍ଟ ହେବ ଏବଂ ଓଡ଼ିଶାରେ ଦୁଇ ଦଳ ମିଶି କ୍ଷମତାରେ ବସିବେ ଆଉ ବିଜେଡି ମଧ୍ୟ କେନ୍ଦ୍ର ସରକାରରେ ସାମିଲ ହେବ।

Comments are closed.